କଟକ କୁତ୍ତାଖାଇ ଗଳିରେ ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ : ପୁଅ ଲାପ୍‌ଟପ୍‌ରେ ଥିଲା ଯୁବତୀଙ୍କ ଆପତ୍ତିଜନକ ଫଟୋ

କଟକ : ଲାପଟପ୍‌ ପାଇଁ ହୋଇଥିଲା ହତ୍ୟା। ଲାପ୍‌ଟପ୍‌ରେ ଥିଲା ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ। କୁତ୍ତାଖାଇ ହତ୍ୟା ଘଟଣାରେ ହୋଇଛି ଏହି ପର୍ଦ୍ଦାଫାସ। କମିଶନରେଟ୍‌ ପୁଲିସ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର।

ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ରହୁଥିଲେ ବି.ଗୁଣବତୀ। ତାଙ୍କଠାରୁ ଜଣେ ପଡ଼ୋଶୀ ୯୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ। ମାତ୍ର ଫେରାଉନଥିଲେ। ଏହାକୁ ନେଇ ଉଭୟ ପରିବାର ଭିତରେ ତିତ୍କତା ଲାଗି ରହିଥିଲା। ଅନ୍ୟପକ୍ଷରେ ଟଙ୍କା ଧାର ନେଇଥିବା ପଡ଼ୋଶୀଙ୍କ ଝିଅଙ୍କ କିଛି ଆପତ୍ତିଜନକ ଫଟୋ ବି.ଗୁଣବତୀଙ୍କ ପୁଅଙ୍କ ଲାପ୍‌ଟପରେ ଥିଲା। ତେଣୁ ସେହି ଲାପ୍‌ଟପ୍‌କୁ ନେବା ପାଇଁ ସମ୍ପୃକ୍ତ ପଡ଼ୋଶୀ ଚାହୁଁଥିଲେ। ହେଲେ ସମ୍ଭବ ହେଉନଥିଲା। ତେବେ ବି.ଗୁଣବତୀଙ୍କ ପୁଅର ଲାପ୍‌ଟପ ଆଣିବା ପାଇଁ ପଡ଼ୋଶୀ ସୁଦୀପ ଓ ସୁନୀଲଙ୍କୁ ନିୟୋଜିତ କରାଇଥିଲେ।

ଗତ ୧୫ ତାରିଖରେ ସୁଦୀପ ଓ ସୁନୀଲ୍‌ ଲାପ୍‌ଟପ୍‌ ଆଣିବା ପାଇଁ ବି.ଗୁଣବତୀଙ୍କ ଘରକୁ ଯାଇଥିଲେ। ଲାପ୍‌ଟପ ଆଣୁଥିବା ବେଳେ ବି.ଗୁଣବତୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ପରେ ଏକ ପନିକିରେ ବି.ଗୁଣବତୀଙ୍କୁ ସୁନୀପ ଓ ସୁନୀଲ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ବି.ଗୁଣବତୀଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଲାପ୍‌ଟପ୍‌ ଧରି ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ। ସେମାନେ ଲାପ୍‌ଟପ୍‌ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ପନିକିକୁ ଯୋବ୍ରାଠାରେ ମହାନଦୀକୁ ଫିଙ୍ଗି ଦେଇଥିଲେ।

କଟକ ଡିସିପି ପିନାକ ମିଶ୍ରଙ୍କ କହିବା ଅନୁସାରେ ବି.ଗୁଣବତୀଙ୍କ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ମର୍ଡ଼ର ଦିନ ଘରୁ ଗୋଟିଏ ଲାପ୍‌ଟପ୍‌ ବ୍ୟତୀତ ଅନ୍ୟ କିଛି ଚୋରି ହୋଇନଥିବା ଜଣାପଡ଼ିଥିଲା। ଚୋରି ହୋଇଥିବା ଲାପ୍‌ଟପ୍‌କୁ ଖୋଜି ଖୋଜି ପୁଲିସ୍‌ ସୁଦୀପ ଓ ସୁନୀଲ ପାଖରେ ପହଞ୍ଚିଥିଲା। ସେମାନଙ୍କୁ ଅଟକ ରଖି ପୁଲିସ୍‌ ଜେରା କରିଥିଲା। ପରେ ସେମାନେ ବି. ଗୁଣବତୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହା ପରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା (ଟଙ୍କା ଧାର ନେଇଥିବା ପରିବାର) ପରିବାରକୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଏବେ ଜେରା କରାଯାଉଛି। ଏହାସହିତ ମହାନଦୀକୁ ଫିଙ୍ଗା ଯାଇଥିବା ଲାପ୍‌ଟପ୍‌ ଓ ଅନ୍ୟାନ୍ୟ ପ୍ରମାଣ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ବୋଲି ଡିସିପି କହିଛନ୍ତି।

Leave a Reply

Your email address will not be published. Required fields are marked *