ସାହିତ୍ୟ ହେଉଛି ମନ ଏବଂ ଭାବର ପରିପ୍ରକାଶ – ବନ୍ଦନା ପଣ୍ଡା

ଯୁକ୍ତ ଦୁଇରେ ପଢୁଥିବା ସମୟରେ ସାହିତ୍ୟ ଅଧ୍ୟାପକ ହରିହର ମିଶ୍ରଙ୍କ ସାହିତ୍ୟ ପଠନ ଶୈଳୀରେ ସେ ହୋଇଥିଲେ ଖୁବ୍ ପ୍ରଭାବିତ। ଯାହା ତାଙ୍କୁ ପରବର୍ତ୍ତୀ ସମୟରେ ଜଣେ ଲେଖିକା ହେବାର ପ୍ରେରଣା ପ୍ରଦାନ କରିଥିଲା। ସେ ଏକାଧାରରେ ଜଣେ ଲେଖିକା,ସୁଗୃହିଣୀ ଏବଂ ଜଣେ ସମାଜସେବୀକା। ତେବେ ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତା ଲେଖିକା ବନ୍ଦନା ପଣ୍ଡା। ଉଦ୍ଭିଦ ବିଜ୍ଞାନରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡ଼ିଗ୍ରୀ ଏବଂ ଶିକ୍ଷା ଓ ଓକିଲାତିରେ ସ୍ନାତକ ଲାଭ କରିଛନ୍ତି ବନ୍ଦନା। ଓଡ଼ିଆ ଭାଷା ସାହିତ୍ୟରେ ସାହିତ୍ୟିକା ପ୍ରତିଭା ରାୟ,ହରିହର ମିଶ୍ର, ଗୌରହରି ଦାସଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ସମୟର ଲେଖକ ତପନ ପଣ୍ଡା,ହିରଣ୍ମୟୀ ମିଶ୍ର, ପ୍ରବାସିନୀ ମହାକୁଡ,ବିଷ୍ଣୁ ସାହୁ,କୃଷ୍ଣ କୁମାର ମହାନ୍ତି ପ୍ରମୁଖଙ୍କ ଲେଖାରେ ବେଶ୍ ପ୍ରଭାବିତ ଏହି ସାରସ୍ଵତ ସାଧିକା ଜଣଙ୍କ।

ବନ୍ଦନାଙ୍କ କିଛି କୃତି ଓ ପୁରସ୍କାର ବିଷୟରେ –

କୁହୁଡ଼ିବଣ (କାବ୍ୟ) ଏବଂ ଫେରନ୍ତା ଗାଡ଼ି ଓ ଅନ୍ୟାନ୍ୟ ଗଳ୍ପ (ଗଳ୍ପ)।

ବାଣୀଚିତ୍ର ପୁରସ୍କାର,ସୂର୍ଯ୍ୟକ୍ଷେତ୍ର ସାରସ୍ଵତ ପୁରସ୍କାର,କଳିଙ୍ଗ ପୁସ୍ତକ ମେଳା ସାରସ୍ଵତ ସମ୍ମାନ, ଇଣ୍ଟର୍ଭ୍ୟୁ ଟାଇମ୍ସ ଓଡ଼ିଶା ଶ୍ରେଷ୍ଠ ସମ୍ମାନ, ବିନୋବା ଭାବେ ସମ୍ମାନ ଇତ୍ୟାଦି।

ଲେଖିକା ବନ୍ଦନାଙ୍କ ମତରେ “ସାହିତ୍ୟ ହେଉଛି ମନ ଏବଂ ଭାବର ପରିପ୍ରକାଶ। କେବଳ ସେତିକି ନୁହେଁ ସାହିତ୍ୟ ଭୁଲ୍ ଧାରଣାକୁ ବଦଳାଇ ମଧ୍ୟ ଦେଇ ପାରେ। ତାର ଅମାପ ଶକ୍ତି ଅଛି ଯାହା ସମାଜରେ ଏକ ପରିବର୍ତ୍ତନ ଆଣିପାରିବ।” ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଶ୍ରୀମତୀ ପଣ୍ଡା ଏହି ଉପଦେଶ ଦିଅନ୍ତି ଯେ “ବର୍ତ୍ତମାନର ପିଢ଼ିଙ୍କ ଲେଖା ଖୁବ୍ ଆଧୁନିକ ଏବଂ ଉଚ୍ଚକୋଟୀର କିନ୍ତୁ ଟିକେ ଦେଶର ବର୍ତମାନ ସାଂପ୍ରତିକ ପରିସ୍ଥିତି ଓ ସମସ୍ୟା ଉପରେ ଲେଖନୀ ଧରିଲେ ଏହାର ସକାରାତ୍ମକ ପ୍ରଭାବ ପାଠକଙ୍କ ଉପରେ ପଡ଼ିବ।”
ଆଗାମୀ ଦିନରେ ନିଜର ରଚନା ଜରିଆରେ ପାରିବାରିକ ଏବଂ ସାମାଜିକ ସମ୍ପର୍କମୂଳକ ବିଷୟକୁ ନେଇ ପାଠକଙ୍କ ପାଖେ ପହଞ୍ଚାଇବାର ଲକ୍ଷ୍ୟ ରଖିଛନ୍ତି ଲେଖିକା ବନ୍ଦନା ପଣ୍ଡା।

ରିପୋର୍ଟ – ଦେବୀ ପ୍ରସାଦ ରଥ

Leave a Reply

Your email address will not be published. Required fields are marked *