ଓଡ଼ିଆ ଖାଦ୍ୟର ସ୍ୱାଦକୁ ବିଶ୍ୱଦରବାରରେ ପହଞ୍ଚାଇବା ଏକମାତ୍ର ଲକ୍ଷ୍ୟ -ସରୋଜା ଚୌଧୁରୀ

ସେ ସ୍ୱୟଂସମ୍ପୂର୍ଣ୍ଣା । ତାଙ୍କ ହାତ ତିଆରି ଖାଦ୍ୟରେ ଥାଏ ଓଡ଼ିଆ ଘରର ବାସନା।ସେଥିପାଇଁ ତ ରାଜଭବନ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ତାଙ୍କରି ଚର୍ଚ୍ଚା । ସେହି ଅନ୍ନପୂର୍ଣ୍ଣା ହେଉଛନ୍ତି ରୋଜିଷ୍ କିଚେନ (ରୋଜିଙ୍କ ହାଣ୍ଡିଶାଳ)ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସରୋଜା ଚୌଧୁରୀ । ଗଞ୍ଜାମ ଜିଲ୍ଲାର ଏକ ଯୌଥ ପରିବାରରେ ଜନ୍ମିତା ଶ୍ରୀମତୀ ଚୌଧୁରୀ ଯୋଗଶାସ୍ତ୍ରରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ନିଜର ଶିକ୍ଷା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଆନ୍ତି ସରୋଜା ।

ବାହାଘର ପରର ଶାଶୁଙ୍କ ସେହି ମିଠା ଗାଳି ଯାହା ତାଙ୍କୁ ଭଲ ରୋଷେଇ ଶିଖିବା ପାଇଁ ଓ କରିବା ପାଇଁ ପ୍ରେରଣା ଯୋଗାଇଥିଲା । ସ୍ୱାମୀଙ୍କ ଚାକିରୀ ଯୋଗୁ ବିହାରରେ ରହୁଥିବା ସମୟରେ ରୋଜି ନିଜର ବଳକା ସମୟକୁ ନଷ୍ଟ ନ କରି ରୋଷେଇ ପୁସ୍ତକ ପଢିବାକୁ ଲାଗନ୍ତି । ସେହି ସବୁ ବହି ପଢି ଅନେକ ନୂଆ ନୂଆ ଖାଦ୍ୟ ତିଆରି କରନ୍ତି ଏବଂ ଘରକୁ ଆସୁଥିବା ଅତିଥିଙ୍କ ପ୍ରଶଂସାର ପାତ୍ରୀ ମଧ୍ୟ ସାଜନ୍ତି। ସଂଘର୍ଷର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶ୍ରୀମତୀ ଚୌଧୁରୀ ।

ଯିଏକି ନିଜର ଛୁଆକୁ କୋଳରେ ଧରି ରିକ୍ସାରେ ଚଢି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ମଧ୍ୟ ହୋଇଛନ୍ତି ମାତ୍ର ସେ ସବୁ ଭିତରେ ଥାଏ ସ୍ୱାମୀଙ୍କ କଠୋର କଟକଣା ।
କିନ୍ତୁ ସେ ସବୁକୁ ଖାତିର ନ କରି ରୋଜି ଆଗକୁ ବଢନ୍ତି।ଦିନେ ଭଗବାନଙ୍କ ଶୁଭଦୃଷ୍ଟି ତାଙ୍କ ଉପରେ ପଡେ।ଓଡିଶା ଆଇଏସ୍ ପତ୍ନୀ ସଙ୍ଘ ପକ୍ଷରୁ ଏକ ସରକାରୀ ପ୍ରସ୍ତାବ ଆସେ।ଯେଉଁଥିରେ ୨୦ ଜଣ ଅବହେଳିତ ଝିଅମାନଙ୍କୁ ରୋଷେଇ ଶିଖାଇବାର କାର୍ଯ୍ୟକ୍ରମ ହୁଏ ଏବଂ ତାହାର ନେତୃତ୍ୱ ନିଅନ୍ତି ଶ୍ରୀମତୀ ସରୋଜା ।

ସମୟ ଗଡେ । ୨୦୧୨ରେ ନିଜ ଘରେ ରୋଷେଇ କରି ଆତ୍ମସ୍ୱାବଲମ୍ବୀ ହେବାରେ ସ୍ବପ୍ନ ଦେଖନ୍ତି ମାତ୍ର ସ୍ୱାମୀଙ୍କ ରୋକଠୋକ ନାଁ ତାଙ୍କୁ କିଛି ମାତ୍ରାରେ ହତାଶ କରିଥିଲା । ଏମିତିକି ନିଜର ରୁଚି ପାଇଁ ଦାମ୍ପତ୍ୟ ଜୀବନରେ ସମସ୍ୟା ହେଲା ଫଳରେ ଦିନେ ତାଙ୍କୁ ରୋଷେଇ ଘରେ ତାଲାବନ୍ଦର ଶିକାର ମଧ୍ୟ ହେବାକୁ ପଡିଥିଲା ।

ଏ ସବୁ ଘଟଣା ତାଙ୍କୁ ବଜ୍ର କରିଦେଇଥିଲା।ବିନା କୌଣସି ଟଙ୍କାର ନିବେଶରେ ଗଢିଥିବା ଏହି ଅନୁଷ୍ଠାନ ୨୦୧୬-୧୯ ତାଙ୍କ କିଚେନ୍ କୁ ଏକ ନୂଆ ମାର୍ଗ ଦେଖାଇଥିଲା । ଏକାଥରେ ୭୫୦ କିଲୋ ମିଠାର ଅର୍ଡର ହେଉ ଅବା ତୋଷାଳି ମେଳା ଇତ୍ୟାଦି ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିଲା । ବର୍ତ୍ତମାନ ରୋଜିଙ୍କ ରୋଷେଇଶାଳରେ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ,୨୦ରୁ ଉର୍ଦ୍ଧ୍ବ କର୍ମଚାରୀ, ଯାତାୟତ ପାଇଁ ଗାଡି ଏବଂ ଆଗନ୍ତୁକ “ପିଠାଗାଡି”କୁ ନେଇ ରୋଜିଙ୍କ ସଂସ୍ଥା ସୁରୁଖୁରୁରେ ଚାଲିଛି ।

ଆଜି ନିଜର ପରିଶ୍ରମ ଓ ଶୃଙ୍ଖଳିତ ଆଚରଣ ଯୋଗୁଁ ରାଜ୍ୟର ବିଭିନ୍ନ ମହୋତ୍ସବରେ ତାଙ୍କରି ଷ୍ଟଲ୍ ଲାଗୁଛି । ରୋଜିଙ୍କ ଖାଦ୍ୟ ଅପମିଶ୍ରଣ ଠାରୁ ଅନେକ ଦୂରରେ।ସେଥିପାଇଁ ତ ଆଜି ଘରେଘରେ ନିଜର ଖାଦ୍ୟ ଏବଂ ବିଶେଷ ରୂପେ କ୍ଷୀର ପୋଡ଼ପିଠା ଯୁବ ସମାଜରେ ପ୍ରତିଷ୍ଠିତ ହୋଇପାରିଛି । ଆଗାମୀ ଦିନରେ ନିଜର ପୌଷ୍ଟିକ ଓ ସୁଷମ ଖାଦ୍ୟ ବଳରେ ସ୍ୱାସ୍ଥ୍ୟ ବିଭାଗର ୫୦% ଡାକ୍ତରଖାନା ବନ୍ଦ କରିବାର ଦୃଢ଼ ସଂକଳ୍ପ ନେଇଛନ୍ତି ଶ୍ରୀମତୀ ସରୋଜା ଚୌଧୁରୀ ।

Leave a Reply

Your email address will not be published. Required fields are marked *