ଗ୍ରୀଲ ଭାଙ୍ଗିବା ନେଇ ତପସ୍ୱିନୀ ଓ ପ୍ରମିଲାଙ୍କ ନାଁରେ ଥାନାରେ ଏତଲା ଦେଲେ ଡାକ୍ତର ସୁମିତଙ୍କ ବାପା ; ବ୍ରହ୍ମାନଗରରେ ଆଜି ୧୪୪ ଧାରା ଜାରି

ବ୍ରହ୍ମପୁର : ଡାକ୍ତର ସୁମିତ ସାହୁଙ୍କ ଘରର ଗ୍ରୀଲ ଭାଙ୍ଗିବା ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି ତାଙ୍କ ବାପା ପ୍ରମୋଦ ସାହୁ। ଗତକାଲି ଘରେ ଅନଧିକାର ପ୍ରବେଶ କରିବା ନେଇ ଥାନାରେ ଏତଲା ହୋଇଛି।

ତପସ୍ୱିନୀ, ତାଙ୍କ ବାପା, ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁରେ ଏତଲା ଦିଆଯାଇଛି। ଏହି ସମସ୍ତଙ୍କ ନାଁରେ ବୈଦ୍ୟନାଥପୁର ଥାନାରେ ଅନଲାଇନରେ ଏତଲା କରିଛନ୍ତି ସୁମିତଙ୍କ ବାପା।

ଗତ କାଲି ସୁମିତଙ୍କ ବ୍ରହ୍ମାନଗର ଘରେ ଧସେଇ ପଶିଥିଲେ ବହୁ ସଂଖ୍ୟାରେ ମହିଳା। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ହୋହଲ୍ଲା କରିବା ସହ ଗେଟ୍ ଭାଙ୍ଗି ଦେଇଥିଲେ। ଏହାପରଠୁ ଘର ଗ୍ୟାରେଜ୍ ରୁମ୍‌ରେ ରହିଛନ୍ତି ତପସ୍ୱିନୀ। ତପସ୍ୱିନୀଙ୍କୁ ସୁରକ୍ଷା ଯୋଗାଇବା ସହ ବ୍ରହ୍ମାନଗରରେ ଆଜି ୧୪୪ ଧାରା ଜାରି କରାଯାଇଛି। ନ୍ୟାୟ ଦାବିରେ ତପସ୍ୱିନୀ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ଅସମ୍ଭବ ଗହଳି ଲାଗି ରହୁଛି। ଏଥିଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହୁଛି। ତେଣୁ ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ପୁଲିସ୍ ଉପସ୍ଥିତି ସତ୍ତ୍ୱେ ଶତାଧିକ ମହିଳା ଡାକ୍ତର ସୁମିତ ସାହୁଙ୍କ ବ୍ରହ୍ମାନଗରସ୍ଥିତ ଘରର ଗେଟ୍ ଭାଙ୍ଗି ଦେଇଥିଲେ। ଏଥିଯୋଗୁ ଉତ୍ତ୍ୟକ୍ତ ମହିଳା ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ । ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। କିନ୍ତୁ ପୁଲିସ୍ ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା। ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବାରଣ୍ଡାକୁ ଚାଲି ଯାଇଛନ୍ତି।

ଅନ୍ୟପକ୍ଷରେ ଗତକାଲି ତପସ୍ୱିନୀ ଓ ସୁମିତ ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ହୋଇଥିବା ବେଳେ କୋର୍ଟ ନିଜ ପୂର୍ବ ରାୟକୁ ପୁଣି ଦୋହରାଇଛନ୍ତି। ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତ ସାହୁଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *