ମୋବାଇଲ୍‌ରେ ଗେମ୍‌ ଖେଳିବାକୁ ନେଇ ୭ମ ଶ୍ରେଣୀ ଛାତ୍ରକୁ ହତ୍ୟାକଲେ ୨ ସାଙ୍ଗ

କୋରାପୁଟ : ତିକ୍ତ ହେଉଛି କୋମଳ ବୟସର ସମ୍ପର୍କ । ଯେଉଁ ବୟସରେ ଗାଁ ଦାଣ୍ଡରେ ଧୂଳି ଖେଳିବା କଥା, ସେହି ବସୟରେ ଖେଳୁଛନ୍ତି ରକ୍ତର ହୋଲି ! ସାମାନ୍ୟ ମୋବାଇଲ୍‌ରେ ଗେମ୍‌ ଖେଳିବାକୁ ନେଇ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ତାଙ୍କର ଦୁଇ ସାଙ୍ଗ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଛନ୍ତି। ମହାବିଷୁବ ସଂକ୍ରାନ୍ତିରେ ଏପରି ହୃଦୟବିଦାରକ ଘଟଣା କୋରାପୁଟ ସଦର ଥାନା ଅଞ୍ଚଳରେ ଘଟିଛି।

କୋରାପୁଟ ଟାଉନ୍‌ ଥାନା ମସିପୁଟ ଗାଁର ପୀତବାସ ଭୋଇଙ୍କ ପୁଅ ଲୁଲୁ(୧୨) ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ଗୁରୁବାର ମହାବିଷୁବ ସଂକ୍ରାନ୍ତି ପାଇଁ ବନ୍ଦ ରହିଥିଲା ସ୍କୁଲ୍‌। ସେଥିପାଇଁ ଲୁଲୁ ଘରୁ ଯାଇ ସ୍କୁଲ ପାଖରେ ବସି ମୋବାଇଲ୍‌ରେ ଗେମ୍‌ ଖେଳୁଥିଲେ। ଅପରାହ୍ନ ପ୍ରାୟ ୫ଟାରେ ଦୁଇ ସାଙ୍ଗ ସେଠାକୁ ଆସିଥିଲେ। ଗେମ୍‌ ଖେଳିବା ପାଇଁ ସେମାନେ ଲୁଲୁକୁ ମୋବାଇଲ୍‌ ମାଗିଥିଲେ।

ଲୁଲୁ ସେମାନଙ୍କୁ ମୋବାଇଲ୍‌ ଦେଇନଥିଲେ। ଯାହାଫଳରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା। ଏହାରି ଭିତରେ ଲୁଲୁଙ୍କୁ ତାଙ୍କର ଦୁଇ ସାଙ୍ଗ ମାଡ଼ ମାରିଥିଲେ। ଏହା ପରେ ତାଙ୍କୁ ପଥରରେ ଆକ୍ରମଣ କରିଥିଲେ। ଫଳରେ ରକ୍ତାକ୍ତ ହୋଇ ଚେତା ହରାଇ ତଳେ ପଡ଼ି ଯାଇଥିଲେ ଲୁଲୁ। ଆଉ ଉଠି ପାରିନଥିଲେ।

ଲୁଲୁ ମରିଯାଇଥିବା ଭାବି ଦୁଇ ସାଙ୍ଗଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। କ’ଣ କରିବେ ଭାବି ସଞ୍ଜ ନଇଁଲା ପରେ ଲୁଲୁଙ୍କୁ ଘୋଷାରି ଘୋଷାରି ନେଇ ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ। ତା’ପରେ ସୁନା ପିଲାଙ୍କ ପରି ଘରକୁ ଚାଲି ଯାଇଥିଲେ ଦୁଇସାଙ୍ଗ। ଅନ୍ୟପକ୍ଷରେ ଲୁଲୁ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ତାଙ୍କ ପତ୍ତା ପାଇନଥିଲେ।

ଆଜି ସକାଳେ ଲୁଲୁଙ୍କ ମୃତଦେହ ନଦୀ କୂଳରେ ଭାସୁଥିବା ଦେଖିବାକୁ ପାଇଲେ ପରିବାର ଲୋକେ। ଏନେଇ କୋରାପୁଟ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଲୁଲୁଙ୍କୁ ହତ୍ୟା କରାଯାଇଥିବା ସୁରାଗ ପାଇଥିଲା। ଏହା ପରେ ଘଟଣାର ଫ୍ଲାସ୍‌ବ୍ୟାକୁ ଯାଇଥିଲା ପୁଲିସ୍‌।

ଗୁରୁବାର ଲୁଲୁ କଣ କରୁଥିଲେ? କେଉଁଠିକି ଯାଇଥିଲେ? କେତେବେଳେ ଯାଇଥିଲେ? ତାଙ୍କ ସାଙ୍ଗରେ ଆଉ କେଉଁମାନେ ଥିଲେ? ଏମିତି ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଲୁଲୁର ଦୁଇ ସାଙ୍ଗ ଉପରକୁ ଯାଇଥିଲା ପୁଲିସ୍‌ ସନ୍ଦେହୀ ଆଖି। ପରେ ସେମାନଙ୍କୁ ଜେରା କରିବାରୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହି ମାମଲାରେ ପୁଲିସ୍‌ ଲୁଲୁଙ୍କ ଦୁଇ ସାଙ୍ଗଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୁଲିସ୍‌।

Leave a Reply

Your email address will not be published. Required fields are marked *