ଆଇନା ଓ ୟୁନିସେଫ୍‌ ତରଫରୁ ଜୈବିକ ସାମଗ୍ରୀରୁ ପ୍ରସ୍ତୁତ ଋତୁସ୍ରାବ ଶୋଷକର ପ୍ରଦର୍ଶନୀ

. ଜୈବିକ ସାମଗ୍ରୀରୁ ପ୍ରସ୍ତୁତ ସାନିଟାରୀ ନାପକିନ୍ ଲୋକଙ୍କ ମନ ମୋହିଲା
• ଋତୁସ୍ରାବ ଶୋଷକର ପ୍ରଦର୍ଶନୀ ସହ ଏହା ସମ୍ବନ୍ଧିତ ସ୍ୱଚ୍ଛତା ଏବଂ ସୁରକ୍ଷିତ ବର୍ଜନ କର୍ମଶାଳା ଆୟୋଜିତ
• 200ରୁ ଅଧିକ ଅଂଶଗ୍ରହଣକାରୀ ହୋଇଥିଲେ ସାମିଲ୍

ଭୁବନେଶ୍ୱର : ସ୍ୱଚ୍ଛାସେବୀ ସଂଗଠନ ଆଇନା ଓ ୟୁନିସେଫ୍‌, ଓଡିଶାର ସହଭାଗିତାରେ ମଙ୍ଗଳବାର ସ୍ଥାନୀୟ ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନଲ୍ (ଏଚଏଚଆଇ) ରେ ଋତୁସ୍ରାବ ପରିଚ୍ଛନ୍ନତାକୁ ବଜାୟ ରଖିବା ତଥା ପରିବେଶକୁ ସୁରକ୍ଷା ଦେବା ଦିଗରେ ମାର୍ଗଦର୍ଶକ ସାଜିଛି । ଏହି ଧାରାରେ “ଋତୁସ୍ରାବ ଶୋଷକଗୁଡିକର ପ୍ରଦର୍ଶନୀ ସହ ଏହା ସମ୍ବନ୍ଧିତ ସ୍ୱଚ୍ଛତା ଏବଂ ସୁରକ୍ଷିତ ବର୍ଜନ ବିଷୟରେ ଏକ କର୍ମଶାଳା” ଆୟୋଜିତ ହୋଇଯାଇଛି । କର୍ମଶାଳାରେ ଓଡିଶା ସମେତ ବିଭିନ୍ନ ରାଜ୍ୟର (ସ୍ୱାଭାବିକ ପ୍ରକ୍ରିୟାରେ ମାଟିରେ ମିଶୁ ଥିବା ଋତୁସ୍ରାବ ଶୋଷକ) ପ୍ରାୟ 15 ଜଣ ବ୍ୟବସାୟୀ ଯୋଗ ଦେଇ ନିଜର ସାମଗ୍ରୀ ପ୍ରଦର୍ଶନୀ କରିଥିଲେ ।
ଅନୁଷ୍ଠାନର ସମ୍ପାଦିକା ଶ୍ରୀମତି ସ୍ନେହ ମିଶ୍ରଙ୍କ ଉପସ୍ଥିତିରେ ସମ୍ମାନୀୟ ଅତିଥି ଭାବରେ ଭୁବନେଶ୍ୱର ମୁନିସିପାଲିଟି କର୍ପୋରେସନ ର ଡେପୁଟି କମିଶନର ଗାୟତ୍ରୀ ସାମନ୍ତରାୟ, ଡବ୍ଲୁସିଡି, ନ୍ୟୁଟ୍ରିସନର ଡେପୁଟି ଡାଇରେକ୍ଟର ଡଃ. ସ୍ମୃତିଜିତ ପଟ୍ଟନାୟକ, ସମେତ ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନିଲସନ୍ (ଅନଲାଇନରେ), ୟୁନିସେଫ ରୋଜାର ୱାସ୍ ବିଶେଷଜ୍ଞ ନିକୋଲ କ୍ଲାସନେର, ୟୁନିସେଫର ୱାସ୍ ବିଶେଷଜ୍ଞ ଡଃ. ପ୍ରତିଭା ସିଂହ, ୟୁନିସେଫର ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ।

ଉଦ୍ଘାଟନୀ ଅବସରରେ ଡେପୁଟି କମିଶନର ଗାୟତ୍ରୀ ସାମନ୍ତରାୟ ଏଭଳି ଏକ ଭନ୍ନ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବା ଏବଂ ଋତୁସ୍ରାବ ସମ୍ବନ୍ଧିତ ସ୍ୱଚ୍ଛତା ଓ ଏହି ସମୟରେ ବ୍ୟବହାର ଶୋଷକ ଗୁଡିକର ବର୍ଜନକୁ ଗୁରୁତ୍ୱାରୋପ କରିଥିବାରୁ ଆଇନା ଓ ୟୁନିସେଫକୁ ଧନ୍ୟବାଦ ଦେଇ କହିଥିଲେ ଯେ, ଋତୁସ୍ରାବ ଏକ ସ୍ୱାଭାବିକ ପ୍ରକ୍ରିୟା, ଏଥିପାଇଁ ଶୋଷକ ବ୍ୟବହାର ମଧ୍ୟ ସଂପୂର୍ଣ୍ଣ ସ୍ୱାଭାବିକ । ତେଣୁ ଶୋଷକର ବର୍ଜନକୁ ଏବେଠୁ ଧ୍ୟାନ ନଦେଲେ ଏହା ଆମ ପାଇଁ ଭବିଷ୍ୟତରେ ଏକ ବିଶାଳ ସମସ୍ୟା ହୋଇ ଛିଡା ହେବ । ଏହି ସମସ୍ୟାର ସମାଧାନ ପାଇଁ ଆଇନା ଓ ୟୁନିସେଫ୍ ର ଏହି ପ୍ରୟାସ ବେଶ୍‌ ପ୍ରଶଂସାଯୋଗ୍ୟ ।
ଏହି ଅବସରରେ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତି ସ୍ନେହ ମିଶ୍ର କହିଥିଲେ, ଋତୁସ୍ରାବ ଶୋଷକର ବର୍ଜନ ବର୍ତମାନ ଏକ ବଡ ସମସ୍ୟା ହୋଇଛି । ଅଧିକାଂଶ ମହିଳା ଥରେ ବ୍ୟବହାର ଯୋଗ୍ୟ ସାନିଟାରୀ ନାପକିନ ବ୍ୟବହାର କରୁଛନ୍ତି, ଯାହା ସ୍ୱାଭାବିକ ପ୍ରକ୍ରିୟାରେ ମାଟିରେ ମିଶିପାରୁ ନାହିଁ । ଏହି ଧାରାରେ ଆମକୁ ଭାବିବାକୁ ପଡିବ ଯେ, କିଛି ବର୍ଷ ପରେ ମାଟି ଖୋଳିଲେ ଆମେ ଖାଲି ନାପକିନ୍ ହିଁ ପାଇବା । ସେଥିପାଇଁ ଋତୁସ୍ରାବର ଶୋଷକ ଓ ଏହାର ବର୍ଜନ ବିଷୟରେ ଆଲୋଚନା କରିବା ଏବଂ ଏହାର ଏକ ନିଷ୍କର୍ଷ ବାହାର କରିବା ନିହାତି ଆବଶ୍ୟକ ।


ଉଦ୍ଘାଟନ ପରେ ୩ଟି ପର୍ଯ୍ୟାୟରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ଉପରେ ସରକାରୀ ସ୍ତରରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା । ସେଥିରେ ଏମଏଚଏଆଇର ଡଃ. ଅରୁନ୍ଧତି ମୁରଲୀଧରନ, ଓସେପାର ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ମାସିକ ଋତୁସ୍ରାବର ବର୍ଜ୍ୟବସ୍ତୁର ନିରାପଦ ନିଷ୍କାସନ ତଥା ତାର ସମାଧାନ ବିଷୟରେ ଆଲୋକପାତ କରାଯାଇଥିଲା ।
କର୍ମଶାଳାରେ ଓଡିଶାର ବିଭିନ୍ନ ସ୍ୱଚ୍ଛାସେବୀ ସଂଗଠନର ପ୍ରମୁଖ ତଥା ବିଶିଷ୍ଟ ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆୟୋଜକର ଏହି ନୂତନ ପ୍ରୟାସକୁ ପ୍ରଂଶସା କରିବା ସହ ଶୋଷକଗୁଡିକୁ ବିଭିନ୍ନ ସ୍ଥରରେ ସୁଯୋଗ ଏବଂ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମର ଶେଷରେ ଆଇନାର ପ୍ରୋଗ୍ରାମ ନିର୍ଦ୍ଦେଶକ, ଦିଲ୍ଲିପ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *