ଆସନ୍ତାକାଲି ମଧ୍ୟାହ୍ନ ୧ ଟାରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ସୋମବାର ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ୧ ଟା ପରେ www.bseodisha.in ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଦେଖିପାରିବେ ।

ଦୀର୍ଘ ୨ ବର୍ଷ କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିଲା । ଛାତ୍ରଛାତ୍ରୀ ଅଫଲାଇନ ବଦଳରେ ଅନଲାଇନରେ ପରୀକ୍ଷା ଦେଉଥିଲେ । କିନ୍ତୁ ଚଳିତ ବର୍ଷ ସଂକ୍ରମଣ ଟିକେ କମିବା ପରେ ପୁଣି ଅଫଲାଇନ୍ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ରେ ସରିଥିଲା ମାଟ୍ରିକ ପରୀକ୍ଷା । ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟର ୩୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ । ମୂଲ୍ୟାଙ୍କନ ପ୍ରକ୍ରିୟା ମେ ୨୧ ରୁ ୫୮ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଆରମ୍ଭ ହୋଇଥିଲା । ସବୁକିଛି ସୁଚାରୁରୂପେ ସରିଥିବା ବେଳେ ୬ ତାରିଖ ଅର୍ଥାତ୍ ଆସନ୍ତାକାଲି ମାଟ୍ରିକ ଫଳାଫଳ ବାହାରିବ । ରେଜଲ୍ଟ ପ୍ରକାଶକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ସେହିପରି ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ । ଏନେଇ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନାହିଁ । ଖୁବ୍ ଶୀଘ୍ର ଏନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ ।

Leave a Reply

Your email address will not be published. Required fields are marked *