୫୩ ବର୍ଷ ପରେ ନାସାର ମାନବ ମିସନ ଆର୍ଟେମିସ୍-୨ ଚନ୍ଦ୍ରକୁ ମଣିଷ ପଠାଇବାରେ ନାସାର ସଫଳତା
ଫ୍ଲୋରିଡା: ୫୩ ବର୍ଷ ପରେ ନାସାର ମାନବ ମିସନ ଆର୍ଟେମିସ୍-୨ ଚନ୍ଦ୍ରରେ ପହଞ୍ଚି ଇତିହାସ ରଚିଛି। ନାସାର ଆର୍ଟେମିସ୍-୨ ମିସନ୍ରେ ଥିବା ଚାରି ଜଣ ମହାକାଶଚାରୀ ସୋମବାର ସକାଳେ ଚନ୍ଦ୍ରର ଗୁରୁତ୍ୱାକର୍ଷଣର ପ୍ରଭାବ କ୍ଷେତ୍ରରେ ପ୍ରବେଶ କରିଥିଲେ। ନାସାର ଆର୍ଟେମିସ୍ କାର୍ଯ୍ୟକ୍ରମର ପ୍ରଥମ କ୍ରୁ ପରୀକ୍ଷଣ ଉଡ଼ାଣରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ମହାକାଶଚାରୀମାନେ ଚନ୍ଦ୍ରର ଅନ୍ଧକାରମୟ ଦୂର ପାର୍ଶ୍ୱରୁ ପ୍ରାୟ ୪୦୦୦ ମାଇଲ୍ ଉପରେ ଉଡ଼ିବେ। ସେଠାରୁ ପୃଥିବୀ ସେମାନଙ୍କୁ ଏକ ବାସ୍କେଟବଲ ଆକାରର ଦେଖାଯିବ। ଚନ୍ଦ୍ର ଚାରି ପାଖରେ ବୁଲିବା ସମୟରେ ଚାରି ମହାକାଶଚାରୀ ପ୍ରାୟ ୪୦ ମିନିଟ୍ ଧରି ପୃଥିବୀ ସହିତ ସମ୍ପର୍କ ହରାଇବେ।
ଏପ୍ରିଲ୍ ୬ ତାରିଖରେ ନାସାର ଫ୍ଲୋରିଡାର କେନେଡି ସ୍ପେସ୍ଷ୍ଟେସନରୁ ଓରିଅନ୍ କ୍ୟାପ୍ସୁଲ୍ରେ ବସି ନାସାର ମହାକାଶଚାରୀ ରିଡ୍ ୱାଇଜ୍ମ୍ୟାନ୍, ଭିକ୍ଟର ଗ୍ଲୋଭର ଓ କ୍ରିଷ୍ଟିନା କୋଚ୍, କାନାଡା ମହାକାଶଚାରୀ ଜେରେମି ହାନସେନ୍ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ। ଚାରି ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪,୦୬,୭୭୩ କିଲୋମିଟର ଦୂରରେ ପହଞ୍ଚି ସବୁଠାରୁ ଦୂର ମାନବ ମହାକାଶ ଯାତ୍ରାର ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି। ୧୯୭୦ ମସିହାର ଆପୋଲୋ ୧୩ ମିସନଠାରୁ ୨୫୦୦ କିମି ଅଧିକ ଆଗକୁ ଯିବାକୁ ଆର୍ଟେମିସ୍ ଲକ୍ଷ୍ୟ ରଖିଛି। ଆର୍ଟେମିସ୍-୨ ମିସନ୍ ଶେଷ କରିବା ପରେ ପୃଥିବୀକୁ ଫେରିଆସିବ।
ପ୍ରତ୍ୟାବର୍ତ୍ତନ ପାଇଁ ଏକ ପୃଥକ୍ ଇଞ୍ଜିନ ଯୋଡ଼ିବାର ଆବଶ୍ୟକତା ନାହିଁ। ଯଦି ମିସନ୍ ମଧ୍ୟରେ ଓରିଅନର ମୁଖ୍ୟ ପ୍ରପଲସନ ପ୍ରଣାଳୀ ସମ୍ପୂର୍ଣ୍ଣ ବିଫଳ ହୁଏ, ତଥାପି କ୍ରୁ ସୁରକ୍ଷିତ ଭାବରେ ପୃଥିବୀକୁ ଫେରି ଆସିବେ। ଆର୍ଟେମିସ୍-୨ରେ ଥିବା ମହାକାଶଚାରୀମାନେ ମହାଜାଗତିକ ବିକିରଣ ସ୍ତରର ସାମନା କରିବେ। ଏହି ପରିବେଶ ପ୍ରତି କ୍ରୁଙ୍କ ଶରୀର କିପରି ପ୍ରତିକ୍ରିୟା ପ୍ରକାଶ କରୁଛି ତାହା ଉପରେ ନଜର ରଖିବା ସମଗ୍ର ମିସନ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ମଧ୍ୟରୁ ଗୋଟିଏ। ମିସନ୍ ଶେଷରେ ଯେତେବେଳେ ଓରିଅନ୍ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବ, ସେତେବେଳେ ଏହା ପ୍ରାୟ ଘଣ୍ଟା ପ୍ରତି ୪୦,୨୦୦ କିଲୋମିଟର ବେଗରେ ଯାତ୍ରା କରିବ, ଯାହା ପୃଥିବୀକୁ ଫେରିଥିବା ଯେକୌଣସି କ୍ରୁ ମହାକାଶଯାନ ଅପେକ୍ଷା ଦ୍ରୁତଗତି ହେବ।