କଟକରେ ରିକ୍ସାବାଲା ନାଁରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି କରିଦେଲେ ବୃଦ୍ଧା ; ସମ୍ପର୍କ ଏକ ବିଶ୍ୱାସର

ଭୁବନେଶ୍ବର: ସମ୍ପତ୍ତି ପାଇଁ ବାପ-ପୁଅ ଓ ଭାଇ-ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ ରକ୍ତ ସଂପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି କଟକ ସହରର ସୂତାହାଟ ଅଞ୍ଚଳର ମିନତି ପଟ୍ଟନାୟକ ।

ମୀନତି ପଟ୍ଟନାୟକଙ୍କ ଘର ହେଉଛି କଟକ ସହରର ସୂତାହାଟରେ । ସମ୍ପର୍କର ନିଆରା ଉଦାହରଣ ସୃଷ୍ଟି କରି ଏବେ ଚର୍ଚ୍ଚାରେ କଟକର ଏହି ବରିଷ୍ଠ ନାଗରିକ । ୬ମାସ ଭିତରେ ଆଗପଛ ହୋଇ ସ୍ୱାମୀ ଓ ଝିଅ ଚାଲିଗଲା ପରେ, ବୟସର ଅପରାହ୍ନରେ ପହଞ୍ଚି ଥିବା ମିନତି, ଜଣେ ରିକ୍ସାବାଲାଙ୍କ ହାତକୁ କଟକ ସହରରେ ଥିବା ତିନି ମହଲା ବିଶିଷ୍ଟ ଘର, ଆସବାବପତ୍ର ଓ ସୁନାଗହଣା ଟେକି ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ କୋଟିଏରୁ ଅଧିକ ହେବ ବୋଲି କୁହାଯାଉଛି । ଆଉ ଜୀବନର ଶେଷ ପର୍ଯ୍ୟନ୍ତ ରିକ୍ସାବାଲାର ପରିବାର ସହ ରହିବା ପାଇଁ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ମିନତି ।

ସ୍ୱାମୀ ଓ ଝିଅ ଚାଲିଗଲା ପରେ ଯିଏ କଠିନ ସମୟରେ ଠିଆ ହୋଇଥିଲେ ସେ ଥିଲେ ରିକ୍ସାବାଲା । ସମ୍ପର୍କୀୟମାନେ ଆସି ଶାନ୍ତ୍ୱନା ଦେଇ ଚାଲିଯାଉଥିବା ବେଳେ ରିକ୍ସାବାଲା ପ୍ରତିଦିନ ମିନତିଙ୍କ ସୁଖଦଃଖରେ ପାଖରେ ଛିଡା ହୋଇଥିଲେ । ରିକ୍ସାବାଲା ସହ ମିନତିଙ୍କ ପରିବାରର ସମ୍ପର୍କ ଦୀର୍ଘ ୧୩ ବର୍ଷର । ଝିଅ ଯେତେବେଳେ ଛୋଟ ହୋଇଥିଲା ସେତେବେଳେ ସେ ସ୍କୁଲକୁ ନେଉଥିଲେ, ମିନତିଙ୍କୁ ଅଫିସକୁ ନେଉଥିଲେ । କାହାର ଦେହ ଖରାପ ହେଲେ ଦୁଆର ମୁହଁରେ ଆଗ ଆସି ଛିଡା ହେଉଥିବା ମଣିଷ ଥିଲା ରିକ୍ସାବାଲା । ରିକ୍ସାବାଲା ଓ ତାଙ୍କ ପରିବାରର ବ୍ୟବହାର ଓ ଯତ୍ନରେ ସନ୍ତୁଷ୍ଟ ହୋଇ ଶେଷରେ ସବୁ ସମ୍ପତିକୁ ଟେକି ଦେଇଛନ୍ତି ମିନତି । ଆଜିର ଦୁନିଆରେ ଯେଉଁଠି ଆପଣାର ଲୋକଙ୍କ ମୁହଁକୁ କେହି ଚାହୁଁ ନାହାଁନ୍ତି ସେଠି ସମ୍ପର୍କର ଏକ ନୂଆ ପରିଭାଷା ସୃଷ୍ଟି କରିଛନ୍ତି ମିନତି । ସ୍ନେହ ଶ୍ରଦ୍ଧା ଆଗରେ ସମ୍ପତ୍ତି ତୁଚ୍ଛ ବୋଲି ପ୍ରମାଣ କରିଦେଇଛନ୍ତି ସେ ।

Leave a Reply

Your email address will not be published. Required fields are marked *