ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ୫ ଦିନରେ ୫୦ ଘଣ୍ଟା ପଚରାଉଚରା କଲାଣି ରାହୁଲ ଗାନ୍ଧି ଙ୍କୁ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ୫ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରିଛି। ତଥାପି ରାହୁଲଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ପାଇ ପାରିନାହିଁ। ଇଡି ରାହୁଲ ଗାନ୍ଧିଙ୍କୁ ୫୦ ଘଣ୍ଟା ଜେରା କରିଥିଲେ ବି ସେ ପୂରା ଶାନ୍ତ ଭାବେ ଗୋଟିଏ ସ୍ଥାନରେ ବସି ରହିଥିଲେ। ଏଥିସହ ଇଡି ପଚାରିଥିବା ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ।

ଇଡିର ଅଧିକାରୀଙ୍କ ମଧ୍ୟ ରାହୁଲ ଗାନ୍ଧିଙ୍କ ଧୈର୍ଯ୍ୟକୁ ଦେଖି, ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ନିଜେ ରାହୁଲ ଗାନ୍ଧି ଆଜି ୫୦ ଘଣ୍ଟାର ଜେରା ବେଳେ କ’ଣ ସବୁ ଘଟିଥିଲା, ସେ ବିଷୟରେ ଖୁଲାସା କରି ଏଭଳି ତଥ୍ୟ ଦେଇଛନ୍ତି।

ରାହୁଲ କହିଛନ୍ତି, “ମୋତେ ଗୋଟିଏ ଛୋଟିଆ ଓ ସାମାନ୍ୟ ଅନ୍ଧାର ହୋଇଥିବା ରୁମରେ ବସା ଯାଇଥିଲା। ମୋତେ ୩ ଜଣ ଇଡି ଅଧିକାରୀ ଜେରା କରିଥିଲେ। ସେମାନେ କୌଣସି ନିର୍ଦ୍ଦେଶ ପାଇବା ପାଇଁ ବାହାରକୁ ଯାଉଥିଲେ। କିନ୍ତୁ ମୁଁ ଉକ୍ତ ଚେୟାରରେ ଦୀର୍ଘ ଘଣ୍ଟା ଧରି ବସି ରହିଥିଲି। ଏଥିସହ ବେଶ ଧୈର୍ଯ୍ୟର ସହ ଇଡିର ଅଧିକାରୀମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲି।”

ଦଳର ନେତା ଓ କର୍ମୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି, “ଆପଣମାନେ ନିଶ୍ଚିତ ଭାବୁଥିବେ ଯେ ଦୀର୍ଘ ଘଣ୍ଟା ଧରି ଇଡିର ଏପରି ଜେରା ନିଶ୍ଚିତ କଷ୍ଟକର ରହିଥିବ। କିନ୍ତୁ ଏହା ଆଦୌ କଷ୍ଟକର ନଥିଲା। କାରଣ ମୁଁ ଏକୁଟିଆ ଉକ୍ତ ଚେୟାରରେ ବସି ନଥିଲି। ମୋ ସହ ଉକ୍ତ ରୁମରେ ପ୍ରତିଟି କଂଗ୍ରେସ ନେତା ଓ କର୍ମୀ ରହିଥିଲେ। ଯେଉଁମାନେ ବିନା ଭୟରେ ସରକାର ଓ ଗଣତନ୍ତ୍ର ପାଇଁ ଲଢ଼ୁଛନ୍ତି, ସେଭଳି ପ୍ରତିଟି ଲୋକ ମୋ ସହ ରହିଥିଲେ।”

ଜେରା କରୁଥିବା ଅଧିକାରୀମାନେ ମଧ୍ୟ ରାହୁଲ ବେଶ ଶାନ୍ତ ଭାବେ ଦୀର୍ଘ ସମୟ ଧରି ବସି ରହିଥିବାରୁ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ବୋଲି ଶ୍ରୀ ଗାନ୍ଧି ଦାବି କରିଛନ୍ତି। ସେ କହିଛନ୍ତି, “ମୁଁ କେମିତି ଶାନ୍ତ ରହୁଛି, ତା’ର ପ୍ରକୃତ କଥା ମୁଁ ସେମାନଙ୍କୁ କହି ନଥିଲି। ମୁଁ ସେମାନଙ୍କୁ ବିଭିନ୍ନ କାରଣ କହିଥିଲି। ମୁଁ ନିୟମିତ ବିପାସନା କରୁଛି। ତେଣୁ ମୁଁ ଦୀର୍ଘ ସମୟ ବସି ରହିପାରିବି ବୋଲି ଅଧିକାରୀମାନଙ୍କୁ କହିଥିଲି।

ଯେଉଁ ଅଧିକାରୀମାନେ ମୋତେ ଜେରା କରୁଥିଲେ, ସେମାନେ ଭଲ ଭାବେ ବୁଝିଯାଇଛନ୍ତି ଯେ କଂଗ୍ରେସର କୌଣସି ନେତାଙ୍କୁ ଡରାଇବା କିମ୍ବା ସେମାନଙ୍କ ସ୍ୱରକୁ ଚାପି ଦେବା ଆଦୌ ସହଜ ନୁହେଁ। କାରଣ ଆମେ ସମସ୍ତେ ସତ୍ୟର ପଥରେ ରହିଛେ।” ରାହୁଲ ଆହୁରି ଦାବି କରିଛନ୍ତି ଯେ ୫ ଦିନର ଜେରା ଶେଷ ହେବାରେ ଇଡିର ଅଧିକାରୀମାନେ ତାଙ୍କ ଧୈର୍ଯ୍ୟକୁ ଦେଖି ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *