ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ଥର ଋଷ ବିରୋଧରେ ଭୋଟ ଦେଲା ଭାରତ

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ୬ ମାସ ଧରି ଚାଲିଛି ଓ ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। କେବଳ ଏତିକି ନୁହେଁ, ଏହି ଯୁଦ୍ଧ ବିଶ୍ୱକୁ ଦୁଇ ଭାଗରେ ବିଭକ୍ତ କରିଛି, ଅଧିକାଂଶ ଦେଶ ଋଷ ବିରୁଦ୍ଧରେ ଅଛନ୍ତି ଓ କେତେକ ଦେଶ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଯଥାର୍ଥତା ଦେଉଛନ୍ତି।

ହେଲେ ଏହି ସମଗ୍ର ପ୍ରସଙ୍ଗରେ ଭାରତ ଏକ ନିରପେକ୍ଷ ଭୂମିକା ଗ୍ରହଣ କରିଥିଲା ଓ ନିରନ୍ତର କଥାବାର୍ତ୍ତା ମାଧ୍ୟମରେ ଉତ୍ତେଜନାକୁ ସମାଧାନ କରିବାକୁ ନିବେଦନ କରିଥିଲା। କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ୟୁକ୍ରେନ ଉପରେ ପ୍ରକ୍ରିୟାଗତ ଭୋଟ୍ ସମୟରେ ଭାରତ ଋଷ ବିରୋଧରେ ଭୋଟ ଦେଇଛି। ଏହି ସମୟ ମଧ୍ୟରେ ଭିଡିଓ-ଟେଲି କନଫରେନ୍ସ ଜରିଆରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିମନ୍ତ୍ରଣ କରାଯାଇଥିଲା।

ଭାରତର ଷ୍ଟାଣ୍ଡ ଉପରେ ଆମେରିକା କ୍ରୋଧିତ

ଫେବୃଆରୀରେ ଋଷର ସେନା ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ସେବେଠାରୁ ୟୁକ୍ରେନ ପ୍ରସଙ୍ଗରେ ଭାରତ ପ୍ରଥମ ଥର ପାଇଁ ଋଷ ବିରୋଧରେ ଭୋଟ୍ ଦେଇଛି। ନୂଆ ଦିଲ୍ଲୀ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ମାମଲାକୁ ଏପର୍ଯ୍ୟନ୍ତ ଏଡ଼ାଇ ଆସୁଛି ଯାହା ଆମେରିକା ସମେତ ପାଶ୍ଚାତ୍ୟ ଦେଶକୁ କ୍ରୋଧିତ କରିଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନେ ଋଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିକି ଆମେରିକା ଓ ବ୍ରିଟେନ ସାମରିକ ସହାୟତା ଠାରୁ ୟୁକ୍ରେନକୁ ପାଣ୍ଠି ପଠାଇଛନ୍ତି।

ଏଥର ଋଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିନାହିଁ। କୂଟନୈତିକ କଥାବାର୍ତ୍ତା ପଥକୁ ଫେରିବା ଓ ଦୁଇ ଦେଶ ମଧ୍ୟରେ ବିବାଦକୁ ଦୂର କରିବା ପାଇଁ ସମସ୍ତ କୂଟନୈତିକ ପ୍ରୟାସରେ ସହଯୋଗ ବୃଦ୍ଧି କରିବାକୁ ନୂଆ ଦିଲ୍ଲୀ ବାରମ୍ବାର ଋଷ ଓ ୟୁକ୍ରେନକୁ ନିବେଦନ କରିଛି।

ଦୁଇ ବର୍ଷ ଧରି ଭାରତ ୟୁଏନଏସସିର ଏକ ସ୍ଥାୟୀ ସଦସ୍ୟ ଓ ଏହାର କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେବ। ୟୁକ୍ରେନ ସ୍ୱାଧୀନତାର ୩୧ତମ ବାର୍ଷିକୀ ଉପଲକ୍ଷେ ୬ ମାସର ଯୁଦ୍ଧର ସମୀକ୍ଷା ପାଇଁ ସୁରକ୍ଷା ପରିଷଦ ବୁଧବାର ଏକ ବୈଠକ କରିଥିଲା।

ଏହି ବୈଠକ ଆରମ୍ଭ ହେବାପରେ ମିଳିତ ଜାତିସଂଘରେ ଋଷର ରାଷ୍ଟ୍ରଦୂତ ଭାସିଲି ଏ ନେବେଞ୍ଜିଆ ଭିଡିଓ ଟେଲି କନଫରେନ୍ସ ଦ୍ୱାରା ଜେଲେନସ୍କିଙ୍କ ଏହି ବୈଠକରେ ଅଂଶଗ୍ରହଣକୁ ନେଇ ଏକ ପ୍ରକ୍ରିୟାଗତ ଭୋଟ ମାଗିଥିଲେ। ଏହା ପରେ ୧୩ ଜଣ ସଦସ୍ୟ ଏହାର ସପକ୍ଷରେ ଭୋଟ ଦେଇଥିବାବେଳେ ଋଷ ଏହି ନିମନ୍ତ୍ରଣ ବିରୋଧରେ ଭୋଟ ଦେଇଛି। ହେଲେ ଚୀନ ଭୋଟ୍ ଦେଇନାହିଁ।

ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆବେଦନ କରିଛନ୍ତି

ଯୁଦ୍ଧ ମଧ୍ୟରେ ମଧ୍ୟ ଭାରତ ସଫଳତାର ସହ ଅପରେସନ୍ ଗଙ୍ଗା ଚଳାଇଛି ଓ ୟୁକ୍ରେନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଫିଟିଛି। କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଋଷର ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିଲେ ଓ ଆଲୋଚନା ମାଧ୍ୟମରେ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଥିଲେ। ଏହା ସତ୍ତ୍ବେ ବିଶ୍ବର ନେତାଙ୍କ ଉଦ୍ୟମ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନୁହେଁ ଓ ଯୁଦ୍ଧରେ ଉଭୟ ଦେଶ ଗୁରୁତର କ୍ଷତି ସହିଛନ୍ତି।

ଏହାପୂର୍ବରୁ ବୁଧବାର ଦିନ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବାର ୬ ମାସ ପରେ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ମିଳିତ ଜାତିସଂଘ ଭିତରେ ଓ ବାହାରେ ଗଠନମୂଳକ କାର୍ଯ୍ୟ କରିବା ସାମୂହିକ ସ୍ୱାର୍ଥରେ ଅଛି, ତେଣୁ ଶୀଘ୍ର ଯଥା ଶୀଘ୍ର ଯୁଦ୍ଧର ସମାଧାନ ହୋଇପାରିବ। ସେ କହିଛନ୍ତି ଯେ ଭାରତ ଅଶାନ୍ତିର ପରିସ୍ଥିତି ତଥା ହିଂସା ବନ୍ଦ କରିବାକୁ ଓକିଲାତି କରୁଛି। ଆମେ ୟୁକ୍ରେନ ଓ ଋଷ ମଧ୍ୟରେ କଥାବାର୍ତ୍ତାକୁ ଉତ୍ସାହିତ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସହ ଏକାଧିକ ଥର କଥା ହୋଇଛନ୍ତି।

Leave a Reply

Your email address will not be published. Required fields are marked *