ଆଜି ‘ଖୁଦୁରୁକୁଣୀ ଓଷା’ ର ପ୍ରଥମ ପାଳି

ଆଜି ପ୍ରଥମ ପାଳି ‘ଖୁଦୁରୁକୁଣୀ ଓଷା’ । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

ଏହା ଏକ ଭାଦ୍ରବ ମାସର ରବିବାରରେ ପଡ଼ିଥାଏ । ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଛି । ଝିଅମାନେ ଗାଧୋଇ ପାଧୋଇ କନିଅର, ଚମ୍ପା, ଗୋଡ଼ିବବାଣ, ମାଳତୀ, ମନ୍ଦାର ଓ କଇଁ ଆଦି ଫୁଲ ତୋଳି ମାଟିରେ ବା ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି ।

ତାହା ପରେ ସେମାନେ ଅଢ଼େଇ ମୁଠା ଉଷୁନା ଚାଉଳରେ ବିନା ଲୁଣରେ ଭାତ ରାନ୍ଧିଥାନ୍ତି । ଭାତ ରନ୍ଧା ହେଲା ପରେ ସେଥିରେ ଲୁଣ ମିଶାଇଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ ।

Leave a Reply

Your email address will not be published. Required fields are marked *