ଭେଟେରାନ୍ସ କ୍ଲବ୍ ଓଡ଼ିଶା ପକ୍ଷରୁ ଭାରତୀୟ ନୌସେନା ଦିବସ ପାଳିତ ; ୧୦ ବୀରତ୍ଵ ପଦକପ୍ରାପ୍ତଙ୍କୁ ସମ୍ମାନ

ଭୁବନେଶ୍ୱର/କଟକ : ରାଜ୍ୟରେ ପ୍ରଥମ ଥର ପାଇଁ ତିନି ସେନାରୁ ବୀରତ୍ଵ ପଦକପ୍ରାପ୍ତ ୧୦ ଜଣ ଗ୍ୟାଲେଣ୍ଟ୍ରି ପୁରସ୍କାର ବିଜେତାଙ୍କୁ ଗୋଟିଏ ମଞ୍ଚରେ ସମ୍ମାନିତ କରାଯାଇଛି । ଆଜି ଭେଟେରାନ୍ସ କ୍ଲବ୍ ଓଡ଼ିଶା ପକ୍ଷରୁ ଭାରତୀୟ ନୌସେନା ଦିବସ ପାଳନ ଅବସରରେ କୁରାଙ୍ଗ ଶାସନ ସ୍ଥିତ ଆମ୍ରପାଲି ରିସୋର୍ଟ ପରିସରରେ ଏକ ଭବ୍ୟ ସ୍ଵାଗତ ସମାରୋହରେ ଓଡ଼ିଶା ମାଟିର ୧୦ ଜଣ ବୀରତ୍ଵ ପଦକପ୍ରାପ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାରେ ସେବାରତ ଥିବା ସମୟରେ ଯେଉଁ ବୀର ଓଡ଼ିଆମାନେ ସେମାନଙ୍କ ଶୌର୍ଯ୍ୟ ଓ ପରାକ୍ରମ ପାଇଁ ବୀର ଚକ୍ର, ଶୌର୍ଯ୍ୟ ଚକ୍ର, ସେନା ମେଡାଲ, ନୌସେନା ମେଡାଲ ଓ ବାୟୁସେନା ମେଡାଲରେ ବିଭୂଷିତ ହୋଇଥିଲେ ସେମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଭାରତୀୟ ସ୍ଥଳସେନା ଶୌର୍ଯ୍ୟ ଚକ୍ର ସୁବେଦାର ମେଜର୍ ପ୍ରଦୀପ ବେଗ୍, ସେନା ମେଡାଲ ସୁବେଦାର ମେଜର୍ ବଳରାମ ପ୍ରଧାନ, ସେନା ମେଡାଲ ହାବିଲଦାର ବ୍ରଜସୁନ୍ଦର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଭାରତୀୟ ନୌସେନାରୁ ଶୌର୍ଯ୍ୟ ଚକ୍ର (ମରଣୋତ୍ତର) ମାର୍କୋସ୍ ଉମାକାନ୍ତ ପାଣିଗ୍ରାହୀ, ନୌସେନା ମେଡାଲ ଚିଫ୍ ଏମ୍ ଇ ରମାକାନ୍ତ ମିଶ୍ର, ନୌସେନା ମେଡାଲ ଚିଫ୍ ଏଭିଏଟର୍ ମଳୟ ରଞ୍ଜନ ମହାପାତ୍ର, ସେନା ମେଡାଲ ମାର୍କୋସ୍ ରବୀନ୍ଦ୍ର କୁମାର ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଭାରତୀୟ ବାୟୁସେନାରୁ ବୀର ଚକ୍ର ଗ୍ରୁପ୍ କ୍ୟାପଟେନ ଅତନୁ ଗୁରୁ, ବାୟୁସେନା ମେଡାଲ ୱାରାଣ୍ଟ ଅଫିସର୍ ସୁରେନ୍ଦ୍ର କୁମାର ମହାନ୍ତି, ବାୟୁସେନା ମେଡାଲ ୱାରାଣ୍ଟ ଅଫିସର୍ କୈଳାସ ଚନ୍ଦ୍ର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଐତିହାସିକ ସମାରୋହରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଭାରପ୍ରାପ୍ତ ନୌସେନା ଅଧିକାରୀ (ଓଡ଼ିଶା) ତଥା ଆଇ.ଏନ୍.ଏସ୍ ଚିଲିକା କମାଣ ଅଧିକାରୀ କମୋଡୋର୍ ଏନ୍. ପି. ପ୍ରଦୀପ ଭେଟେରାନ୍ସ କ୍ଲବ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ଭେଟେରାନ୍ସ କ୍ଲବ୍ ଓଡ଼ିଶା ପକ୍ଷରୁ ଦଧିଚି ଶିକ୍ଷାନୁଷ୍ଠାନ ସମୂହର ପ୍ରାୟ ଚାରି ଶହ ଛାତ୍ରଛାତ୍ରୀଙ୍କୁ ନେଇ ଭାରତୀୟ ନୌସେନା ସନ୍ଦର୍ଭରେ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ ସଫଳ ପ୍ରଥମ ତିନି ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ନୱା ଅଧ୍ୟକ୍ଷା ଶ୍ରୀମତୀ ବିନ୍ଦୁ ପ୍ରଦୀପ ପୁରସ୍କୃତ କରିଥିଲେ ।

ଉପସ୍ଥିତ ପୂର୍ବ ନୌସେନିକମାନେ ଏହି ଐତିହାସିକ ଦିବସର ମହତ୍ତ୍ଵ ଉପରେ ଅବଗତ କରାଇଥିଲେ ଏବଂ ୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟ ଉତ୍ସବର ସ୍ମୃତିଚାରଣ କରିଥିଲେ। ଭେଟେରାନ୍ସ କ୍ଳବ୍ ଓଡ଼ିଶାର ଅଧ୍ୟକ୍ଷ ତଥା ବରିଷ୍ଠ ନୌସୈନିକ ବିଦ୍ୟାଧର ନାୟକ ଉପସ୍ଥିତ ସମସ୍ତ ପୂର୍ବସୈନିକ ଓ ତାଙ୍କ ପରିବାରବର୍ଗଙ୍କୁ ଏହି ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଭେଟେରାନ୍ସ କ୍ଲବ୍ ଓଡ଼ିଶା ସୈନିକମାନଙ୍କ ସମ୍ମାନ ଓ ପ୍ରତିଷ୍ଠା ପାଇଁ ସର୍ବଦା ଚେଷ୍ଟିତ ବୋଲି କହିଥିଲେ । ଓଡ଼ିଶା ସରକାର ସୈନିକମାନଙ୍କର ସମ୍ମାନ ପାଇଁ ଭେଟେରାନ୍ସ କ୍ଲବ୍ ଓଡ଼ିଶାକୁ ସହଯୋଗ କରିବା ପାଇଁ ସେ ଆହ୍ବାନ କରିଥିଲେ । ମେଜର ଜେନେରାଲ ସୋମ୍ୟଦେବ ମହାନ୍ତି, ବିଶିଷ୍ଟ ସେବା ମେଡାଲ ଓ ପୁର୍ବତନ ଓଡ଼ିଶା ରାଜ୍ୟ ସୈନିକ ବୋର୍ଡ ଅଧ୍ୟକ୍ଷ କମୋଡୋର ଏଲ କେ ଅଗ୍ରୱାଲ କ୍ଲବ ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ।ଭେଟେରାନ୍ ନିତାଇ ଗୌର ଧଳ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ ରବୀନ୍ଦ୍ର କୁମାର ପଟ୍ଟନାୟକ, ସମରେନ୍ଦ୍ର ପରିଜା, ଗୋପୀନାଥ ମିଶ୍ର, ବୈକୁଣ୍ଠ ତ୍ରିପାଠୀ, ହରପ୍ରସାଦ ଦୋରା, ଅଜୟ କୁମାର ନାୟକ, ରମେଶ ଚନ୍ଦ୍ର ଲେଙ୍କା, ମୃତ୍ୟୁଞ୍ଜୟ ମହାପାତ୍ର, ଅରୁଣ କୁମାର ମହାନ୍ତି, ମନୋଜ ସେନାପତି, ଚିନ୍ମୟ ହୋତା, ବିମଳ ପ୍ରସାଦ ବାରିକ୍, ମହେଶ୍ୱର ଦୀକ୍ଷିତ, ଅନ୍ତର୍ଯ୍ୟାମୀ ଦାଶ, ଶେଷଦେବ ମିଶ୍ର, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *