ଅବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ଖରାପ ହେଉଥିବାରୁ ବୃନ୍ଦାବତୀ ନିବାସ ଛାଡ଼ିଲେ ହବିଷ୍ୟାଳି

ଅନେକ ଅବ୍ୟବସ୍ଥା ଓ ଅସୁସ୍ଥତା କାରଣରୁ ବୃନ୍ଦାବତୀ ନିବାସ ଛାଡ଼ିଛନ୍ତି ୧୧ ଜଣ ହବିଷ୍ୟାଳି । କେବଳ ସେତିକି ନୁହେଁ ଗତ ୧୦ତାରିଖରୁ ଆଜି ପର୍ଯ୍ୟନ୍ତ ପନ୍ଦର ଶହରୁ ଉର୍ଦ୍ଧ ହବିଷ୍ୟାଳି ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଛନ୍ତି ।

ପୁରୀ : ହବିଷ୍ୟାଳିମାନେ ଛାଡୁଛନ୍ତି ବୃନ୍ଦାବତୀ ନିବାସ । ଖାଦ୍ୟପେୟରେ ସନ୍ତୁଳନ ନରହିବା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ପାରିବାରିକ ସମସ୍ୟା ସହ ଅବ୍ୟବସ୍ଥା ଯୋଗୁଁ ଶିବିର ଛାଡୁଛନ୍ତି ହବିଷ୍ୟାଳି । ଆହୁରି ଅନେକ ହବିଷ୍ୟାଳି ଶିବିର ଛାଡିବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ତେବେ ହବିଷ୍ୟାଳି ଶିବିରରେ ଯଦି ଏକ ବୟସସୀମା ରହିଥାନ୍ତା ତେବେ ଅନେକ ବୃଦ୍ଧା ଓ ରୋଗଗ୍ରସ୍ଥ ହବିଷ୍ୟାଳି ଶିବିରକୁ ଆସି ହଇରାଣ ହେଉନଥାନ୍ତେ ବୋଲି ଅଭିଯୋଗ କରିଛନ୍ତି ଅନ୍ୟ ହବିଷ୍ୟାଳି ଓ ତାଙ୍କ ପରିବାର ଲୋକେ । ସେପଟେ ବୃନ୍ଦାବତୀ ନିବାସ ହବିଷ୍ୟାଳି ଶିବିରରେ ଗତକାଲି ଲିଫ୍ଟରେ ହବିଷ୍ୟାଳି ଫସିଯିବା ଘଟଣାକୁ ନେଇ କୋଠାର ତିନୋଟି ପଛପଟ ଲିଫ୍ଟକୁ ଆଜି ସିଲ କରାଯାଇଛି ।

“ହବିଷ୍ୟାଳି ଶିବିରରେ ଏବେ ବ୍ରତଧାରୀଙ୍କ ଅସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ବଢିଛି ଚିନ୍ତା । ଦୈନିକ ୩୦ରୁ ଅଧିକ ହବିଷ୍ୟାଳି ଅସୁସ୍ଥତା ଯୋଗୁଁ ପୁରୀ ମେଡିକାଲକୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଯାଇଛନ୍ତି । ୧୦୦ରୁ ଅଧିକ ହବିଷ୍ୟାଳିଙ୍କୁ ପ୍ରତିଟି ଶିବିରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦିଆଯାଉଛି । ତେଣୁ ଚଳିତ ମାସ ୧୦ ତାରିଖରୁ ଶିବିର ଆରମ୍ଭ ହୋଇଥିବା ବେଳେ ୫ଟି ଶିବିରରେ ୧୫ ଶହରୁ ଅଧିକ ହବିଷ୍ୟାଳି ଅସୁସ୍ଥତା କାରଣରୁ ଚିକିତ୍ସିତ ହୋଇଛନ୍ତି । ୨୫ ଜଣଙ୍କ ଅବସ୍ଥା ଖରାପ ହେବାରୁ ପୁରୀ ସଦର ହସପିଟାଲକୁ ରେଫର ହୋଇଛନ୍ତି । ତେବେ ଗଂଜାମରୁ ଆସିଥିବା ୯୦ ବର୍ଷିୟ ହବିଷ୍ୟାଳି ମାଗି ଜାଲି ତିନି ଦିନ ଧରି ଝାଡା ଓ ବାନ୍ତି ହେବା ଯୋଗୁଁ ଆଜି ତାଙ୍କ ପରିବାର ଲୋକେ ଅଟୋରେ ତାଙ୍କୁ ନେଇଯାଇଛନ୍ତି । କାରଣ ତାଙ୍କର ବ୍ଲଡ ପ୍ରେସର ଆଦି ରୋଗ ରହିଥିବା ବେଳେ ତିନି ମହଲାରେ ରହି ହବିଷ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ସରକାରୀ ହବିଷ୍ୟାଳି ଶିବିରରେ ବୟସସୀମାକୁ ନେଇ ପ୍ରଶ୍ନ କରିଛନ୍ତି ହବିଷ୍ୟାଳିଙ୍କ ପରିବାର । ଆଗାମୀ ଦିନରେ ସରକାରୀ ଶିବିରରେ ନିର୍ଦ୍ଧିଷ୍ଟ ବୟସସୀମା କରାଯାଉ ବୋଲି କହିଛନ୍ତି ହବିଷ୍ୟାଳିଙ୍କ ପୁଅ ପୁରୁଷୋତମ ଜାଲି ।

ସେପଟେ ବୃନ୍ଦାବତୀ ନିବାସରେ ୪୦ ଭାଗ ହବିଷ୍ୟାଳିଙ୍କର ବୟସ ୮୦ ବର୍ଷ ଉପରେ । ସେମାନଙ୍କର ଅନେର ରୋଗ ବ୍ୟାଧି ମଧ୍ୟ ରହିଛି । କାହାର ଆଖିକୁ ଭଲ ଦେଖାଯାଉନାହିଁ ତ ପୁଣି କାହାକୁ ଶୁଣାଯାଉନି । ଏବଂ କାହାର ହାତ ଗୋଡ ଓ ଅଣ୍ଟାରେ ଯନ୍ତ୍ରଣା । ଏଭଳି ସ୍ଥିତିରେ ସେମାନଙ୍କୁ ୭ ମହଲା ବିଶିଷ୍ଟ କୋଠାରେ ରଖିବା ଦ୍ୱାରା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି । ନିଜେ ସକ୍ଷମ ନ ହେଉଥିବାରୁ ସରକାର ଏଥିପ୍ରତି ନିୟମ କରି ବୟସସୀମା ଓ ରୋଗ ବ୍ୟାଧି ଚିହ୍ନଟ କରି ରଖିବା କଥା ବୋଲି କହିଛନ୍ତି କିଛି ହବିଷ୍ୟାଳି । ଖାଦ୍ୟପେୟରେ ଅବ୍ୟବସ୍ଥା କାରଣରୁ ଝାଡାବାନ୍ତି ରୋଗରେ ପଡୁଛନ୍ତି ବୋଲି କହିଛନ୍ତି ହବିଷ୍ୟାଳି ।

” ଶ୍ରୀକ୍ଷେତ୍ରରେ ସରକାରଙ୍କ ବୃନ୍ଦାବତୀ ନିବାସ ସହ ୫ଟି ହବିଷ୍ୟାଳି ଶିବିରରେ ପ୍ରାୟ ୩ହଜାର ହବିଷ୍ୟାଳି ରହି କାର୍ତ୍ତିକ ଵ୍ରତ ପାଳନ କରୁଛନ୍ତି । ସେଥି ମଧ୍ୟରୁ ବୃନ୍ଦାବତୀ ନିବାସରେ ସର୍ବାଧିକ ୧୬ଶହରୁ ଅଧିକ ବ୍ରତଧାରୀ ରହୁଛନ୍ତି । ଏହାରି ଭିତରେ ହବିଷ୍ୟାଳିମାନେ ବିଭିନ୍ନ ହବିଷ୍ୟାଳି ଶିବିରରେ ରହିବା ୮ଦିନ ବିତିଲାଣି । ବୃନ୍ଦାବତୀ ନିବାସରୁ ପାରିବାରିକ, ସ୍ବାସ୍ଥ୍ୟଗତ ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ୧୦ଜଣ ହବିଷ୍ୟାଳି ଶିବିର ଛାଡ଼ିଥିବା ଜଣାପଡ଼ିଛି । ଏମାନେ ନୟାଗଡ଼ ଓ ପୁରୀ ଜିଲ୍ଲାର ବୋଲି ସୂଚନା ମିଳିଛି । ବୃନ୍ଦାବତୀ ନିବାସରେ ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ପଞ୍ଜିକୃତ ହବିଷ୍ୟାଳିଙ୍କ ରହଣି ବ୍ୟବସ୍ଥା କରାଯାଇଛି । ଏହି ଶିବିରରୁ ନୟାଗଡ଼ ଜିଲ୍ଲା ବଡ଼ପଣ୍ଡୁସରର ରମାବତୀ ସାହୁ, ବିରୁଡ଼ାର ରମା ମହାପାତ୍ର, ରଣପୁରର ମହୁରୀ ଦେଇ, କୃଷ୍ଣବଲ୍ଲଭପୁରର ସୁକାନ୍ତୀ ବେହେରା, ପୁରୀ ଜିଲ୍ଲା ରୁପାଦେଇପୁରର ବିନୋଦିନୀ ମିଶ୍ର, ପ୍ରମିଳା ମିଶ୍ର, ବଡ଼ଓରାର ପ୍ରମିଳା ସାହୁ, କୁସୁବେଣ୍ଟି ଜଗନ୍ନାଥପୁରର ସାଥୀ ବେହେରା, କଳାପଦରର ରୋହିଣୀ ବେହେରା, ପୁରୀ ପୌରପାଳିକା ଶ୍ରୀକ୍ଷେତ୍ର କଲୋନିର ସୁଲୋଚନା ମାର୍ଥା, ଏପରି ୧୦ଜଣ ହବିଷ୍ୟାଳି ଶିବିର ଛାଡ଼ିଛନ୍ତି । ସଭିଁଙ୍କ ଶିବିର ଛାଡ଼ିବାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ବୋଲି ଦର୍ଶାଯାଇଛି”। ” ଅତ୍ୟାଧୁନିକ ବ୍ୟବସ୍ଥା ସହିତ ପରିଚିତ ନୁହନ୍ତି ହବିଷ୍ୟାଳି । ଲିଫ୍ଟରେ ସାତ ମହଲା ଯିବା ଆସିବା ହେଉ କି ଆକ୍ୱାଗାର୍ଡରୁ ପାଣି ସଂଗ୍ରହ ଓ ଆଧୁନିକ ଟଏଲେଟ ବ୍ୟବସ୍ଥା ସେମାନଙ୍କୁ ଅସୁବିଧାରେ ପକାଇଛି ।

ବୃନ୍ଦାବତୀ ନିବାସ ହବିଷ୍ୟାଳି ଶିବିରରେ ସିଲ ହେଲା ତିନୋଟି ଲିଫ୍ଟ । ବୃନ୍ଦାବତୀ ନିବାସର ଫଛପଟ ଲିଫ୍ଟରେ ଥିବା ତିନୋଟି ଲିଫ୍ଟକୁ ଆଜି ସିଲ କଲେ ଅତିରିକ୍ତ ଜିଲ୍ଲାପାଳ । ଗତକାଲି ତିନିତାଲା ଉପରୁ ତଳକୁ ଆସୁଥିବା ସମୟରେ ଲିଫ୍ଟ ଅଧାରେ ରହିଯିବା ଫଳରେ ତିନିଜଣ ହବିଷ୍ୟାଳି ଲିଫ୍ଟ ଭିତରେ ଫସି ଯାଇଥିଲେ । ୭ ତାଲାର ବିଲଡିଂରେ ପାହାଚ ଚଢି ଅନେକ ସମୟରେ ନିଜ ରୁମକୁ ଯିବା ଏହି ବୟସ୍କ ହବିଶ୍ୟାଳି ମାନଙ୍କୁ ଅନେକ ସମୟରେ ଅସୁବିଧା ହେଉଥିଲା । ସିଷ୍ଟମ ବିଷୟରେ ଜାଣିନଥିବାରୁ ଲିଫ୍ଟରେ ଯିବା ପାଇଁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଆଉ ଏହାକୁ ନେଇ ହବିଷ୍ୟାଳି ଶିବିରରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୁରୀ ଏସପି । ସେପଟେ ହବିଷ୍ୟାଳିଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଛି । ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ ଶିବିର ଖୋଲାଯିବା ସହ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଓ ଏସପି” ।

Leave a Reply

Your email address will not be published. Required fields are marked *