ଭୁବନେଶ୍ବରରେ ଡବଲ ମର୍ଡର ; ନାବାଳକ ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର କଳିଙ୍ଗ ନଗର ଅଞ୍ଚଳରେ ଏକ ଡବଲ ମର୍ଡର ଘଟିଛି । ନିଜ ପୁଅ ଓ ସ୍ତ୍ରୀକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗ ନଗର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ସାରା ସହର ଧନତେରସ ପର୍ବ ପାଇଁ ଚଳଚଞ୍ଚଳ ଥିବା ବେଳେ କଳିଙ୍ଗ ନଗର ଅଞ୍ଚଳରେ ଏମିତି ଘଟଣା ଘଟିଥିବା ସୂଚନା ପାଇଥିଲା ପୋଲିସ । ଖବର ପାଇ କଳିଙ୍ଗ ନଗରର କେ-୪ ଅଞ୍ଚଳରେ ଥିବା ଏକ ଘରେ ପହଞ୍ଚି ବେଡ ରୁମରେ ଜଣେ ମହିଳା ଓ ତାଙ୍କ ନାବାଳକ ପୁଅର ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲା ତମାଣ୍ଡୋ ପୋଲିସର ଏକ ଟିମ୍‌

ମହିଳାଙ୍କ ଶବ ବେଡ ରୁମ୍‌ ଚଟାଣରେ ତଳକୁ ମୁହଁ ମାଡ଼ି ପଡ଼ିଥିଲା ଓ ତାଙ୍କ ଆଠ-ନଅ ବର୍ଷ ବୟସର ପୁଅର ଶବ ପଲଙ୍କ ଉପରେ ତଳକୁ ମୁହଁ ମାଡ଼ି ପଡ଼ିଥିଲା । ମୃତା ମହିଳାଙ୍କ ପରିଚୟ ସ୍ୱର୍ଣ୍ଣଲତା ମଙ୍ଗରାଜ ଓ ତାଙ୍କ ମୃତ ପୁଅ କାହ୍ନା ବୋଲି ଜଣା ପଡ଼ିଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ସ୍ୱର୍ଣ୍ଣଲତାଙ୍କ ସ୍ୱାମୀ ଅବନ୍ତି ମଙ୍ଗରାଜ ତାଙ୍କୁ ଓ ପୁଅ କାହ୍ନାକୁ ତଣ୍ଟି ଚିପି ହତ୍ୟା କରିବା ପରେ ଘରୁ ପଳାଇଯାଇଥିବା ସୂଚନା ପୋଲିସକୁ ମିଳିଥିଲା । ହେଲେ ଡି.ସି.ପି. ଉମାଶଙ୍କର ଦାଶ ଭୁବନେଶ୍ୱରର ସବୁ ଥାନାକୁ ଆଲର୍ଟ କରି ତାକୁ ଧରିବା ପାଇଁ ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅବନ୍ତି ମଙ୍ଗରାଜ ଅଳ୍ପ କିଛି ସମୟ ମଧ୍ୟରେ ଧରାପଡ଼ିଯାଇଥିଲା

‘‘ଜଣେ ମହିଳା ଓ ତାଙ୍କ ପୁଅର ମୃତ ଦେହ ତାଙ୍କ ଘର ଭିତରୁ ମିଳିଛି । ତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ପ୍ରମାଣ ଜୁଟାଇଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମାଶଙ୍କର ଦାଶ |

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଅଭିଯୁକ୍ତ ସ୍ୱାମୀ ଅବନ୍ତୀ ପଚରାଉଚରା ବେଳେ ସ୍ୱୀକାର କରିଛି ଯେ ସେ ହିଁ ନିଜେ ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରିଛି । ହେଲେ ଏହି ଜଘନ୍ୟ କାଣ୍ଡର କାରଣ ସଠିକ୍‌ ରୂପେ ଜଣା ପଡ଼ି ନ ଥିବା କହିଛନ୍ତି ତଦନ୍ତକାରୀ ଟିମର ଜଣେ ଅଧିକାରୀ ।

କେତେକ ପଡ଼ୋଶୀଙ୍କ କହିବା ଅନୁସାରେ ଅବନ୍ତୀ ମଙ୍ଗରାଜ ନିୟମିତ ମଦ୍ୟପାନ କରୁଥିଲେ ଓ ମଦ ନିଶାରେ ସେ ନିଜ ସ୍ତ୍ରୀଙ୍କୁ ଅତ୍ୟାଚାର ଦେଉଥିଲେ । ସ୍ତ୍ରୀ ଓ ପୁଅକୁ ହତ୍ୟା କରିବା ପରେ ଅବନ୍ତୀ ନିଜ ଭଣାଜାକୁ ଫୋନ୍‌ କରି ହତ୍ୟା କରିଥିବା ବିଷୟରେ କହିଥିଲେ ବୋଲି ବି କୁହାଯାଉଛି ।

ଏହି ଘଟଣାର ଖବର ପ୍ରଚାରିତ ହେବା ପରେ କଳିଙ୍ଗ ନଗରର ସେହି ଘରେ ଅନେକ ଲୋକ ରୁଣ୍ଡ ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅବନ୍ତି ମଙ୍ଗରାଜ ନିଜ ପରିବାର ସହ ବେଶ୍‌ କିଛି ବର୍ଷ ଧରି କଳିଙ୍ଗ ନଗର ଅଞ୍ଚଳରେ ରହୁଥିଲେ, କିନ୍ତୁ ଏହି ଘରକୁ ସେମାନେ ପ୍ରାୟ ସାତ ମାସ ତଳେ ଆସି ରହୁଥିଲେ ।

Leave a Reply

Your email address will not be published. Required fields are marked *