ପରିବା ବର୍ଜ୍ୟରୁ ହେବ ଗ୍ୟାସ ଉତ୍ପାଦନ: ବିଏମ୍‌ସି-ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍‌ସ ଚୁକ୍ତିପତ୍ର ସ୍ବାକ୍ଷର

ଭୁବନେଶ୍ୱର: ପରିବା ବର୍ଜ୍ୟରୁ ଗ୍ୟାସ ଉତ୍ପାଦନ କରିବା ପାଇଁ ବିଏମ୍‌ସି ଯୋଜନା କରିଛି। ଏହି ବୃହତ୍‌ ଯୋଜନାର ପ୍ରଥମ ପଦକ୍ଷେପ ସ୍ବରୂପ ଆଜି ବିଏମ୍‌ସି ସହ ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍‌ସ ଚୁକ୍ତିପତ୍ର ସ୍ବାକ୍ଷର କରିଛି। ଏହି ଚୁକ୍ତିପତ୍ରରେ ବିଏମ୍‌ସି କମିସନର ଚଞ୍ଚଳ ରାଣା ଓ ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍‌ସ ପରିଚାଳନା ନିର୍ଦେଶିକା ଲୋରି ଦାସ ସ୍ୱାକ୍ଷର କରିଛନ୍ତି। ବର୍ଜ୍ୟ ପରିଚାଳନା ‌କ୍ଷେତ୍ରରେ ବିଏମ୍‌ସି ଆଉ ପାଦେ ଆଗକୁ ଯାଇଛି ବୋଲି କୁହାଯାଇଛି। ଏହି ଅବସରରେ ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ, ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ସହ ଅନ୍ୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା, ଅଧ୍ୟକ୍ଷ ଓ କର୍ପୋରେଟରମାନେ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରଥମ ସ୍ୱାୟତ୍ତ ସଂସ୍ଥା ଭାବେ ବିଏମ୍‌ସି ଓ ନେକ୍ସବ୍ୟାଣ୍ଡ ମଧ୍ୟରେ ଏଭଳି ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।
ସମ୍ପ୍ରତି ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର(ଏମ୍‌ସିସି) ଓ ମ୍ୟାରିଆଲ୍‌ ରିକଭରି ଫ୍ୟାସିଲିଟ୍(ଏମ୍ଆର୍‌ଏଫ୍) ଜରିଆରେ ବିଏମ୍‌ସି ଆବର୍ଜନା ପୃଥକୀକରଣ କରାଉଛି। ଏହି ବର୍ଜ୍ୟକୁ ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍‌ସ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରି ଶକ୍ତି ଉତ୍ପାଦନ କରିବ। ନେକ୍ସବ୍ୟାଣ୍ଡ ରିନ୍ୟୁୟେବଲ୍‌ସ ବେଗୁନିଆଠାରେ କରୁଥିବା କମ୍ପ୍ରେସେଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପାଇଁ ପରିବା ବର୍ଜ୍ୟ ଓ ନାପିୟର ଘାସ ଆବଶ୍ୟକ। ଏହି ଆବଶ୍ୟକତା ପୂରଣ କରିବା ପାଇଁ ଏହି ସଂସ୍ଥା ବିଏମ୍‌ସିଠାରୁ ଦିନକୁ ପ୍ରାୟ ୫୦ ମେଟ୍ରିକ ଟନ୍‌ ପରିବା ବର୍ଜ୍ୟ ନେବାକୁ ଚୁକ୍ତି କରିଛି। ଋତୁ ଅନୁସାରେ ଏହାର ପରିମାଣରେ ପରିବର୍ତ୍ତନ କରାଯିବ। ଚୁକ୍ତି ଅନୁଯାୟୀ, ‌ବିଏମ୍‌ସି ସହରରୁ ସଂଗ୍ରହ କରୁଥିବା ପରିବା ବର୍ଜ୍ୟକୁ ଚିହ୍ନିତ ସ୍ଥାନରେ ରଖିବ। ନେକ୍ସବ୍ୟାଣ୍ଡ ସେହିସବୁ ସ୍ଥାନରୁ ନିଜସ୍ୱ ଖର୍ଚ୍ଚରେ ପରିବା ବର୍ଜ୍ୟକୁ କମ୍ପ୍ରେସେଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟକୁ ନେବ। ଏହାଦ୍ବାରା ବିଏମ୍‌ସିର ବର୍ଜ୍ୟ ପରିବହନ ଖର୍ଚ୍ଚ ଭାର କମିବ। ପରିବା ବର୍ଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ଅସ୍ଥାୟୀ ପରିବହନ ଷ୍ଟେସନ(ଟିଟିଏସ୍‌) ଉପରେ ଯେଉଁ ଆର୍ଥିକ ବୋଝ ରହୁଥିଲା, ତାହା ଯଥେଷ୍ଟ ହ୍ରାସ ପାଇବ। ଏହି ଚୁକ୍ତି ଅଣବ୍ୟବସାୟିକ ଓ ପ୍ରଥମ ପର୍ଯ୍ୟାୟରେ ୧ ବର୍ଷ ପାଇଁ କରାଯାଇଛି।

Leave a Reply

Your email address will not be published. Required fields are marked *