ଶ୍ରୀରାମ ନଗର ଶିଳ୍ପୀ ମୃତ୍ୟୁ ଘଟଣା : ମୃତ ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କଲା ପୁଲିସ

କଟକ: ଗତକାଲି କଟକରେ ଦେଖିବାକୁ ମିଳିଥିଲା ପାରିବାରିକ କଳହର ଉଗ୍ରରୂପ । ହିତାହିତ ଜ୍ଞାନ ଭୁଲି ୨ ବର୍ଷର ସାବତ ପୁଅର ତଣ୍ଟି କାଟିବା ସହ ଜଣେ ମହିଳା ଝୁଲି ପଡ଼ିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ମଧୁପାଟଣା ଥାନା ପୁଲିସ୍‌ ତାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି।

ମୃତ ଶିଳ୍ପୀ ଖୁଣ୍ଟିଆଙ୍କ ବାପ ଘର ଲୋକଙ୍କ ଅଭିଯୋଗ ଆଧାରରେ ଗତକାଲି ପୁଲିସ୍‌ ସନ୍ତୋଷଙ୍କୁ ଅଟକ ରଖିଥିବା ବେଳେ ଆଜି ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଘଟଣାରେ ସନ୍ତୋଷଙ୍କ ବାପାମା’ଙ୍କ ନାମରେ ବି ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ସେମାନଙ୍କୁ ବି ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଶିଳ୍ପୀଙ୍କୁ ଶାଶୂ ଘର ଲୋକେ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ। ସାବତ ପୁଅ ହେଲେ ବି ଶିଳ୍ପୀ ପିଲାଟିକୁ ଖୁବ୍‌ ଭଲ ପାଉଥିବାରୁ ତାକୁ ଛଡ଼ାଇ ନେବାକୁ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକେ ଧମକ ଦେଉଥିଲେ। ତେଣୁ ସେ ଯେଉଁଠି ରହିବ, ତା’ ପୁଅ ବି ସେଇଠି ରହିବ ବୋଲି କହୁଥିବା ଶିଳ୍ପୀ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ବାପାମା’ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି।

ଶିଳ୍ପୀଙ୍କ ଘର କଟକ ନେତାଜୀ ନଗରରେ ହୋଇଥିବା ବେଳେ ତାଙ୍କ ସ୍ୱାମୀ ସନ୍ତୋଷଙ୍କ ଘର ସାଲେପୁର ଥାନା ମୁର୍କୁଣ୍ଡି ଗ୍ରାମରେ। ଉଭୟ ସନ୍ତୋଷ ଓ ଶିଳ୍ପୀଙ୍କର ଏହା ଥିଲା ଦ୍ୱିତୀୟ ବିବାହ । ସନ୍ତୋଷଙ୍କ ପ୍ରଥମ ପତ୍ନୀ ପ୍ରସବ ପରେ ଆଖି ବୁଜି ଦେଇଥିବା ବେଳେ ତାଙ୍କର ପୁଅଟିଏ ଥିଲା। ଶିଳ୍ପୀ ସାବତ ପୁଅକୁ ଖୁବ୍‌ ଭଲ ପାଉଥିଲେ ବି ଶାଶୂ ଘରକୁ ଯିବାକୁ ଅରାଜି ହେଉଥିଲେ। ଏହାକୁ କେନ୍ଦ୍ର କରି ସ୍ୱାମୀଙ୍କ ସହ ତାଙ୍କର ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏମିତିକି କଥା ଥାନା ଯାଏ ବି ଯାଇଥିଲା। ହେଲେ ଏହା ସମାଧାନ ହେବା ପରିବର୍ତ୍ତେ ଅଧିଗ ଉଗ୍ର ହେବାରେ ଲାଗିଲା ଓ ଶେଷରେ ଏକ ପରିବାର ଛାରଖାର ହୋଇଗଲା। ଅକାରଣରେ ବଳି ପଡ଼ିଲା ୨ ବର୍ଷୀୟ ନିଷ୍ପାପ ଶିଶୁ।

Leave a Reply

Your email address will not be published. Required fields are marked *