ମନୋଜ ଦାସଙ୍କ ଦେହାବଶେଷ ନିଜ ପାଖରେ ରଖିଛି, ଯଦି ବିବାଦ ହେଉଛି, ତେବେ ସମୁଦ୍ରରେ ବିସର୍ଜନ କରିଦେବି

ଭୋଗରାଇ : ବିଶିଷ୍ଟ କଥାକାର ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଦେହାବଶେଷକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିବା ପରେ ମନୋଜ ଦାସଙ୍କ ଜନ୍ମମାଟି ଭୋଗରାଇ ବ୍ଲକ୍‌ ଶଙ୍ଖାରି ଗାଁ’ରେ ରହୁଥିବା ସମ୍ପର୍କୀୟ ଭାଇ ତଥା ମନ୍ମଥ-ମନୋଜ ଫାଉଣ୍ଡେସନ୍‌ର ସମ୍ପାଦକ ଶିକ୍ଷାବିତ୍‌ ସୁବାସ ଦାସ ସ୍ୱର୍ଗତ ମନୋଜ ଦାସଙ୍କ ଦେହାବଶେଷ ନିଜ ପାଖରେ ୨ ବର୍ଷ ରଖିଥିବା ସ୍ବୀକାର କରିଛନ୍ତି। ତେବେ ଏପରି ସମୟରେ ପୁରୀ ଜିଲ୍ଲା କୋଣାର୍କ ବନଖଣ୍ଡି ଗ୍ରାମର ମନୋଜ ପ୍ରେମୀ ସଞ୍ଜୟ କୁମାର ବରାଳ ସୁବାସ ଦାସଙ୍କ ନାମରେ ଭୋଗରାଇ ଥାନାକୁ ଅନ୍‌ଲାଇନ୍‌ ଅଭିଯୋଗପତ୍ର ପଠାଇଛନ୍ତି।

ଶ୍ରୀ ବରାଳ ପ୍ରଶ୍ନ କରିଛନ୍ତି ଯେ ମନୋଜ ଦାସଙ୍କ ଭଳି ଜଣେ ପ୍ରତିଭାବାନ୍‌ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କଥାକାରଙ୍କ ଦେହାବଶେଷକୁ ବିନା ଅନୁମତିରେ ସୁବାସ କାହିଁକି ରଖିଛନ୍ତି? ହିନ୍ଦୁ ପ୍ରଥା ଅନୁସାରେ ମୃତ୍ୟୁର ବର୍ଷକ ପରେ ଅସ୍ଥି ବିସର୍ଜନ କରାଯିବାର ନିୟମ ଥିବା ବେଳେ ଏହି ମହାନ ଆତ୍ମାଙ୍କ ଅସ୍ଥିକୁ ୨ ବର୍ଷ ଧରି କାହିଁକି ରଖାଯାଇଛି ବୋଲି ସେ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ଏ ନେଇ ସୁବାସ ଦାସଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ସ୍ୱର୍ଗତ ମନୋଜ ଦାସଙ୍କ ଦେହାବଶେଷକୁ ରାଷ୍ଟ୍ରୀୟ ସମ୍ମାନର ସହ ବିସର୍ଜନ କରିବାକୁ ଶ୍ରୀ ବରାଳ ଦାବି କରିଛନ୍ତି।

ଅନ୍ୟପଟେ ସ୍ବର୍ଗତ ମନୋଜ ଦାସଙ୍କ ଦେହାବଶେଷ ତାଙ୍କୁ ପ୍ରେରଣା ଓ ମନୋବଳ ବଢ଼ାଇବାରେ ସହାୟକ ହୁଏ ବୋଲି ସୁବାସ କହିଛନ୍ତି। ଦେହାବଶେଷକୁ ନେଇ ଯଦି ବିବାଦ ହେଉଛି, ତେବେ ତାକୁ ସମ୍ମାନର ସହ ସମୁଦ୍ରରେ ବିସର୍ଜନ କରିଦେବେ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *