ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଚମ୍ପଇ ସୋରେନ। ରାଞ୍ଚିସ୍ଥିତ ରାଜଭବନରେ ଚମ୍ପଇଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ।

ହେମନ୍ତ ସୋରେନ ଗିରଫ ହେବାର ୨ ଦିନ ପରେ ଝାଡ଼ଖଣ୍ଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ତେବେ ଅନ୍ୟ ଦୁଇ ଜଣ ମଧ୍ୟ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ ଆରଜେଡି ବିଧାୟକ ସତ୍ୟାନନ୍ଦ ଭକ୍ତା ଓ କଂଗ୍ରେସ ବିଧାୟକ ଆଲାମଗିର ଆଲମ ।

ଆସନ୍ତା ୧୦ ଦିନ ଭିତରେ ଚମ୍ପଇ ସୋରେନଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ହେବ । ଝାଡ଼ଖଣ୍ଡ ବିଧାନସଭାରେ ୮୧ ଆସନ ଥିବା ବେଳେ ମ୍ୟାଜକ ନମ୍ବର ହେଉଛି ୪୧ । ତେବେ ନିଜ ପାଖରେ ୪୩ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଚମ୍ପଇ ସୋରେନ ।

ଆଜି ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କୁ ମିଶାଇ ୩ ଜଣ ଶପଥ ନେଇଥିବା ବେଳେ ଅନ୍ୟ ୩୮ ବିଧାୟକ ସଂଖ୍ୟା ଗରିଷ୍ଠତା ପ୍ରମାଣ ଯାଏ ହାଇଦ୍ରାବାଦରେ ରହିବେ । ଏଥିପାଇଁ ଦଳ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବହୁମତ ସାବ୍ୟସ୍ତ କରି ସାରିବା ପରେ ଚମ୍ପାଇ ସୋରେନ୍‌ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାଯାଇଛି।

ଅପରପକ୍ଷେ, ଜମି ଦୁର୍ନୀତି ମାମଲାରେ ବୁଧବାର ରାତିରୁ ଗିରଫ ହୋଇଥିବା ହେମନ୍ତ ସୋରନଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ଇଡି। ଏଥିନିମନ୍ତେ କୋର୍ଟ ଅନୁମତି ଦେଇ ସାରିଥିବା ଜଣାଯାଇଛି। ଅଧିକ ତଥ୍ୟ ହାସଲ ପାଇଁ ରିମାଣ୍ଡ ଅବଧିରେ ସୋରେନ୍‌ଙ୍କୁ ଇଡି ଗୁଡ଼ାଇତୁଡ଼ାଇ ପଚରାଉଚରା କରିବ ।

Leave a Reply

Your email address will not be published. Required fields are marked *