ଭୁବନେଶ୍ୱର ଏମ୍ସର ହୃଦରୋଗ ଡାକ୍ତର ପ୍ରତାରଣା ଓ ଗର୍ଭ ନଷ୍ଟ କରିବା ଅଭିଯୋଗରେ ଗିରଫ

ଭୁବନେଶ୍ୱର : ପ୍ରେମ ପରେ ପ୍ରତାରଣା ଓ ଗର୍ଭ ନଷ୍ଟ କରିବା ଅଭିଯୋଗରେ ଡାକ୍ତର ଗିରଫ । ଭୁବନେଶ୍ୱର ଏମ୍ସର ହୃଦରୋଗ ବିଭଗର ଡାକ୍ତର ଜୟଦୀପ ଦାସ ଗୁପ୍ତାଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ଡାକ୍ତର ଜୟଦୀପ ୨ ବର୍ଷ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ଡାକ୍ତର ଜଣକ ଯୁବତୀଙ୍କ ଗର୍ଭ ନଷ୍ଟ କରିଥିବା ନେଇ ଅଭିଯୋଗ କରିଥିଲେ ପିଡିତା ।

ମହିଳା ଥାନା ପୋଲିସ ସୂଚନା ଅନୁସାରେ, ଗତକାଲି ପିଡିତାଙ୍କ ଅଭିଯୋଗ କ୍ରମେ ମହିଳା ଥାନା ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗକାରିଣୀ ଗତ ୧୭.୧୨.୨୦୨୦ ତାରିଖରେ ନିଜ ବାପାଙ୍କୁ ନେଇ ଏମ୍ସ ହସ୍ପିଟାଲକୁ ଯାଇଥିଲେ । ସେଠାରେ ଡାକ୍ତର ଜୟଦୀପଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଜୟଦୀପ ସେଠାରେ ଜଣେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ହସ୍ପିଟାଲରେ ଜୟଦୀପ ଅଭିଯୋଗକାରିଣୀଙ୍କ ମୋବାଇଲ ନମ୍ବର ମାଗିଥିଲେ । କିନ୍ତୁ ଅଭିଯୋଗକାରିଣୀ ତାଙ୍କ ନମ୍ବର ଦେବାକୁ ମନା କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ବାପାଙ୍କୁ ସେଠାରୁ ଘରକୁ ନେବାକୁ ଦେବେ ନାହିଁ ବୋଲି କହିଥିଲେ । ଅଭିଯୋଗକାରିଣୀ ଜଣକ ବାଧ୍ୟ ହୋଇ ତାଙ୍କୁ ନିଜ ନମ୍ବର ଦେଇଥିଲେ । ନମ୍ବର ନେବାପରେ ଜାନୁଆରୀ ମାସ – ୨୦୨୧ ପରଠାରୁ ଅଭିଯୁକ୍ତ ଡାକ୍ତର ଜଣକ ତାଙ୍କ ସହିତ ନିୟମିତ ବ୍ୟବଧାନରେ ଫୋନରେ କଥା ହେଉଥିଲେ ।

ପରେ ଅଭିଯୁକ୍ତ ଡାକ୍ତର ଜଣକ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ଅଭିଯୋଗକାରିଣୀଙ୍କ ବିଶ୍ୱାସଭାଜନ ହୋଇଥିଲେ । ଏପରିକି ସେମାନଙ୍କ ମଧ୍ୟରେ ସମ୍ପର୍କ ଅଧିକ ଘନୀଭୂତ ହୋଇଥିଲା । ଉଭୟଙ୍କ ମିଳାମିଶା ମଧ୍ୟରେ ଅଭିଯୋଗକାରିଣୀ ୨ମାସର ଗର୍ଭବତୀ ହୋଇଥିଲେ ଏବଂ ଅଭିଯୁକ୍ତ ଡାକ୍ତର ତାଙ୍କର ଗର୍ଭପାତ ମଧ୍ୟ କରିଥିଲେ । କିଛି ଦିନ ପରେ ଅଭିଯୁକ୍ତ ଡାକ୍ତରଙ୍କ ଅନ୍ୟ ଜଣେ ଝିଅ ସହିତ ନିର୍ବନ୍ଧ ହୋଇଥିବା ଜାଣିବାକୁ ପାଇଥିଲେ ଅଭିଯୋଗକାରିଣୀ । ପରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେବା ସହ ଅଭିଯୁକ୍ତ ଡାକ୍ତର ଜଣକ ଉତ୍ୟକ୍ତ ହୋଇ ଅଭିଯୋଗକାରିଣୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା କାହା ସମ୍ମୁଖରେ କହିଲେ ଜୀବନରୁ ମାରିଦେବା ଲାଗି ଜୟଦୀପ ଅଭିଯୋଗକାରିଣୀଙ୍କୁ ଧମକ ଦେଇଥିଲେ । ଅନ୍ୟ ଉପାୟ ନପାଇ ଅଭିଯୋଗକାରିଣୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Leave a Reply

Your email address will not be published. Required fields are marked *