ଭୁବନେଶ୍ୱରର ଖାରବେଳନଗର ଥାନା ପୋଲିସ ୭ ଲକ୍ଷରୁ ଅଧିକ ଟଙ୍କାର ୨୦୦ ଟଙ୍କିଆ ନକଲି ନୋଟ୍ ଜବତ , ଦୁଇ ଜଣ ଅଟକ

ଭୁବନେଶ୍ୱର : ଲୋଭ ହେଲା କାଳ। କୋଚିଂ ସେଣ୍ଟର କରି ପରିବାର ଚଳାଉଥିବା ବ୍ୟକ୍ତି ଅଧିକ ଟଙ୍କା ଉପାର୍ଜନ ଆଶାରେ ଜାଲ ନୋଟ କଲେ। ଏପରିକି ୨ଶହିଆ ବଣ୍ଡଲ କରି ଲୋକଙ୍କୁ ଠକୁଥିବା ବେଳେ ଆଗକୁ ୫ ଶହ ଟଙ୍କିଆ ନୋଟ ବି କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ ପ୍ରିଣ୍ଟ। ହେଲେ ଏହା ପୂର୍ବରୁ ମାଡ଼ି ବସିଛି ପୁଲିସ୍‌। ପୁଲିସ୍‌ ଜାଲ ନୋଟ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ସତ୍ୟ ନାରାୟଣ ପୃଷ୍ଟି ଓ ଭୋଲା ପ୍ରଧାନ ।

ସତ୍ୟ ନାରାୟଣ କୋଚିଂ ସେଣ୍ଟର କରି ଚଳୁଥିବା ବେଳେ ଚାକିରି ନାଁରେ ଯୁବକଯୁବତୀଙ୍କୁ ଠକୁଥିଲେ। ସେ ୨୦୨୦ ମସିହାରୁ ଏହି କାମ କରି ଆସୁଥିବା ବେଳେ ଧରା ପଡ଼ି ନ ଥିଲେ। ହେଲେ କିଛି ଦିନ ପୂର୍ବେ ସେ ଭୁଲା ପ୍ରଧାନ ନାମକ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁଲା ଆନ୍ଧ୍ରପ୍ରଦେଶରେ ରହି ଜାଲ ନୋଟ କରିବା କିଛି କିଛି ଶିଖିଥିଲା। ଏହାପରେ ୟୁଟ୍ୟୁବ, ଗୁଗଲରୁ ଆହୁରି ଅଧିକ ଶିଖିଥିଲା।

ଏହାପରେ ଉଭୟ ସତ୍ୟ ନାରାୟଣ ଓ ଭୁଲା ଜାଲ ନୋଟ କାରବାର କରିବାକୁ ଜାଲ ବିଛାଇଲେ। ସେମାନେ ପ୍ରିଣ୍ଟର, କଲର, ପେପର ଆଜି ସରଞ୍ଜାମ କିଣି ଜାଲ ନୋଟ ଛାପିଲେ। ପ୍ରଥମେ ୨ ଶହ ଟଙ୍କିଆ ନୋଟ ଛାପୁଥିବା ବେଳେ କିଛି ଦିନ ପରେ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ ଛାପିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ ଉଭୟ କମିଶନରେଟ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖାରବେଳନଗର ଥାନା ପୁଲିସ୍‌ ଆଜି ଉଭୟଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ଜବତ ହୋଇଛି ୭ ଲକ୍ଷ ଟଙ୍କାର ଜାଲ ନୋଟ। ଜବତ ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ବୋଲି ସୂଚନା ମିଳିଛି । ଲୋକଙ୍କୁ ଠକି ଅସଲି ନୋଟ ଏକ୍ସଚେଞ୍ଜ କରିବା ବଦଳରେ ସେମାନଙ୍କୁ ଉଭୟ ଏହି ଜାଲ ନୋଟ ଦେଉଥିଲେ। ଏପରି କରି ଜଣେ ବ୍ୟକ୍ତିଙ୍କଠାରୁ ୩ ଲକ୍ଷ ୭୫ ହଜାର ଏକ୍ସଚେଞ୍ଚ କରାଇଥିବା ବେଳେ ଆଉ ଜଣଙ୍କୁ ୧୨ ଲକ୍ଷର ଚୁନ ମାରିଥିଲେ ।

ପ୍ରଥମେ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଟଙ୍କା ହଡ଼ପ କରୁଥିଲେ। ଏହାପରେ ୫ ଶହ ଟଙ୍କା, ୨ ହଜାର ଟଙ୍କିଆ ଏକ୍ସଚେଞ୍ କରି ନୂଆ ୨ ଶହ ଟଙ୍କିଆ ଦେବେ ବୋଲି କହି ବିପୁଳ ପରିମାଣର ଜାଲ ନୋଟ ଦେଇ ଅସଲି ନୋଟ ହାତଉଥିଲେ। ହେଲେ ଏହାପରେ ଆଉ ଧରାଛୁଆଁ ଦେଉ ନ ଥିଲେ।

ପୁଲିସ୍‌ ଘଟଣାର ଖୋଳତାଡ଼ କରି ନକଲି ନୋଟ ସହ ଉଭୟଙ୍କର ଗଞ୍ଜାମର ଜରଡ଼ା ଓ ବିଶାଖାପାଟଣାରେ ଥିବା ନକଲି ନୋଟ ତିଆରି ମେସିନ ଓ ଅନ୍ୟ ସରଞ୍ଜାମ ଜବତ କରିଛି। ଏଥିସହ ଏହି ଗ୍ୟାଙ୍ଗରେ କେବଳ ଏହି ୨ ଜଣ ନା ଆଉ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ପୁଲିସ୍‌।

Leave a Reply

Your email address will not be published. Required fields are marked *