ଭୟଙ୍କର ଭୂମିକମ୍ପରେ ଆଫଗାନିସ୍ତାନରେ ଗଲାଣି ୯୦୦ରୁ ଅଧିକ ଲୋକଙ୍କ ଜୀବନ

କାବୁଲ: ଭୟଙ୍କର ଭୂକମ୍ପର ଛିନଛତ୍ର ହୋଇଯାଇଛି ଆଫଗାନିସ୍ତାନ। ଭୂକମ୍ପରେ ଏଯାଏ ୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେହିପରି ପ୍ରାୟ ୫୦୦ ଲୋକଙ୍କର କୌଣସି ପତ୍ତା ମିଳୁନି। ଆଫଗାନିସ୍ତାନର ଅଧିକାଂଶ ସହର ଭୂକମ୍ପ ପରେ କେବଳ ଧ୍ୱଂସସ୍ତୂପ ପାଲଟି ଯାଇଛି। ତାଲିବାନ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଫାଗାନିସ୍ତାନର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୬.୧ ତୀବ୍ରତାର ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏ ୯୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉପାନ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ପାକିସ୍ତାନ ସୀମାନ୍ତ ଖୋଷ୍ଟ ସହରର ଠାରୁ ୪୪ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଏହା ଭୂପୃଷ୍ଠରୁ ୫୧ କିମି ଗଭୀରରେ ସୃଷ୍ଟି ହୋଇଥିଲା। ରାତି ପ୍ରାୟ ୧.୩୦ରେ ଭୂକମ୍ପ ଝଟକା ଲୋକମାନେ ଅନୁଭବ କରିଛନ୍ତି। ଖୋଷ୍ଟ ବ୍ୟତୀତ ପାକଟିକାରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

କ୍ଷତିଗ୍ରସ୍ତ ଅଞ୍ଚଳରୁ କିଛି ଆହତଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଉଥିବା ବେଳେ ଆଉ କିଛି ଲୋକଙ୍କୁ ଘଟଣାସ୍ଥଳରେ ହିଁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ପାକଟିକାର ଗୟନ ଓ ବାରମାଲରେ ସର୍ବାଧିକ ମୃତାହତ ରହିଛନ୍ତି। ଗୟନରେ ଥିବା ଗୋଟିଏ ଗାଁ ଭୂକମ୍ପ ଯୋଗୁ ପୂରା ମାଟିରେ ମିଶି ଯାଇଛି।

ତାଲିବାନ ସରକାର ସମସ୍ତ ଉଦ୍ଧାରକାରୀ ଦଳ ଓ ସଂସ୍ଥାକୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କାବୁଲରେ ଥିବା ରାଷ୍ଟ୍ରପତି ଭବନରେ ତାଲିବାନର ବରିଷ୍ଠ ଅଧିକାରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଅଖୁଣ୍ଡ ଜରୁରୀ ବୈଠକ କରିଛନ୍ତି। ବୈଠକରେ ସାଧାରଣ ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ସଡ଼କ ପଥ ଓ ଆକାଶ ପଥରେ ଖାଦ୍ୟ, ପାନୀୟ ଓ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି।

୨୦୧୫ରେ ଏହି ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେହିପରି ୨୦୦୨ରେ ନର୍ଦ୍ଦନ ଆଫଗାନରେ ହୋଇଥିବା ଭୂକମ୍ପ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା।

Leave a Reply

Your email address will not be published. Required fields are marked *