ଶୁକ୍ରବାର ଖୋଲିବ ଆଇସିଓଏମ୍‌ସି କୋଠା : ଜାଣନ୍ତୁ କେଉଁ ଅଫିସ ସବୁ ରହିବ ଏଠାରେ

ଭୁବନେଶ୍ବର: ଆଇସିଓଏମ୍‌ସି କୋଠାରେ ବହୁରାଷ୍ଟ୍ରୀୟ କମ୍ପାନି ଡିଲଏଟ୍‌ ତା’ର ଶାଖା ଖୋଲିବାକୁ ଯାଉଛି। ଶୁକ୍ରବାର ଦିନ ଏହି ଶାଖା କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିବେ।

ଭାରତର ବିଭିନ୍ନ ସହରରେ ଏଭଳି ଆଇସିଓଏମ୍‌ସି କୋଠାର ପରିକଳ୍ପନା କରାଯାଇଥିଲା। ଭୁବନେଶ୍ବରରେ ଏହାର ନିର୍ମାଣ ଧାର୍ଯ୍ୟ ଅବଧି ଠାରୁ ଢେର୍‌ ବିଳମ୍ବ ହୋଇଥିଲେ ମଧ୍ୟ ସମଗ୍ର ଦେଶରେ ନିର୍ମାଣ ଶେଷ ହେବା ପ୍ରଥମ। ୧୨ ମହଲା ବିଶିଷ୍ଟ ଏହି କୋଠାର ୬ ତାଲାରୁ ୧୦ ତାଲା ପର୍ଯ୍ୟନ୍ତ ୫ଟି ଫ୍ଲୋର୍‌କୁ ଡିଲଏଟ୍‌ ବ୍ୟବହାର କରିବ। ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ଏହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୩ଟି ସିଫ୍ଟରେ ଏଥିରେ ୫ଶହ ଲେଖାଏଁ ୧୫୦୦ କର୍ମଚାରୀ କାମ କରିବେ। ପ୍ରଥମ ଥର ପାଇଁ ଏଥିରେ ଗୃହିଣୀମାନଙ୍କ ପାଇଁ ବିଶେଷ ସୁବିଧା ରହିବାକୁ ଯାଉଛି। ସାଧାରଣତଃ ଅଫିସ୍‌ ସାଢ଼େ ୯ରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁଥିବା ବେ‌ଳେ ଏଠାରେ ଗୃହିଣୀଙ୍କ ପାଇଁ ଏକ ସ୍ବତନ୍ତ୍ର ସିଫ୍ଟ ହେବ। ସେମାନେ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ଯାଏଁ ୫ ଘଣ୍ଟା ଡ୍ୟୁଟି କରିବେ।

ଏଥିରୁ ଗୋଟିଏ ଫ୍ଲୋର୍‌ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ବ୍ୟବହାର କରିବ। ଶୁକ୍ରବାର ଡିଲଏଟ୍‌ ଉଦ୍‌ଘାଟିତ ହେବା ପରେ ସ୍ମାର୍ଟ ସିଟି ଅଫିସ୍‌ ମଧ୍ୟ ଭବାନୀ ମଲ୍‌ରୁ ଏଠାକୁ ଉଠି ଆସିବ। ସେହିଭଳି ୨ଟି ଫ୍ଲୋର୍‌ ଭୁବନେଶ୍ବର କମାଣ୍ଡ ସେଣ୍ଟର ବ୍ୟବହାର କରିବ। ଢେର୍‌ ଦିନ ପୂର୍ବରୁ ଏହି କମାଣ୍ଡ ସେଣ୍ଟରର କମିସନିଂ ଶେଷ ହୋଇଛି। ଏଣୁ ଶୁକ୍ରବାର ପରେ କମାଣ୍ଡ ସେଣ୍ଟର ମଧ୍ୟ ଏଠାରେ କାର୍ଯ୍ୟକ୍ଷମ ହେବ। ବାକି ୪ଟି ଫ୍ଲୋର୍‌ରେ ବିଏମ୍‌ସି ଅଫିସ୍‌ ଚାଲିବ। ତେବେ ବିଏମ୍‌ସି ଅଫିସ୍‌ କେବେ ଆସିବ ସେ ନେଇ କାହା ପାଖରେ ଉତ୍ତର ନାହିଁ।

୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି କୋଠା ନିର୍ମାଣ ୨୦୨୧ ମସିହାରେ ସରିବାକୁ ରହିଥିଲା। କିନ୍ତୁ ୨୦୨୧ ବେଳକୁ ମାତ୍ର ୩ ମହଲା ନିର୍ମାଣ ସରିଥିଲା। ଏହାକୁ ନେଇ ତନାଘନା ହେବା ସହ ‘୫-ଟି’ ସଚିବ ଭି. କେ ପାଣ୍ଡିଆନ୍‌ ଓ ଆଇଟି ସଚିବ ମନୋଜ ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରିବା ସହ ତୁରନ୍ତ ସାରିବା ପାଇଁ ପଦକ୍ଷେପ ନେବାକୁ ବିଏସ୍‌ସିଏଲ୍‌ ଏମ୍‌ଡି ସଞ୍ଜୟ ସିଂହଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ବା ବର୍ଷେ ୩ ମାସ ମଧ୍ୟରେ ବାକି ୯ ମହଲା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା। ତେବେ ୨୦୨୨ରେ ଏହା ଉଦ୍‌ଘାଟନ ହେବାକୁ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇନଥିଲା।

Leave a Reply

Your email address will not be published. Required fields are marked *