କୃଷକ ବିଜୟ ସମାବେଶ ପାଳନ କରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଥିଲେ ଯେ ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ ହଜାର ଏକର ଚାଷଜମିକୁ ହଡ଼ପ କରିବାପାଇଁ ଯୋଜନାବଦ୍ଧ ଷଡଯନ୍ତ୍ରକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଭତ୍ସନା କରିବା ସହିତ ବେଦାନ୍ତ କମ୍ପାନୀକୁ ୫ଲକ୍ଷ ଟଙ୍କା ଜୋରିମାନା ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ କମ୍ପାନୀ ଓ ସରାକାରଙ୍କ ବନ୍ଧୁତା ଯୋଗୁଁ ସମଗ୍ର ଓଡ଼ିଶାବାସୀ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ବିଶିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ନରସିଂହ ମିଶ୍ର ବେଦାନ୍ତ କମ୍ପାନୀ ପ୍ରତି ଓଡ଼ିଶା ସରକାରଙ୍କର ଅହେତୁକ ଅନୁକମ୍ପାକୁ କଠୋର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ୨୦୦୬ ମସିହାରୁ ଏ ବେଆଇନ କାର୍ଯ୍ୟ ବିରୋଧରେ ବିଭିନ୍ନ ସ୍ତରରେ ଯେଉଁ ବିରୋଧ ପ୍ରକଟ କରାଯାଇଥିଲା ତାର ପୁରଭାଗରେ ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କର ଅବଦାନ ଅତୁଳନୀୟ । ଓଡ଼ିଶା ସରକାର ବେଦାନ୍ତ କମ୍ପାନୀକୁ ପୁରୀ କୋର୍ଣାକ ବେଳାଭୂମି ଅଂଚଳରେ ୧୦ ହଜର ଏକର ଚାଷଜମି ଶାଗମାଛ ମୂଲରେ ଅଧିଗ୍ରହଣ କରିଥିଲେ ଯାହାଦ୍ୱାରା ସିଧାସଳଖ ୬ ହଜାର ପରିବାର, ୩୦ ହଜାର ଲୋକ ପ୍ରତ୍ୟକ୍ଷ ଭାବରେ ଏହି ବେଆଇନ କାର୍ଯ୍ୟଦ୍ୱାରା ପ୍ରଭାବିତ ହୋଇଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସମସ୍ତ ଆଇନ କାନୁନକୁ ଜଳାଞ୍ଜଳି ଦେଇ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଯେଉଁ ଜମି
ଅଧିଗ୍ରହଣ କରିଥିଲେ ତାକୁ ସୁପ୍ରିମକୋର୍ଟ ଖାରଜ କରିବା ସହିତ ସମସ୍ତ ଜମିକୁ ଚାଷୀଙ୍କୁ ଫେରାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଆମେ ଦାବି କରୁଛୁ ୧. ସରକାର ତୁରନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରନ୍ତୁ ଓ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ଫେରସ୍ତ କରନ୍ତୁ । ୨. ଓଡ଼ିଶା ସରକାରଙ୍କ ଯେଉଁ ସବୁ ବିଭାଗ ଏଭଳି ଷଡ଼ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟରେ ସାମିଲ ଥିଲେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ତୁରନ୍ତ ଅପରାଧିକ ତଦନ୍ତ ବା (କ୍ରିମିନାଲ ଇନଭେଷ୍ଟିଗେସନ) କରାଯାଉ ।
୩. ଦୁର୍ନୀତି ନିବାରଣ ଆଇନର ଧାରା-୧୩ ଅନୁଯାୟୀ ଏକ ନିରପେକ୍ଷ ଅପରାଧିକ ତଦନ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ଦୀର୍ଘ ୧୭ ବର୍ଷର ଲଢ଼େଇ, ୨୨ ମୌଜା, ୨୭୫ ଗାଁ ଏବଂ ହଜାର ହଜାର କୃଷକଙ୍କର ଜୀବନ ଜୀବିକାକୁ ବାଜିରେ ଲଗାଇ ଠକ ବେଦାନ୍ତ କମ୍ପାନୀକୁ ୧୦ ହଜାର ଏକର ଚାଷଜମି ସହିତ ଦୁଇଟି ନଦୀକୁ ଟେକି ଦେବାପାଇଁ ଯେଉଁ ଗଭୀର ଷଡଯନ୍ତ୍ର ଓ ଅହେତୁକ ଅନୁକମ୍ପା କରାଯାଇଥିଲା ସେଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଉଚ୍ଚଶିକ୍ଷା ବିଭାଗ ଓ ରାଜସ୍ୱ ବିଭାଗର ସଂପୃକ୍ତି ଥିଲା,
ଏକଥା ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଅପରାଧିକ ତଦନ୍ତକୁ ସାମନା କରିବାକୁ ସେ ଆହ୍ୱାନ ଦେଇଥିଲେ ।
ପୂର୍ବତନ ବିଧାୟକ ତଥା ଆବାହକ ଉମାବଲ୍ଲଭ ରଥ କହିଥିଲେ ଯେ ଦୀର୍ଘ ୧୭ବର୍ଷ ଧରି ଯେଉଁ ନ୍ୟାୟୀକ ଲଢ଼େଇ ଆମେ ଲଢ଼ିଥିଲୁ ସେଥିରେ ଶ୍ରୀଜଗନ୍ନାଥଙ୍କ କୃପାରୁ ଆମେ ଜୟଲାଭ କରିଛୁ ଏବଂ ଏଥିରେ ଗୋଟିଏ ଟଙ୍କାର ପାରିଶ୍ରମିକ ନନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଶ୍ରୀ ପ୍ରଶାନ୍ତ ଭୁଷଣ ୨୦୧୧ ମସିହାରୁ ଆମକୁ ନ୍ୟାୟୀକ ସହାୟତ ପ୍ରଦାନ କରିଥିବାରୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ତାଙ୍କୁ ଆସନ୍ତା ୯.୯.୨୦୨୩ରେ ପୁରୀର ବେଳଦଳ ଠାରେ କୃଷକ ବିଜୟ ସମାବେଶରେ
ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ ୧୦ ହଜାରରୁ ଉର୍ଦ୍ଧ୍ୱ ଅନ୍ନଦାତା ଚାଷୀ ଭାଇଭଉଣୀମାନେ ଯୋଗଦେବେ । ଏଥିରେ ବହୁସଂଖ୍ୟାରେ ସାଧାରଣ ଜନତାଙ୍କୁ ଯୋଗଦେବାପାଇଁ ସେ ଅନୁରୋଧ କରିବା ସହିତ ଗଣମାଧ୍ୟମ ପ୍ରତିନିଧି ଉକ୍ତ ସମାବେଶକୁ ଆସିବାପାଇଁ ଅନୁରୋଧ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଓ ପୂର୍ବତନମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *