ଦେଶବ୍ୟାପୀ ଭାରତୀୟ ସେନା ପାଳୁଛି ବିଜୟ ଦିବସ।

ନୂଆଦିଲ୍ଲୀ: ୧୯୭୧ ‘ବାଂଲାଦେଶ ମୁକ୍ତି ଯୁଦ୍ଧ’ରେ ପାକିସ୍ତାନ ଉପରେ ବିଜୟ ହାସଲ କରିଥିବା ଭାରତ ଆଜି ୫୧ତମ ‘ବିଜୟ ଦିବସ’ ପାଳନ କରୁଛି। ଏହି ଅବସରରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ପ୍ରଦାନ ଉତ୍ସବରେ ଯୋଗା ଦେଇ ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହାର ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ୍‌ ମନୋଜ ପାଣ୍ଡେ ଆର୍ମି ହାଉସ୍‌ରେ ‘ଆଟ୍‌ ହୋମ୍‌’ ରିସେପ୍‌ସନ୍‌ରେ ଯୋଗ ଦେଇଥିଲେ।

ବିଜୟ ଦିବସ ଅବ୍ୟବହିତ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଜୟ ଅବ୍ୟବହିତ ପୂର୍ବରୁ ଆର୍ମି ହାଉସ୍‌ରେ ‘ଆଟ୍‌ ହୋମ୍‌’ ରିସେପ୍‌ସନ୍‌ରେ ଯୋଗ ଦେଇଥିଲି। ୧୯୭୧ ଯୁଦ୍ଧରେ ବିଜୟ ହାସଲ କରାଇଥିବା ଆମ ସଶସ୍ତ୍ର ବଳଙ୍କ ‌ଶୌର୍ଯ୍ୟକୁ ଭାରତ କଦାପି ଭୁଲି ପାରିବ ନାହିଁ। ଉକ୍ତ ଯୁଦ୍ଧରେ ସାମରିକ ବୀରଙ୍କର ଆତ୍ମବଳି ସ୍ମରଣ କରାଯିବା ସହିତ ସେମାନଙ୍କ ପ୍ରତି ବର୍ଣ୍ଣାଢ଼୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ।

ସୂଚନାଯୋଗ୍ୟ, ପରାଜିତ ହେବା ପରେ ଜେନେରାଲ୍‌ ଅମିର୍‌ ଅବ୍ଦୁଲ୍ଲା ଖାଁ ନିଆଜିଙ୍କ ନେତୃତ୍ବାଧୀନ ପାକିସ୍ତାନୀ ସେନା ୧୯୭୧ ଡିସେମ୍ବର ୧୬ ତାରିଖ ଦିନ ଢାକାରେ ଲେଫ୍‌ଣ୍ଟନାଣ୍ଟ୍‌ ଜେନେରାଲ୍‌ ଜଗଜିତ୍‌ ସିଂହ ଅରୋରାଙ୍କ ନେତୃତ୍ବାଧୀନ ମିଳିତ ସେନା ନିକଟରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲା। ଯୁଦ୍ଧର ଅବସାନ ହେବା ପରେ ବାଂଲାଦେଶ ସ୍ବାଧୀନତା ଲାଭ କରିଥିଲା। ଏଥିପାଇଁ ପାକିସ୍ତାନ ସହିତ ଭାରତ ୧୩ ଦିନ ଧରି ଯୁଦ୍ଧ କରିଥିଲା। ୧୯୭୧ର ଏହି ଯୁଦ୍ଧ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଆଦି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକର ସମ୍ପର୍କକୁ ବଦଳାଇ ଦେଇଥିଲା।

Leave a Reply

Your email address will not be published. Required fields are marked *