ଭୁବନେଶ୍ବରରୁ ଜଣେ ଲେଡି ଲୁଟେରା ଗିରଫ, ରାତିରେ ଲୋକଙ୍କୁ ଲିଫ୍ଟ ମାଗିବା ବାହାନାରେ ଲୁଟୁଥିଲା

ଭୁବନେଶ୍ବର: ରାଜଧାନୀରେ ଧରାପଡିଲା ଲେଡି ଲୁଟେରା । ରାତି ହେଲେ ଛକ ଛକରେ ଛିଡା ହୋଇ ଲିଫ୍ଟ ମାଗୁଥିଲା । ‘ଆଜ୍ଞା ଟିକେ ଲିଫ୍ଟ ଦିଅନ୍ତୁ’ କହି ଗାଡିରେ ବସୁଥିଲା । ବାଟରେ ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କ ବ୍ୟାଗ୍ ଚେକ୍ କରୁଥିଲା ଏବଂ ଟଙ୍କା ପଇସା ସୁନା ଗହଣା ଯାହା ପାଉଥିଲା ଲୁଟି ନେଇ ଛୁ’ ମାରୁଥିଲା । ଯଦି ଲୋକଟି ନଡରି କିଛି କହିଲା ତେବେ ତାକୁ ଅସଦାଚରଣ କରିଥିବାର ଧମକ ଦେଉଥିଲା । ଏଭଳି ଢଙ୍ଗରେ ଭୁବନେଶ୍ବରରେ ଲୁଟ୍‌ପାଟ୍‌ କରୁଥିବା ଜଣେ ମହିଳାଙ୍କୁ ଗତକାଲି(ସୋମବାର) ଗିରଫ କରିଛି କମିଶନରେଟ ପୋଲିସର ପାହାଳ ଥାନା । ଅଭିଯୁକ୍ତ ମହିଳାଙ୍କ ଘର ଜଗତସିଂହପୁର ତାରିକୁଣ୍ଡ ବଜାର ମଙ୍ଗୁଳି ଅଞ୍ଚଳରେ ବୋଲି ଜଣାପଡିଛି । ସେ ଭୁବନେଶ୍ବରର ଶହୀଦ ନଗରର ତାରିଣି ବସ୍ତିରେ ରହି ନିଜର ଲୁଟ୍ ଅପରେସନ ଚଳାଇଥିଲା । କେତେବେଳେ ବାଲିଅନ୍ତା ନିଛାଟିଆ ରାସ୍ତାରେ ତ କେତେବେଳେ ବାଲିପାଟଣା ରୋଡ଼ରେ ଲିଫ୍ଟ ଆଳରେ ଲୋକଙ୍କୁ ଲୁଟୁଥିଲା । ଲେଡି ଲୁଟେରା ଜଣକ ନିଜର ପରିଚୟ ମଧ୍ୟ ବଦଳାଉଥିଲା । ନିଜକୁ କେବେ ଉର୍ମିଳା ମଲ୍ଲିକ, ପୁଣି କେବେ ଉଷାରାଣୀ ବାରିକ ଓ ମାଆ ବୋଲି ପରିଚୟ ଦେଉଥିଲା । ସମ୍ପୃକ୍ତ ଲେଡି ଲୁଟେରାଙ୍କ ବିରୋଧରେ ପଦିଆ ଦାସ ନାମକ ଜଣେ ବ୍ୟକ୍ତି ପାହାଳ ଥାନାରେ ଅଭିଯୋଗ କରିଥିଲେ । ପଦିଆ ପେଶାରେ ଏକ ଘରୋଇ କମ୍ପାନିରେ ଟେକ୍ନିସିଆନ ଭାବେ କାମ କରନ୍ତି । ସେ ଗତ ୩ ତାରିଖ ବିଳମ୍ବିତ ରାତିରେ ନିଜର ଦୁଇ ମାସର ଦରମା ଟଙ୍କା ନେଇ ଘରକୁ ଫେରୁଥିଲେ । ପାହାଳ ଛକ ଜଗନ୍ନାଥ ମନ୍ଦିର ପାଖରେ ଏହି ମହିଳା ଜଣକ ତାଙ୍କୁ ଲିଙ୍ଗ ମାଗିଥିଲେ । ଏତେ ରାତିରେ ଜଣେ ମହିଳାଙ୍କୁ ସେ ଏକୁଟିଆ ଦେଖୁ ଲିଫ୍ଟ ଦେଇଥିଲେ । ମହିଳା ଜଣକ ତାଙ୍କ ଗାଡ଼ିରେ ବସି କିଛି ବାଟ ଯିବା ପରେ ଗାଡି ଅଟକାଇବାକୁ କହିଥିଲେ । ସେ ଜଣେ ଅଣ୍ଡରକଭର ଲେଡି ପୋଲିସ ଅଫିସର ଏବଂ ରାତିରେ ମହିଳାଙ୍କ ସହ ହେଉଥିବା ଅପରାଧ ରୋକିବାକୁ ସେ ବୁଲୁଛନ୍ତି ବୋଲି କହିଥିଲେ । ଏହାପରେ ବ୍ୟାଗରେ କ’ଣ ଅଛି ଦେଖାଇବାକୁ ପଦିଆଙ୍କୁ କହିଥିଲେ । ବ୍ୟାଗ ଚେକ୍ କରିବାକୁ ନେଇ ସେଥ୍‌ରେ ପୂବା ୩୫ ହଜାର ଟଙ୍କା ନେଇଯାଇଥିଲେ ଓ ତୋ କଥା ପରେ ବୁଝାହେବ କହି ସେଠାରୁ ଛୁ’ ମାରିଥିଲେ । ବ୍ୟକ୍ତି ଜଣକ ପୁଣି ସେହି ମହିଳାଙ୍କୁ ଲକ୍ଷେଶ୍ବର ମନ୍ଦିର ପାଖେ ଲିଫ୍ଟ ମାଗୁଥିବା ଦେଖୁ ପିସିଆରକୁ ଫୋନ କରିଥିଲେ । ମହିଳା ଜଣକ ତାଙ୍କୁ ଦେଖୁ ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କାବୁ କରିଥିଲା । ଥାନାକୁ ଆଣି ପଚରାଉଚରା କରିବା ପରେ ସେ ଏଭଳି ଲିଫ୍ଟ ମାଗି ଲୁଟପାଟ୍‌ କରୁଥିବା ଜଣାପଡିଛି । ଏନେଇ ତାଙ୍କୁ ଗିରଫ କରାଯାଇ ଆଇପିସିର ଧାରା ୪୧୯/୩୯୨ରେ କୋର୍ଟ ଚାଲାଣ କରାଯାଇଛି । ଏହି ଲେଡି ଲୁଟେରା ଜଣକ ମୁଖ୍ୟତଃ ବିଭିନ୍ନ ମନ୍ଦିର କଡ଼ରେ ଠିଆ ହେଉଥିଲା । ଯଦ୍ବାରା ସେ ସତରେ ଲିଫ୍ଟ ଆବଶ୍ୟକ କରୁଥିବାର ଲୋକେ ବିଶ୍ବାସ କରୁଥିଲେ । ତେବେ ତାଙ୍କ ବିରୋଧରେ ପୂର୍ବରୁ ଆଉ କିଛି କେସ୍ ରହିଛି ନାହିଁ ପୋଲିସ ତାହାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *