ପାକିସ୍ତାନ ମସଜିଦରେ ଭୟଙ୍କର ବୋମା ବିସ୍ଫୋରଣ; ୧୭ ଜଣଙ୍କ ମୃତ୍ୟୁ, ୮୩ ଜଣ ଆହତ

ପେଶାଓ୍ବର : ପାକିସ୍ତାନର ପେଶାଓ୍ବରର ଏକ ସୁରକ୍ଷିତ ଅଂଚଳ ଭାବେ ପରିଚିତ ପୁଲିସ ଲାଇନ୍ସ ଅଂଚଳରେ ଥିବା ଏକ ମସଜିଦରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି । ଏଥିରେ ୧୭ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୮୩ ରୁ ଅଧିକ ଆହତ ହୋଇଛନ୍ତି ।

ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲେଡି ରେଡିଂ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ହସପିଟାଲର ମୁଖପାତ୍ର ମହମ୍ମଦ ଆସିମ କହିଛନ୍ତି ।

ପାକିସ୍ତାନୀ ଖବରକାଗଜ ‘ଦି ଡନ’ର ରିପୋର୍ଟ ଅନୁସାରେ ବିସ୍ଫୋରଣଟି ସ୍ଥାନୀୟ ସମୟ ଅପରାହ୍ଣ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଥିଲା । ବିସ୍ଫୋରଣ ବେଳେ ଲୋକମାନେ ମସଜିଦରେ ପ୍ରାର୍ଥନା କରୁଥିଲେ । କୋଠାର ଏକ ଅଂଶ ଭୁସୁଡ଼ିପଡ଼ିବାରୁ କିଛି ଲୋକ ତାହା ତଳେ ରହିଯାଇଥିଲେ ।

ଘଟଣା ସଂପର୍କରେ ଖବର ମିଳିବା ପରେ ସେଠାରେ ପୁଲିସ, ସେନା ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଅଂଚଳକୁ ପୁଲିସ ପକ୍ଷରୁ ନିଜ ନିୟନ୍ତ୍ରଣକୁ ନିଆଯାଇଛି ।

ବର୍ତ୍ତମାନସୁଦ୍ଧା ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଏହି ବିସ୍ପୋରଣ ପାଇଁ ଆଗରୁ ମସଜିଦରେ ବୋମା ଖଞ୍ଜା ଯାଇଥିଲା କିମ୍ବା ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ସେ ସଂପର୍କରେ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *