ମଦର ପକ୍ଷରୁ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : କର୍କଟକୁ ଭୟ କରନ୍ତୁ ନାହିଁ, ପରୀକ୍ଷା ସହ ଶୀଘ୍ର ଚିହ୍ନଟ ଏବଂ ତୁରନ୍ତ ଚିକିତ୍ସା ଆରମ୍ଭ କଲେ କର୍କଟକୁ ହରାଇ ପାରିବେ | ଏକଜୁଟ ହୁଅନ୍ତୁ, କର୍କଟ ବିରୁଦ୍ଧରେ ଲଢନ୍ତୁ, କର୍କଟ ରୋଗ ସହ ଜୀବନଯାପନ କରୁଥିବା ରୋଗୀ ଓ ସେମାନଙ୍କ ପରିବାରଙ୍କୁ ମାନସିକ ସମର୍ଥନ ଓ ଉତ୍ସାହ ପ୍ରଦାନ କରନ୍ତୁ | ଏଭଳି କିଛି ସଚେତନତାର ବାର୍ତ୍ତା ନେଇ ଆଜି ବିଶ୍ୱ କର୍କଟ ଦିବସ ଉପଲକ୍ଷେ ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଅଛି । କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ମାନେ କର୍କଟ ରୋଗ ବିଷୟରେ ସୂଚନାତ୍ମକ ପ୍ରଦର୍ଶନ କରିଥିଲେ |
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମଦର ଅନୁଷ୍ଠାନର ସମ୍ପାଦିକା ସସ୍ମିତା ଦାସ କହିଥିଲେ କି, ” କର୍କଟ ରୋଗ ଏକ ଭୟଙ୍କର ରୋଗ, କିନ୍ତୁ ଅନେକ ପ୍ରକାରର କର୍କଟ ପ୍ରାରମ୍ଭିକ ଅବସ୍ଥାରେ ଧରା ପଡ଼ିଲେ ସମ୍ପୂର୍ଣ୍ଣ ଭାବେ ଚିକିତ୍ସା ଯୋଗ୍ୟ। କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ, ଚିହ୍ନଟ ଓ ଚିକିତ୍ସା ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ସଚେତନ କରିବା ହେଉଛି ଆମର ଲକ୍ଷ୍ୟ | ବିଶେଷ କରି ଶୀଘ୍ର ରୋଗ ଚିହ୍ନଟ କରିବାର ଗୁରୁତ୍ୱ ଉପରେ ଆମେ ଲୋକଙ୍କୁ ସଚେତନ କରାଉଛୁ | ”
ମଦର ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ କହିଥିଲେ କି, ” କର୍କଟ ରୋଗ ସହ ଜୀବନଯାପନ କରୁଥିବା ରୋଗୀ ଓ ସେମାନଙ୍କ ପରିବାରଙ୍କୁ ମାନସିକ ସମର୍ଥନ ଓ ଉତ୍ସାହ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ | କାରଣ ଏହି ରୋଗ କେବଳ ଶାରୀରିକ କଷ୍ଟ ଦେଇନଥାଏ ଏହାଏ ମାନସିକ ଭାବେ ରୋଗୀ ଓ ତାର ପରିବାରକୁ ଭାଙ୍ଗିଦିଏ | ତେଣୁ ସମସ୍ତେ ଏକାଠି ହୋଇ ଏହି ଭୟଙ୍କର ରୋଗ ଉପରେ ଲୋକଙ୍କୁ ଯଥେଷ୍ଟ ସଚେତନ କରାଇଲେ ହିଁ ଏହାର ନିରାକରଣ ସମ୍ଭବ | ଆମର ଏହି ପ୍ରୟାସ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଏହି ରୋଗ ବିରୁଦ୍ଧରେ ଲଢ଼ିବାରେ ସହାୟକ ହେବ।”
ଏହି କାର୍ଯ୍ୟକ୍ରମରେ ମଦର ଅନୁଷ୍ଠାନର କର୍ମକର୍ତ୍ତା ପ୍ରଶାନ୍ତ ରାଉତରାୟ, ମଣ୍ଟୁ ମଲ୍ଲିକ, ଦିପ୍ତୀଶ୍ରୀ ନାୟକ, ନବକାନ୍ତି ମାଝୀ, ଜିଜ୍ଞାସା ମହନ୍ତ, ପ୍ରଭୁ ମହାନ୍ତି, ରାଜେଶ ମହାନ୍ତି, ଯଶସ୍ଵି ନାୟକ, ଆଲୋକ ବେହେରା , ବିଶିଷ୍ଟ ଶିକ୍ଷାବିତ୍ ପ୍ର. ମୋହିନୀକାନ୍ତ ମିଶ୍ର , କର୍କଟ ସହ ସଂଘର୍ଷ ଜାରୀ ରଖିଥିବା ସ୍ନେହା ଦାସ ଲେଙ୍କା ଙ୍କ ସମେତ ବହୁ ସାମାଜିକ କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ |