ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସରିନି ହେଲେ ସାବେରୀ ନଦୀରେ ଭାସିଗଲେ ୨ ପୁଅ

ବୈପାରିଗୁଡା: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଠାରେ ଏକ ଅଭାବନୀୟ ଘଟଣା କ୍ରମରେ ସାବେରୀ ନଦୀରେ ବୁଡ଼ି ଦୁଇ ଭାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ରାମଗିରି ପୁଲିସଙ୍କ କହିବା ଅନୁଯାୟୀ, ଜୟପୁର ଇରିଗେସନ କୋଲୋନିର ଦୁଇଟି ପରିବାର ଆଜି ଦୁଇଟି ବୋଲେରୋ ଯୋଗେ ଗୁପ୍ତେଶ୍ୱରଙ୍କ ଦର୍ଶନ ନିମନ୍ତେ ଯାଇଥିଲେ। ତେବେ ଆଦିତ୍ୟ ସ୍ବାଇଁ (୨୦) ଏବଂ ସୁମିତ୍ ସ୍ବାଇଁ (୧୬) ତାଙ୍କ ବାପା ସନ୍ତୋଷ ସ୍ବାଇଙ୍କ ଦେହାନ୍ତ ହେବାର ଏକ ବର୍ଷ ପୂରି ନଥିବାରୁ ମନ୍ଦିର ଭିତରକୁ ନଯାଇ ସାବେରୀ ନଦୀ କୂଳରେ ପହଞ୍ଚିଥିଲେ। ସେମାନଙ୍କ ସହିତ ଛୋଟ ବାଳକ ଟିଏ ମଧ୍ୟ ଥିଲା।

ତେବେ ଆଦିତ୍ୟ ଏବଂ ସୁମିତ ନଦୀରେ ଗାଧୋଇବା ସହ ପହଁରୁଥିବା ବେଳେ ହଠାତ୍ ଭାସିଗଲେ। ସେମାନେ ଦେଖାନଯିବାରୁ ବାଳକ ଦୌଡି ଯାଇ ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ବହୁ ଖୋଜାଖୋଜି କରିଥିଲେ। ଶେଷରେ ରାମଗିରି ପୁଲିସ ଏବଂ ବୈପାରିଗୁଡା ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବାହିନୀର ଷ୍ଟେସନ ଅଫିସର୍ କୁଶ ନାୟକ, ଗାଡ଼ି ଚାଲକ ଅଚ୍ୟୁତ ଓରାମ, ସାଗର କୁମାର ଜେନା, ପିଏନ୍ ଭୋଇ, ଏସ.ଡି. ଶବର ନଦୀ ଭିତରକୁ ଯାଇ ବହୁ ସମୟ ଧରି ଖୋଜିବା ପରେ ବି ଉଭୟଙ୍କ ସଂଧାନ ପାଇନଥିଲେ। ସନ୍ଧ୍ୟା ହୋଇଯିବା ଫଳରେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା। ଆସନ୍ତାକାଲି ଓଡ୍ରାଫ ଟିମଙ୍କ ସହାୟତା ନିଆଯିବ ବୋଲି ପୋଲିସ ପକ୍ଷରୁ ପ୍ରକାଶ।

Leave a Reply

Your email address will not be published. Required fields are marked *