ଟ୍ରେନ ଯାତ୍ରୀଙ୍କ ପାଇଁ ନୂଆ ନିୟମ ; ଟ୍ରେନରେ ଉଚ୍ଚ ସ୍ୱରରେ କଥା ହେବା କିମ୍ବା ଗୀତ ଶୁଣିବା କି ଫିଲ୍ମ ଦେଖିବା ମନା

ଭୁବନେଶ୍ୱର : ଟ୍ରେନ ଯାତ୍ରୀଙ୍କ ପାଇଁ ନୂଆ ନିୟମ। ଏଣିକି ଟ୍ରେନରେ ଉଚ୍ଚ ସ୍ୱରରେ କଥା ହେବା, ଉଚ୍ଚ ସ୍ୱରରେ ଗୀତ ଶୁଣିବା କି ଫିଲ୍ମ ଦେଖିବା ମନା। ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ଶାଳୀନତା ଓ ଶିଷ୍ଟାଚାର ବଜାୟ ରଖିବା ପାଇଁ ପୂର୍ବତଟ ରେଳପଥ କରିଛି ନୂଆ ନିୟମ। ଯାହାକୁ ସ୍ୱାଗତ କରିଛନ୍ତି ଟ୍ରେନ ଯାତ୍ରୀ।

ଟ୍ରେନରେ ଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ଶିଷ୍ଟାଚାର ବା ଶାଳୀନତା ରହିବା ଆବଶ୍ୟକ। କୌଣସି ଯାତ୍ରୀ ପାଇଁ ଅନ୍ୟ ଜଣେ ଯେଉଁଭଳି ଭାବେ ଅସୁବିଧା ଭୋଗ ନ କରୁ ସେଥିପାଇଁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଯାତ୍ରୀମାନଙ୍କୁ ସହ-ଯାତ୍ରୀମାନଙ୍କର କୌଣସି ପ୍ରକାର ଅସୁବିଧା ନକରିବାକୁ ପରାମର୍ଶ ଦିଆଯାଉଛି । ଯେପରିକି ଉଚ୍ଚ ସ୍ୱରରେ ଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିବା, ଉଚ୍ଚ ସ୍ୱରରେ ସ୍ପିକର ଲଗାଇ ଗୀତ ଶୁଣିବା, ଫିଲ୍ମ ଦେଖିବା ଇତ୍ୟାଦିରୁ ଦୂରେଇ ରହିବା। ରାତ୍ରି ୧୦ଟା ଠାରୁ ଟ୍ରେନ ପ୍ରକୋଷ୍ଠ (କମ୍ପାର୍ଟମେଣ୍ଟ) ମଧ୍ୟରେ ଫୋକସ୍ ଲାଇଟ୍ ବ୍ୟତୀତ କ୍ୟାବିନରେ ଥିବା ଲାଇଟ୍ ବ୍ୟବହାର ନକରିବା ପାଇଁ ମଧ୍ୟ କୁହାଯାଇଛି। ଯାତ୍ରୀମାନଙ୍କୁ ଏ ଦିଗରେ ପରାମର୍ଶ ଦେବା ବା ସଚେତନ କରିବା ପାଇଁ ଟିକେଟ୍ ଯାଞ୍ଚ କର୍ମଚାରୀ ମାନଙ୍କ ସହିତ ରେଳବାଇ ସୁରକ୍ଷା ବଳ (ଆରପିଏଫ୍), କ୍ୟାଟରିଂ, ଇଲେକ୍ଟ୍ରିକାଲ୍ ଏବଂ ମେକାନିକାଲ୍ କର୍ମଚାରୀଙ୍କ ସମେତ ଅନ୍-ବୋର୍ଡ ଟ୍ରେନ୍ କର୍ମଚାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

“ଲୋକମାନେ ଟ୍ରେନରେ ଯାତ୍ରା କରିବା ସମୟରେ ଯେଉଁ ଶିଷ୍ଟାଚାର ରଖିବା କଥା ତାହା ଭୁଲି ଯାଉଛନ୍ତି। ନିଜ ସହଯାତ୍ରୀ ଯେମିତି ତାଙ୍କର କୌଣସି କାର୍ଯ୍ୟରେ ବିରକ୍ତି ଭାବ ପ୍ରକାଶ ନ କରନ୍ତି ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା କଥା। ଯେହେତୁ ତାହା ହେଉନଥିଲା ଏଣୁ ପୂର୍ବତଟ ରେଳବାଇ ଏକ ନିୟମ କରିଚି। କୌଣସି ଯାତ୍ରୀ ଟ୍ରେନରେ ଯାତ୍ରା କରିବା ସମୟରେ ଉଚ୍ଚ ସ୍ୱରରେ ମୋବାଇଲରେ କଥା ହେବା, ଗୀତ ଶୁଣିବା କି ଫିଲ୍ମ ଦେଖିପାରିବେ ନାହିଁ। ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ,” ପୂର୍ବତଟ ରେଳବାଇ ସି.ପି.ଆର.ଓ ବିଶ୍ୱଜିତ ସାହୁ।

ଯାତ୍ରୀମାନଙ୍କ ସହିତ ଏନେଇ ଆଲୋଚନା ବା ସଚେତନ କରିବା ବେଳେ ପୂର୍ବତଟ ରେଳବାଇ କର୍ମଚାରୀମାନେ ଭଦ୍ରତା, କୌଶଳପୂର୍ଣ୍ଣ ଓ ସୌଜନ୍ୟମୂଳକ ବ୍ୟବହାର ବଜାୟ ରଖିବା ସହିତ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କୁ ଜରୁରୀ ଆବଶ୍ୟକତା ଯଥା ୬୦ ବର୍ଷରୁ ଅଧିକ ଯାତ୍ରୀ, ଦିବ୍ୟାଙ୍ଗଜନ, ରୋଗୀ ଓ ଟ୍ରେନରେ ଏକକ ମହିଳା ଯାତ୍ରୀଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶନାମା ମଧ୍ୟ ଦିଆଯାଇଛି। ଯେଉଁ ଯାତ୍ରୀ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବେ ଓ ଅନ୍ୟ ସହ-ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବେ କିମ୍ବା ଟ୍ରେନରେ ଯାତ୍ରା କରୁଥିବା ସମୟରେ ସହଯାତ୍ରୀଙ୍କୁ ବିବ୍ରତ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମଧ୍ୟ ନିର୍ଦେଶନାମା ଜାରିକରିଛି ରେଳବାଇ। ଯାହାକୁ ସ୍ୱାଗତ କରିଛନ୍ତି ରେଳଯାତ୍ରୀ।

“ମୁଁ ଟ୍ରେନରେ ସବୁବେଳେ ଯିବା ଆସିବା କରେ। ଏଭଳି ସମସ୍ୟାର ସମ୍ମୁଖୀନ ବହୁ ବାର ହୋଇଛି। ରେଳବାଇର ଏହା ଏକ ଭଲ ପଦକ୍ଷେପ, ନିଶ୍ଚିତ ରୂପେ ଏହାକୁ କାର୍ଯ୍ୟକ୍ଷମ କଲେ ସଠିକ ରୂପେ ଦୂର ଦୁରାନ୍ତକୁ ଯାଉଥିବା ଯାତ୍ରୀ ଅଧିକ ଉପକୃତ ହୋଇପାରିବେ,” କହିଛନ୍ତି ଟ୍ରେନ ଯାତ୍ରୀ ଦିବ୍ୟସିଂହ ଶତପଥି।

Leave a Reply

Your email address will not be published. Required fields are marked *