ରାହୁଲ ଡ୍ରାଭିଡ୍‌ଙ୍କ ସ୍ଥାନରେ ଭାରତର କୋଚ୍‌ ହେବେ ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତର ପୂର୍ବତନ ବ୍ୟାଟର ତଥା ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ର ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ମିଳିବ ବଡ଼ ଦାୟିତ୍ୱ। ଆସନ୍ତାମାସ ଶେଷ ଭାଗରେ ସେ ଭାରତୀୟ ଟିମ୍‌ ସହ ମୁଖ୍ୟ କୋଚ୍‌ ଭାବେ ଆୟର୍ଲ୍ୟାଣ୍ଡ ଗସ୍ତ କରିବେ। ଏଠାରେ ଟିମ୍‌ ଇଣ୍ଡିଆ ଜୁନ୍‌ ଶେଷ ଭାଗରେ ୨ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହି ସମୟରେ ଭାରତୀୟ ଟିମ୍‌ କୋଚ ଭାବେ ଲକ୍ଷ୍ମଣ କାର୍ଯ୍ୟ କରିବେ। ବର୍ତ୍ତମାନ ଭାରତୀୟ ଟିମ୍‌ ମୁଖ୍ୟ କୋଚ୍‌ ହେଉଛନ୍ତି ରାହୁଲ ଡ୍ରାଭିଡ। କିନ୍ତୁ ସେ ଆୟର୍ଲ୍ୟାଣ୍ଡ ଯିବେ ନାହିଁ। ଏଥିପାଇଁ ଲକ୍ଷ୍ମଣ ଦଳ ସହ ସେଠାକୁ ଯିବେ।

ଜୁନ୍‌ ଶେଷ ଭାଗରେ ଭାରତର ଗୋଟିଏ ଟିମ ଟି-୨୦ ଖେଳିବାକୁ ଆୟର୍ଲ୍ୟାଣ୍ଡ ଗସ୍ତରେ ଯିବାକୁ ଥିବା ବେଳେ ଆଉ ଗୋଟିଏ ଟିମ୍‌ ଇଂଲଣ୍ଡ ଯିବ। ଯେଉଁ ସମୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ ପ୍ରାୟ ସମାନ ସମୟରେ ଭାରତୀୟ ଟେଷ୍ଟ ଟିମ୍‌ ଇଂଲଣ୍ଡର କାଉଣ୍ଟୀ ଟିମ୍‌ Leicestershire ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଡ୍ରାଭିଡ ଟେଷ୍ଟ ଟିମ୍‌ ସହ ଇଂଲଣ୍ଡରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ କରୋନା ପାଇଁ ଅଧାରୁ ବନ୍ଦ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ ଭାରତ ଜୁଲାଇ ୧ରୁ ୫ ଯାଏ ଖେଳିବ। ତେଣୁ ଏହି ମ୍ୟାଚ୍‌ର ପ୍ରସ୍ତୁତ ପାଇଁ ଡ୍ରାଭିଡ ଟେଷ୍ଟ ଟିମ ସହ ରହିବେ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଲକ୍ଷ୍ମଣଙ୍କୁ ଆୟର୍ଲ୍ୟାଣ୍ଡ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ସହ ପଠାଇବ ବୋଲି ଜଣାପଡ଼ିଛି।

ଆଇପିଏଲ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ସହ ଜୁନ୍ ୯ରୁ ୧୯ ଯାଏ ୫ଟିକିଆ ଟି-୨୦ ସରିଜ୍ ଖେଳିବ। ଏହାପରେ ଟିମ୍‌ ଆୟର୍ଲ୍ୟାଣ୍ଡ ଗସ୍ତ କରିବ। ସେଠାରେ ଭାରତ ୨୬ ଓ ୨୮ ତାରିଖରେ ଟି-୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ, ପରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ। ସୂଚନାଯୋଗ୍ୟ, ଅଧାରୁ ବନ୍ଦ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ଯଦି ଭାରତ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଶେଷ ଟେଷ୍ଟକୁ ଡ୍ର କିମ୍ବା ଜିତି ନେବ, ତା’ହେଲେ ନୂଆ ଇତିହାସ ସୃଷ୍ଟି କରିବ। କାରଣ ୨୦୦୭ ପରେ ଭାରତ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିନାହିଁ। ଡ୍ରାଭିଡଙ୍କ କ୍ୟାପ୍ଟେନ୍ସିରେ ଭାରତ ଶେଷଥର ପାଇଁ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ ଜିତିଥିଲା।

Leave a Reply

Your email address will not be published. Required fields are marked *