ବିହାରର ସରାନ ଜିଲ୍ଲାର ଛାପ୍ରାଠାରେ ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ; ୫ ଜଣଙ୍କ ମୃତ୍ୟୁ

ପାଟନା: ବିହାରର ସରାନ ଜିଲ୍ଲାର ଛାପ୍ରାଠାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ସମଗ୍ର କୋଠାଟି ଭୁଶୁଡ଼ି ଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଚାରି ବର୍ଷର ଶିଶୁ ଏବଂ ଜଣେ ମହିଳା ଅଛନ୍ତି ।

ଏହି ଘଟଣା ଗତକାଲି ଘଟିଥିବା ବେଳେ ଗୁରୁତର ୪ ଜଣଙ୍କୁ ଛାପ୍ରାସ୍ଥିତ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆହୁରି ବହୁ ଜଣ ଫସି ରହିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି।

ପୁଲିସ୍‌ର ସୂଚନାନୁସାରେ, ଛାପ୍ରାସ୍ଥିତ ଏହି ଘରଟି ଶବୀର ହୁସେନ୍ ନାମକ ବ୍ୟକ୍ତିଙ୍କ ମାଲିକାନାରେ ରହିଛି। ଉକ୍ତ ଘରେ ବହୁ ଦିନ ହେଲା ବେଆଇନ ଭାବେ ବାଣ କାରଖାନା ଚାଲିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ।

ଗତକାଲି ବାଣ ତିଆରି ଚାଲିଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣା ପରେ ବିଲ୍ଡିଂଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ତା’ ତଳେ ବହୁ ଲୋକ ଫସି ରହିଛନ୍ତି। ଆବର୍ଜନା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ୍ ଚାଲିଛି। ଆମେ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛୁ। ଫୋରେନସିକ୍ ବିଶେଷଜ୍ଞମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ବୋଲି ସରନ ଏସପି ସନ୍ତୋଷ କୁମାର ଗଣମାଧ୍ୟମକୁ କହିଛନ୍ତି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଖୋଦିବାଗ ବଜାରର ତିନି ମହଲା ବିଶିଷ୍ଟ ଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ପାଖାପାଖି ୬ ରୁ ଅଧିକ ଘରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *