ଭଦ୍ରକ ନାଳିଆ ନଦୀରେ ବୁଡ଼ି ୩ ଛାତ୍ର ମୃତ, ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ଗାଧୋଇଲା ବେଳେ ବୁଡ଼ିଗଲେ, ସମସ୍ତ ୩ ଛାତ୍ର ଗୋଟିଏ କଲେଜରେ ପଢ଼ୁଥିଲେ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଲାଙ୍ଗୁଡ଼ି ଅଞ୍ଚଳରେ ଘଟିଛି ଏହି ଘଟଣା।

ମୃତକମାନେ ହେଉଛନ୍ତି- ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା। ସମସ୍ତଙ୍କ ବୟସ ସେହି ୧୭ ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ଥିଲେ।

ପ୍ରଣୟଙ୍କ ଘର ହରିପୁର ଗାଁରେ ହୋଇଥିବା ବେଳେ ସ୍ମୃତି ଓ ରଜତଙ୍କ ଘର କୋରକୋରାରେ। ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ପ୍ରଣୟ, ସ୍ମୃତି, ରଜତ ଓ ସେମାନଙ୍କର ଅନ୍ୟ ଦୁଇ ଜଣ ସାଙ୍ଗ ଲାଙ୍ଗୁଡ଼ି ଦେଇ ପ୍ରବାହିତ ହେଉଥିବା ନାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ସମସ୍ତେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ପ୍ରଣୟ, ସ୍ମୃତି ଓ ରଜତଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କର ଅନ୍ୟ ଦୁଇ ସାଙ୍ଗ ସୁସ୍ଥ ଅଛନ୍ତି। ଚିକିତ୍ସା ପରେ ତାଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *