ସୁରେଖା ହତ୍ୟା ମାମଲାରେ ନୟାଗଡରୁ ଗିରଫ ହେଲେ ବୟଫ୍ରେଣ୍ଡ ଓ ଅନ୍ୟ ଦୁଇ ଜଣ

ଭରତପୁର ଥାନା ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ହତ୍ୟା ମାମଲା । ଯୁବତୀଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି । ଏହି ୩ ଜଣଙ୍କୁ ନୟାଗଡ଼ରୁ ଭରତପୁର ଥାନା ପୁଲିସ ଗିରଫ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ, ଶ୍ବାସରୁଦ୍ଧ ହେବାରୁ ସୁରେଖାଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଆପାତତଃ ସ୍ପଷ୍ଟ ହୋଇଛି । ମାତ୍ର ଶ୍ବାସରୁଦ୍ଧର କାରଣ ବାବଦରେ କିଛି ସ୍ପଷ୍ଟ ହୋଇନାହିଁ । ତେଣୁ ଶବ ବ୍ୟବଚ୍ଛେଦ କରିଥିବା ଭୁବନେଶ୍ବର ଏମ୍‌ସର ଏଫ୍‌ଏମ୍‌ଟି ବିଭାଗର ଏକ ଟିମ୍‌ ସୁରେଖାଙ୍କ ଭଡ଼ା ଘରକୁ ଆସି ତଦନ୍ତ କରି ଫେରିଛି । ଏହି ଟିମ୍‌ ସହିତ ପୁଲିସର ଫରେନ୍‌ସିକ୍ ଟିମ୍‌ ମଧ୍ୟ ସେଠାରେ ଉପସ୍ଥିତ ରହି ପୁଣି ଛାନ୍‌ଭିନ୍‌ କରିଛି ।

ସୁରେଖାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି । ସେହିଭଳି ସକାଳୁ ମୃତଦେହ ଜବତ ହେବା, ଭୋଜି କରୁଥିବା ପୁରୁଷବନ୍ଧୁ ଛୋଟୁ ଓ ତା’ ସାଙ୍ଗମାନେ ରାତାରାତି ଅନ୍ତର୍ଦ୍ଧାନ ହୋଇଯିବା ଘଟଣାଗୁଡ଼ିକ ସନ୍ଦେହ ବଢ଼ାଇଥିଲା । ପାରିପାର୍ଶ୍ବିକ ପରିସ୍ଥିତି ସବୁ ସିଧାସଳଖ ଛୋଟୁ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା । ମାତ୍ର ଅଢ଼େଇ ଦିନ ବିତିବା ପରେ ବି ପୁଲିସ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ କରୁନାହିଁ । ପୁଲିସର ଏହି ଅପରିପକ୍ବତା ଓ ଅପାରଗତା ତଦନ୍ତକୁ ନେଇ ମାଳମାଳ ପ୍ରଶ୍ନ ଉଠିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଜି ଚାଲିଥିବାରୁ ଓ ଛୋଟୁ ତା ସହଯୋଗୀମାନଙ୍କ ସହ ଭଡ଼ାଘର ଛାଡ଼ି ପଳାଇଥିବାରୁ ସେମାନଙ୍କୁ ସନ୍ଦେହ କରାଯାଉଥିଲା ।
ଅନ୍ୟପକ୍ଷରେ କାଳେ ସୁରେଖା କୌଣସି କଥାକୁ ଜିଦ୍ କରି ନିଜ ବେକରେ ନିଜେ ଓଢ଼ଣି ବାନ୍ଧିବାରୁ ଶ୍ବାସରୁଦ୍ଧ ହୋଇଛି, ତା’କୁ ନେଇ ସନ୍ଦେହ ରହିଛି । ତେବେ ଗୋଟିଏ କଥା ସ୍ପଷ୍ଟ ଯେ ସୁରେଖାଙ୍କ ମୃତ୍ୟୁ ବାବଦରେ ଛୋଟୁ ସମେତ ୩ ପୁରୁଷବନ୍ଧୁ ଅବଗତ ଥିଲେ। ଏମିତିକି ସେମାନେ ସୁରେଖାଙ୍କ ମୃତଦେହକୁ ତାଙ୍କୁ ଘରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସୂତ୍ର ମୁତାବକ ମଙ୍ଗଳବାର ସମସ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଉଠାଇଛି । ସେମାନଙ୍କୁ ଘନଘନ ଜେରା କରାଯାଇଛି । ହୁଏତ ସେମାନଙ୍କ କଥାରେ ତାଳମେଳ ନଥିବାରୁ ବା ସନ୍ଦେହ ହେବାରୁ ଆଜି ପୁଣି ପୁଲିସ ଡାକ୍ତରୀ ଦଳକୁ ନେଇ ସୁରେଖାଙ୍କ ଭଡ଼ା ଘରେ ଛାନଭିନ୍ କରିଛି । ପୁଲିସ ତଦନ୍ତ ଭିନ୍ନ ଦିଗକୁ ମଧ୍ୟ ସୂଚାଉଛି ବୋଲି ଅନୁମାନ କରାଯାଉଥିଲା ।

Leave a Reply

Your email address will not be published. Required fields are marked *