ପ୍ରଧାନ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ

ଭିଜିଲାନ୍ସ ଜାଲରେ ପଡ଼ିଗଲେ ଶିକ୍ଷାଧିକାରୀ। ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଲାଞ୍ଚ ନେଉଥିଲା ବେଳେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି।

ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲ ଶାନ୍ତୁନଙ୍କ ପାଖକୁ ବାରମ୍ବାର ଆସିଥିଲେ। ହେଲେ ତାଙ୍କ କାମ ହେଉ ନଥିଲା। ୧୦ ହଜାର ଟଙ୍କା ଲାଞ୍ଚ ଦେଲେ କାମ ହୋଇପାରିବ ବୋଲି ଶାନ୍ତୁନ କହିଥିଲେ। ଏନେଇ ଅଦ୍ୱୈତଙ୍କ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଟିମ୍‌ ଯୋଜନା ମୁତାବକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଛପିକି ରହିଥିଲେ। ଆଜି ସକାଳେ ଅଦ୍ୱୈତଙ୍କ ଠାରୁ ଲାଞ୍ଚ ଟଙ୍କା ନେବେଳେ ଶାନ୍ତନଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଛି।

ଏହାସହ ଶାନ୍ତନୁଙ୍କ ଭଦ୍ରକ ସ୍ଥିତ ନିଜ ଘର, ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଖଜୁରିଆକଟା ଭଡ଼ା ଘରେ ରେଡ ଚାଲିଛି। ତାଙ୍କୁ ଘରୁ ୯୧ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଶାନ୍ତୁନଙ୍କ ନାଁରେ ପୂର୍ବରୁ ଲାଞ୍ଚ ନେଇ କାମ କରୁଥିବା ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *