ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ AICCର ଦିଲ୍ଲୀ ଡାକରା

ଭୁବନେଶ୍ୱର : ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୋଟିସ ନେଇ ଦିଲ୍ଲୀରେ ହେବ ରଣନୀତି। ଏଥିପାଇଁ ଆଜି ସଂଧ୍ୟାରେ ଦିଲ୍ଲୀ ଯିବେ ଓଡ଼ିଶା କଂଗ୍ରେସର ୯ ଜଣ ବିଧାୟକ। ବିଧାୟକମାନଙ୍କୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଦିଲ୍ଲୀ ଡାକରା ହୋଇଥିବା ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଆଇସିସିର ସେକ୍ରେଟାରୀ ଓ କଂଗ୍ରେସର ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ମୋତେ ଫୋନ୍‌ କରିଥିଲେ। ବିଧାୟକଙ୍କୁ ନେଇ ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ଦିଲ୍ଲୀ ପହଞ୍ଚିବା ପାଇଁ କହିଥିଲେ।

ତାରା ବାହିନୀପତି ଆହୁରି କହିଛନ୍ତି ଯେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଦିଆଯାଇଛି। ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ଡକାଯାଉଛି। ସୋନିଆ ଓ ରାହୁଲଙ୍କ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଲୋକଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି। ତା’ ଉପରେ କିପରି ରୋକ ଲଗାଯାଇ ପାରିବ ଏନେଇ ବିଧାୟକ ଓ ନେତାମାନଙ୍କୁ ନେଇ ଆଲୋଚନା କରାଯିବ। ଏହି ପ୍ରସଙ୍ଗଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ କିପରି ରାଜରାସ୍ତାକୁ ଓହ୍ଲାଇବ ସେ ରଣନୀତି ପ୍ରସ୍ତୁତ କରାଯିବ।। ଆଗାମୀ ଦିନରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ସେନେଇ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବାହିନୀପତି କହିଛନ୍ତି।

ସୂଚନାଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା। ସୋନିଆଙ୍କ ସ୍ୱାସ୍ଥ୍ୟଗତ କାରଣରୁ ସେ ଇଡିରେ ହାଜର ହୋଇ ନଥିଲେ। ହେଲେ ରାହୁଲ ଗାନ୍ଧିଙ୍କୁ ଇଡି ୪ ଥର ଡାକି ଜେରା କରି ସାରିଲାଣି। ଇିଡି ଅଧିକାରୀମାନେ ରାହୁଲ ଗାନ୍ଧିଙ୍କୁ ଗତ ସୋମବାର ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ।

Leave a Reply

Your email address will not be published. Required fields are marked *