ଝିଅ ଭଲପାଇ ବାହା ହେଉଥିଲା, ଆର ପଟେ ଘର ଲୋକ କରୁଥିଲେ ଶୁଦ୍ଧିକ୍ରିୟା

କେନ୍ଦ୍ରାପଡା : ଗୋଟିଏ ପଟେ ଝିଅର ପଡ଼ୁଛି ହାତ ଗଣ୍ଠି। ସାତ ସିଙ୍ଗାର ହୋଇ ନବବଧୂ ସାଜି ଝିଅ ନିଜ ଶ୍ୱଶୁର ଘରେ ସୁନାର ସଂସାର ଗଢ଼ିବା ପାଇଁ ଦେଖୁଛି ସ୍ୱପ୍ନ। ଅନ୍ୟ ପଟେ ବ୍ରାହ୍ମଣ ଡାକି ଫଟୋରେ ଫୁଲ ମାଳ ଚଢ଼ାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଝିଅର ପରିବାର ଲୋକେ। ଏହାସହ ବ୍ରାହ୍ମଣ ଡାକି ଶୁଦ୍ଧିକ୍ରିୟା କରିବା ସହ ଭୋଜିଭାତ କରି ଖାଇବାକୁ ଦେଉଛନ୍ତି। ଝିଅ ନିଜ ପ୍ରେମିକ ସହ ପଳାଇ ଯିବାରୁ ପରିବାର ଲୋକେ ପ୍ରତିଶୋଧ ପରାୟଣ ହୋଇ ଜୀବିତ ଝିଅକୁ ମାରି ଦେବା କେତେ ଠିକ୍‌ ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜ଼ାର ଅଞ୍ଚଳରେ।

ଆଳି ନୂଆବଜ଼ାର ଅଂଚଳର ଶ୍ରୀବାସ୍ତବ ମଳିକଙ୍କ ସହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ (ଛଦ୍ମ ନାମ) ମିଲିଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ମିଲିଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଆସୁଥିଲେ। ହେଲେ ଶ୍ରୀବାସ୍ତବ ଓ ମିଲି ପରିବାରର ବାଧା ସତ୍ତ୍ୱେ ସେମାନଙ୍କ ପ୍ରେମ ସମ୍ପର୍କକୁ ଭୁଲିପାରୁ ପାରୁନଥିଲେ। ଦୁହେଁ ସ୍ୱପ୍ନର ଘର ତୋଳି ସେଠି ରହିବେ ବୋଲି ମନେ ମନେ ସ୍ୱପ୍ନ ଦେଖୁଥିଲେ। ଏହାରି ଭିତରେ କିଛିଦିନ ତଳେ ମିଲି ନିଜ ଘର ଛାଡ଼ି ଶ୍ରୀବାସ୍ତବଙ୍କ ଘରକୁ ପଳାଇ ଆସିଥିଲେ। ଶ୍ରୀବାସ୍ତବଙ୍କ ପରିବାର ଲୋକେ ଏନେଇ ଥାନାରେ ଜଣାଇଥିଲେ। ପୁଲିସ ଝିଅ ଓ ପୁଅ ଘରର ଲୋକଙ୍କୁ ଡାକି ପଚରାଉଚରା କରିଥିଲା। ମିଲି ଶ୍ରୀବାସ୍ତବଙ୍କୁ ବିବାହ କରିବେ ବୋଲି ସର୍ବସମ୍ମୁଖରେ କହିଥିଲେ।

ସୋମବାର ଦିନ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ଶ୍ରୀବାସ୍ତବ ଓ ମିଲିଙ୍କର ବିବାହ ହୋଇଥିଲା। ହେଲେ ମିଲିଙ୍କ ପରିବାର ଲୋକେ କେହି ଉପସ୍ଥିତ ନଥିଲେ। ଅନ୍ୟ ପକ୍ଷରେ ମିଲିଙ୍କ ପରିବାର ଲୋକ ବ୍ରାହ୍ମଣ ଡାକି ଝିଅର ଶୁଦ୍ଧିକ୍ରିୟା କରିଥିଲେ। ଭୋଜିଭାତ କରି ଲୋକଙ୍କୁ ଖାଇବାକୁ ଦେଇଥିଲେ। ଏପରିକି ନିଜ ଘର ସାମ୍ନା ଝିଅର ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଘଟଣା ଏବେ କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *