ସ୍ତ୍ରୀଙ୍କ କଥାରେ ପଡ଼ି ଦୁର୍ନୀତି କରୁଛନ୍ତି ଅଫିସର ସ୍ବାମୀ : ଭିଜିଲାନ୍ସ ବିଭାଗର ୨୦୨୨ର ବାର୍ଷିକ ରିପୋର୍ଟରେ ରୋଚକ ତଥ୍ୟ

ସ୍ତ୍ରୀଙ୍କ କଥାରେ ପଡ଼ି ଦୁର୍ନୀତି କରୁଛନ୍ତି ସ୍ୱାମୀ। ୭୫ ପ୍ରତିଶତ ଆୟବହିର୍ଭୁତ ମାମଲାରେ ଅଫିସର ସ୍ୱାମୀଙ୍କ ଦୁର୍ନୀତିରେ ସ୍ତ୍ରୀଙ୍କର ରହିଛି ହାତ। ଏନେଇ ଖାଲି FIR ନୁଁହେ କୋର୍ଟରେ ଦୋଷୀ ସାବ୍ୟସ୍ତ ମଧ୍ୟ ହେଉଛନ୍ତି ଜୀବନସାଥୀ।

ବାବୁଆଣିଙ୍କ କଥାରେ ପଡ଼ି ବାବୁ କରୁଛନ୍ତି ଦୁର୍ନୀତି। ନିଜର ଆଵଶ୍ୟକତାରୁ ଢେର ଉପରେ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ବାବୁଙ୍କୁ ଦୁର୍ନୀତି କରିବାକୁ ଉସକାଉଛନ୍ତି ବାବୁଆଣି। ଆୟବହିର୍ଭୁତ ମାମଲାର ୭୫ ପ୍ରତିଶତ ମାମଲାରେ ଅଫିସରଙ୍କ ଦୁର୍ନୀତିରେ ସ୍ତ୍ରୀମାନଙ୍କ ଭୂମିକାକୁ ଲକ୍ଷ୍ୟ କରି ମାମଲା ମଧ୍ୟ କରୁଛି ଭିଜିଲାନ୍ସ।

ସାମ୍ନାକୁ ଆସିଛି ଭିଜିଲାନ୍ସ ବିଭାଗର ୨୦୨୨ର ବାର୍ଷିକ ରିପୋର୍ଟ। ୨୦୨୨ରେ ଆୟବହିର୍ଭୁତ ଅଭିଯୋଗରେ ୮୨ଟି କେସ୍ କରିଛି ଭିଜିଲାନ୍ସ। ସେଥିମଧ୍ୟରୁ ୬୨ଟି ମାମଲାରେ ବାବୁଙ୍କ ସହିତ ତାଙ୍କ ସ୍ତ୍ରୀମାନଙ୍କ ଭୂମିକା ଦୁର୍ନୀତିରେ ରହିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଯାହାକୁ ନେଇ ସ୍ତ୍ରୀମାନଙ୍କ ନାମରେ ମଧ୍ୟ ମାମଲା କରାଯାଇଛି।

ଖାଲି ମାମଲା ନୁଁହେ ଅନେକ କେସରେ ସ୍ତ୍ରୀମାନେ ମଧ୍ୟ ନିଜର ଅଫିସର ସ୍ୱାମୀଙ୍କ ସହିତ ଦୋଷୀ ସାବ୍ୟସ୍ତ ହେଉଛନ୍ତି। ଚଳିତ ମାସରେ କନିଷ୍ଠ ଯନ୍ତ୍ରୀ ଦିବଂଗତ ନବକୃଷ୍ଣ ଦାସଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ସେହିପରି ଚଳିତ ବର୍ଷ ଜଳ ବିଦ୍ୟୁତ ନିଗମର ପୁର୍ବତନ ଡେପୁଟି ମ୍ୟାନେଜର ଦିଲ୍ଲୀପ ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। ନିଜର ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ସ୍ତ୍ରୀମାନେ ସ୍ୱାମୀଙ୍କୁ ଦୁର୍ନୀତି କରିବାକୁ ଉସକାଉଛନ୍ତି।

ଏପରିକି ଅନେକ କେସରେ ସ୍ତ୍ରୀମାନଙ୍କ ନାମରେ ସ୍ୱାମୀମାନେ ଦୁର୍ନୀତି ସମ୍ପତ୍ତି ରଖୁଥିବା ମଧ୍ୟ ଜଣାପଡୁଛି। ଏଣୁ ସାମାଜିକ କର୍ମୀଙ୍କ ମତରେ ସ୍ତ୍ରୀମାନେ ଚାହିଁଲେ ସ୍ୱାମୀମାନେ ଦୁର୍ନୀତି ମୁକ୍ତ ହୋଇପାରିବେ ବୋଲି ସୁନିତା ପଟ୍ଟନାୟକ ସାମାଜିକ କର୍ମୀ କହିଛନ୍ତି।

ସେପଟେ ଏନେଇ କଡ଼ା ଆଇନ ଆଣିବାକୁ ଦାବି ମଧ୍ୟ ହେଲାଣି। ସାଧାରଣ ଭାବରେ ଭିଜିଲାନ୍ସ ପକ୍ଷରୁ ହେଉଥିବା ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଘଟଣାରେ ଦେଖିବାକୁ ମିଳିଛି ଯେ, ଅଭିଯୁକ୍ତମାନେ ଏଭଳି ଦୁର୍ନୀତି ଗସ୍ତ ହେବା ପଛରେ ରହିଛି ସେମାନଙ୍କ ପତ୍ନୀଙ୍କ ହାତ।

ଅର୍ଥାତ ସେମାନଙ୍କ ପତ୍ନୀମାନେ ହିଁ ଏଭଳି ଦୁର୍ନୀତି କରିବା ପାଇଁ ସେମାନଙ୍କୁ ଉସକାଉଛନ୍ତି। ଯଦି ଆରମ୍ଭରୁ ପତ୍ନୀ ଆୟବହିର୍ଭୁତ ସମ୍ପତ୍ତିର ଉତ୍ସ ଉପରେ ପ୍ରଶ୍ନ ଉଠାଇଥାନ୍ତେ ତେବେ ସଂମ୍ପୃକ୍ତ ଅଧିକାରୀ ଜଣକ ବାରମ୍ବାର ଏଭଳି ସମ୍ପତ୍ତି ଠୁଳ କରିବା ପାଇଁ ଡରିଥାନ୍ତେ। ଏହି କାରଣରୁ କିଛି ବର୍ଷ ତଳୁ ଏଭଳି ଘଟଣାରେ ପତ୍ନୀମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଗଲା। ସେମାନଙ୍କୁ ପକ୍ଷଭୁକ୍ତ କରାଗଲା। କିନ୍ତୁ ତାର କିଛି ଠୋସ ପ୍ରଭାବ ଅନୁଭତ ହେଲା ନାହିଁ।

ତେଣୁ ଏ ଦିଗରେ କଠୋର ଆଇନ ହେବା ଉଚିତ୍ ବୋଲି ବରିଷ୍ଠ ଆଇନଜୀ ସିଦ୍ଧାର୍ଥ ଦାସ କହିଛନ୍ତି। ଦୁର୍ନୀତି ମାମଲାରେ ପାଖାପାଖି ୨୦୦ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଲେଣି ସରକାର ତେବେ ଜୀବନ ସାଥି ଦୁର୍ନୀତି କରିବାକୁ ଚାପ ପରିବର୍ତ୍ତେ ଦୁର୍ନୀତିରୁ ଦୁରେଇ ରହିବାକୁ ଚାପ ପକାଇଲେ ବାବୁମାନଙ୍କ ଦୁର୍ନୀତିରେ ଲାଗିପାରିବ ରୋକ।

Leave a Reply

Your email address will not be published. Required fields are marked *