ପାଞ୍ଚ ଦଫା ଦାବି ପୂରଣ ନେଇ ସାଧାରଣ ବର୍ଗର ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣା ଆରମ୍ଭ
ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜାତିଭିତ୍ତିକ ବୈଷମ୍ୟ ନୀତି ବିରୋଧରେ ଏବଂ ସାଧାରଣ ବର୍ଗର ନ୍ୟାୟସଙ୍ଗତ ଅଧିକାର ସୁରକ୍ଷା ଦାବିରେ ଅବିଭକ୍ତ ସାଧାରଣ ବର୍ଗ, ଓଡ଼ିଶା ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣା ଆରମ୍ଭ ହୋଇ ଯାଇଛି। ପାଞ୍ଚ ଦଫା ଦାବିକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସାଧାରଣ ବର୍ଗ ପ୍ରତି ଦୀର୍ଘଦିନର ଅବହେଳା, ପ୍ରବଞ୍ଚନା ଓ ଅଧିକାର ହନନ ବିରୋଧରେ ଏକ ଗଣତାନ୍ତ୍ରିକ ପ୍ରତିବାଦ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ଆୟୋଜିତ ଗଣଧାରଣା କାର୍ଯ୍ଯକ୍ରମରେ ଯୋଗ ଦେଇ ଅବିଭକ୍ତ ସାଧାରଣ ବର୍ଗର ଆବାହକ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ UGC ବିଲ୍ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତିଗତ ବିଭାଜନକୁ ଆହୁରି ଗଭୀର କରିଛି। ସେହିପରି ଓଡ଼ିଶାରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ବୃତ୍ତିଗତ ଶିକ୍ଷା ପ୍ରତିଷ୍ଠାନରେ ସଂରକ୍ଷଣ ବୃଦ୍ଧି ଫଳରେ ସାଧାରଣ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତ ଅନ୍ଧାର ହୋଇଯାଉଛି । ଏହାଛଡ଼ା, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ସାଧାରଣ ବର୍ଗ (EWS) ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୯ ରୁ କରାଯାଇଥିବା ୧୦% ସଂରକ୍ଷଣ ବ୍ୟବସ୍ଥାକୁ ମଧ୍ୟ ଓଡ଼ିଶାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲା ନାହିଁ । ସଂଗଠନ ଆହୁରି ଅଭିଯୋଗ କରିଛି ଯେ, ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ସାଧାରଣ ବର୍ଗର କର୍ମଚାରୀମାନେ ପଦୋନ୍ନତି କ୍ଷେତ୍ରରେ ବୈଷମ୍ୟର ଶିକାର ହେଉଛନ୍ତି ଏବଂ ସେମାନଙ୍କ ନ୍ୟାୟସଙ୍ଗତ ପଦୋନ୍ନତି ଦିଆଯାଉନାହିଁ ।
ସଂଗଠନର କହିବା ଅନୁସାରେ, ଏହି ସମସ୍ୟାଗୁଡ଼ିକ ଦୀର୍ଘଦିନ ଧରି ରହିଥିଲେ ମଧ୍ୟ ରାଜ୍ୟର ଶାସକ ଓ ବିରୋଧୀ ଦଳର କୌଣସି ଜନପ୍ରତିନିଧି ଏହାର ସ୍ଥାୟୀ ସମାଧାନ ଦିଗରେ ଆନ୍ତରିକ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳସ୍ୱରୂପ, ପୀଡ଼ିତ ସାଧାରଣ ବର୍ଗର ଲୋକମାନେ ନିଜର ସାମ୍ବିଧାନିକ ଅଧିକାର ଓ ସାମାଜିକ ନ୍ୟାୟ ପାଇଁ ଗଣତାନ୍ତ୍ରିକ ପଥରେ ଏହି ଆନ୍ଦୋଳନ ଆରମ୍ଭ କରିବାକୁ ବାଧ୍ୟ ହୋଇଛନ୍ତି।
ଅବସରପ୍ରାପ୍ତ ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ଅମରେନ୍ଦ୍ର ପ୍ରସାଦ ସାହୁ ଓ ବସୁନ୍ଧରା ପରିବାରର ରାଜ୍ୟ ସଂଯୋଜକ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ପଦ୍ମନ ଷଣ୍ଢ, କମଳାକାନ୍ତ ପ୍ରହରାଜ, ଅଶୋକ ପଣ୍ଡା, ଋତୁରାଜ ପଟ୍ଟନାୟକ, ନିର୍ମଳ ଚନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ତ୍ରିପାଠୀ, ଶୁଭାଶିଷ ଆଚାର୍ଯ୍ୟ, ଶୁକଦେବ ଖଟୁଆ, ବିଜୟ ମିଶ୍ର ପ୍ରମୁଖ ସକ୍ରିୟ ସଦସ୍ୟ ମଧ୍ୟ ଯୋଗଦେଇଥିଲେ। ସଂଗଠନ ପକ୍ଷରୁ ରାଜ୍ୟର ସମସ୍ତ ଶୁଭେଚ୍ଛୁ, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସଚେତନ ନାଗରିକମାନଙ୍କୁ ଏହି ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହୋଇ ନ୍ୟାୟ, ସମାନ ସୁଯୋଗ ଓ ସାମାଜିକ ସନ୍ତୁଳନ ପାଇଁ ସମର୍ଥନ ଜଣାଇବାକୁ ଆହ୍ୱାନ କରାଯାଇଛି।
