ସାହିତ୍ୟ ହେଉଛି ସମାଜର ସମାଧାନମୂଳକ ପନ୍ଥା ; ଲେଖିକା ବୀଣାପାଣି ସାହୁ

ଓଡ଼ିଆ ଭାଷା ସାହିତ୍ୟର ଅନୁବାଦ ବିଭାଗରେ ସେ ଆଜି ଖୁବ୍  ପ୍ରତିଷ୍ଠିତା।ତାଙ୍କ ମତରେ “ଯେଉଁ ଲେଖା ତାଙ୍କ ମନକୁ ଛୁଇଁଥାଏ ତାକୁ ନିଜ ମାତୃଭାଷାରେ ସେ ଅନୁବାଦ କରନ୍ତି।ଯହିଁରେ ଥାଏ କିଛି ସାମାଜିକ ବାର୍ତ୍ତା ଓ ପ୍ରେରଣାଦାୟୀ ଉପଦେଶ।”ନିଜର ବଡଭାଇ ତାଙ୍କ ପାଇଁ ଥିଲେ ପଥ ପ୍ରଦର୍ଶକ।ଅବକାଶ ସମୟରେ କିଛି ଲେଖିବା ପାଇଁ ବଡଭାଇ ସର୍ବଦା ଉପଦେଶ ଦେଉଥିଲେ।ଯେଉଁ ଉପଦେଶ ଆଜି ତାଙ୍କ ପାଇଁ ସାବ୍ୟସ୍ତ ହୋଇଛି ଆଶୀର୍ବାଦ ରୂପେ।
ସେହି ବିଶିଷ୍ଟ ଅନୁବାଦିକା ହେଉଛନ୍ତି ବୀଣାପାଣି ସାହୁ।ସଂସ୍କୃତି ସମ୍ପନ୍ନ ସହର ପୁରୀରେ ଜନ୍ମିତା ଶ୍ରୀମତୀ ବୀଣାପାଣି ପିଲାଟିଦିନରୁ ତ୍ରିଭାଷୀ ପୁସ୍ତକ ସାହିତ୍ୟ ଅଧ୍ୟୟନ କରୁଥିଲେ।ତେବେ ଷଷ୍ଠ ଶ୍ରେଣୀରୁ ମୀନାବଜାର,ପ୍ରଜାତନ୍ତ୍ର ଜରିଆରେ ନିଜର ସାହିତ୍ୟ ଜୀଵନ ଆରମ୍ଭ କରିଥିଲେ ଏହି ସୁସାହିତ୍ୟିକା।ଦର୍ଶନ ଶାସ୍ତ୍ରରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଲେଖିକା ବୀଣାପାଣି ସାହୁ।ତ୍ରିଭାଷୀ ସାହିତ୍ୟରେ ଅଖିଳ ମୋହନ ପଟ୍ଟନାୟକ,ପ୍ରେମଚନ୍ଦ୍,ଗାୟତ୍ରୀ ସରାଫଙ୍କୁ ନିଜର ଆଦର୍ଶ ମଣୁଥିବା ଏହି ଲେଖିକା ଜଣକ କ୍ଷୁଦ୍ରଗଳ୍ପରେ ସିଦ୍ଧହସ୍ତା ଅଟନ୍ତି।

ଅନୁବାଦିକା ବୀଣାପାଣି ସାହୁଙ୍କ କିଛି କୃତି ଓ ପୁରସ୍କାର ବିଷୟରେ ପଦେ-

ଅନୁବାଦ ସାହିତ୍ୟ-ନଷ୍ଟ କାହାଣୀ,ସ୍ୱପ୍ନ ଓ ସତ୍ୟ,ଓ’ ହେନେରୀଙ୍କ ଶ୍ରେଷ୍ଠ କାହାଣୀ,ପାଳଭୂତ ଇତ୍ୟାଦି।
ଉପନ୍ୟାସ-କଚ୍ଚା ସଡକ,ପକେଟ ମାର୍
ଭ୍ରମଣ କାହାଣୀ-ପୂର୍ବରୁ ପଶ୍ଚିମ
କ୍ଷୁଦ୍ରଗଳ୍ପ-ଅନ୍ୟ ଏକ ସକାଳ,ଅସ୍ତରାଗର ଚନ୍ଦ୍ର
କବିତା-ଶେଷାରମ୍ଭ

ପୁରସ୍କାର-ଓଡିଶା ଲେଖିକା ସଂସଦ,କଳିଙ୍ଗ ପୁସ୍ତକ ମେଳା ଅନୁସୃଜନ ସମ୍ମାନ,ଅଷ୍ଟଭୁଜା ସମ୍ମାନ,ସାହାଣମେଲା ଗଳ୍ପ ସମ୍ମାନ, ଶ୍ୱେତ ସଂକେତ ଗଳ୍ପ ସମ୍ମାନ,ସୁଧନ୍ୟା ଅନୁସୃଜନ ସମ୍ମାନ ଚିରସନ୍ଧାନ ସାହିତ୍ୟ ସମ୍ମାନ,ଈଶ୍ୱର ଚନ୍ଦ୍ର ସ୍ମୃତି ପୁରସ୍କାର ଇତ୍ୟାଦି ଅନେକ।

ବୀଣାପାଣିଙ୍କ ମତରେ “ସାହିତ୍ୟ ହେଉଛି ସମାଜର ଦର୍ପଣ।ସାହିତ୍ୟ ବାସ୍ତବବାଦୀ ହୋଇଥିବା ହେତୁ ସମାଜର ତ୍ରୁଟି ଏବଂ ଏହାର ଆଶୁ ସମାଧାନକୁ ଜଣେ ସାହିତ୍ୟକ ଲେଖନୀ ଦ୍ୱାରା ପ୍ରକାଶ କରିଥାଏ।ତେଣୁ ସାହିତ୍ୟକୁ ସମାଜର ସମାଧାନମୂଳକ ପନ୍ଥା ମଧ୍ୟ କୁହାଯାଏ”।ତେବେ ବର୍ତ୍ତମାନ ଓଡ଼ିଆ ସାହିତ୍ୟ ଜଗତକୁ ଯେଉଁ ଯୁବ ସାହିତ୍ୟିକ ଆସୁଛନ୍ତି ସେମାନଙ୍କୁ ଏହି ବରିଷ୍ଠ ସାହିତ୍ୟିକା ଏହା ଉପଦେଶ  ଦିଅନ୍ତି ଯେ “ଫଳ ପାଇବାର ଆଶା କରି ସାହିତ୍ୟ ସାଧନାକୁ ଆସିବା ଅନୁଚିତ୍।ଯେଉଁ ଲେଖା ଲେଖକ ଲେଖିବେ ତାହା ପ୍ରଥମେ ହୃଦୟସ୍ପର୍ଶୀ ହେବା ଆବଶ୍ୟକ।ନିଜର ହୃଦୟର କଥା ଓ ଚିନ୍ତନକୁ କିପରି ଅନ୍ୟର ଚିନ୍ତାରାଜ୍ୟରେ ପହଞ୍ଚାଇବେ ସେଥିପ୍ରତି ଯୁବସାହିତ୍ୟକଙ୍କୁ ଦୃଷ୍ଟି ଦେବାକୁ କହିଛନ୍ତି ଏହି ଲେଖିକା ଜଣକ।”
ଅନ୍ୟପକ୍ଷରେ ବର୍ତ୍ତମାନର ସମ୍ବାଦବିହୀନ ସାହିତ୍ୟକୁ ଘୋର୍ ବିରୋଧ କରିଛନ୍ତି ଶ୍ରୀମତୀ ବୀଣାପାଣି।ଏହି ସଂକ୍ଷେପରେ ସେ ଏହା କହିଛନ୍ତି ଯେ “ଆମ ଭାଷା ସାହିତ୍ୟରେ ଅନେକ ସୁନ୍ଦର ଓ ସଶକ୍ତ ଭାଷାକୋଷ ରହିଛି।ଯାହାର ସଫଳ ଚୟନ ଓ ପ୍ରୟୋଗ କରି ଜଣେ ସାହିତ୍ୟିକ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିପାରିବେ।

Leave a Reply

Your email address will not be published. Required fields are marked *