ଉତ୍କଳ ବିଶ୍ୱବିଦ୍ୟାଳୟରେ ଦ୍ବିତୀୟ ପିଜି ପାଇଁ ଅନୁମତି ନାହିଁ, ନିଷ୍ପତ୍ତି କଡ଼ାକଡ଼ି କରିବାକୁ ଜାରି ହେଲା ନିର୍ଦ୍ଦେଶ

ଏବର୍ଷ ରୁରାଲ କ୍ୟାମ୍ପସ ପାଇଁ ହେବ ନାମଲେଖା, ଜୁନ୍‌ ଶେଷ ସପ୍ତାହରୁ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର : ଯଦି କୌଣସି ଛାତ୍ରଛାତ୍ରୀ ଥରେ ସ୍ନାତକୋତ୍ତର(ପିଜି) କରିଥିବେ, ତାଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟରେ ଦ୍ବିତୀୟଥର ପିଜି ପଢ଼ିବାକୁ ଅନୁମତି ଦିଆଯିବ ନାହିଁ। ୨୦୨୨-୨୩ ଶିକ୍ଷାବର୍ଷରେ ପିଜି ନାମଲେଖା ନେଇ ବିବାଦ ‌ସୃଷ୍ଟି ହେବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଥର ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ଲାଗୁ କରିଛନ୍ତି। ଏଥିସହ ୨୦୨୩-୨୪ ଶିକ୍ଷାବର୍ଷରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ରୁରାଲ କ୍ୟାମ୍ପସରେ ପୁଣିଥରେ ପାଠପଢ଼ା ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ମାଷ୍ଟର ଅଫ୍‌ ସୋସିଆଲ୍‌ ୱାର୍କ(ଏମ୍‌ଏସ୍‌ଡବ୍ଲୁ), ମାଷ୍ଟର ଇନ୍‌ ପବ୍ଲିକ ହେଲ୍‌ଥ(ଏମ୍‌ପିଏଚ୍‌), ଏମ୍‌ବିଏ ଇନ୍‌ ରୁରାଲ ମ୍ୟାନେଜ୍‌ମେଣ୍ଟ ପାଠ୍ୟକ୍ରମରେ ନାମଲେଖା ଅନୁଷ୍ଠିତ ହେବ। ଅର୍ଥାତ୍ ବର୍ଷକ ପରେ ପୁଣିଥରେ ଉକ୍ତ ପାଠ୍ୟକ୍ରମରେ ନାମଲେଖା ହେବାକୁ ଯାଉଛି। ସମସ୍ତ ପାଠ୍ୟକ୍ରମରେ ୨୪ଟି ଲେଖାଏଁ ସିଟ୍‌ ରହିଛି।

୨୦୧୭ ମସିହା ଜୁଲାଇ ୩୧ରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସିହାଠାରେ ଉତ୍କଳ ବିଶ୍ବବିଦ୍ୟାଳୟ ଦ୍ବିତୀୟ ତଥା ଗ୍ରାମୀଣ କ୍ୟାମ୍ପସର ଭିତ୍ତିପ୍ରସ୍ତର ପଡ଼ିଥିଲା। ଲକ୍ଷ୍ୟ ଥିଲା, ୩ବର୍ଷ ମଧ୍ୟରେ କ୍ୟାମ୍ପସ୍‌ର ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ୨୦୨୧-୨୨ ଶିକ୍ଷାବର୍ଷରୁ ସ୍ଥାୟୀ କ୍ୟାମ୍ପସରେ ଛାତ୍ରଛାତ୍ରୀ ପଢ଼ିବେ। ସେପର୍ଯ୍ୟନ୍ତ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ବିଶ୍ବବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ୨୦୧୮ ମେ’ ମାସରେ ମୁଖ୍ୟମନ୍ତ୍ରୀ ମହାବିଦ୍ୟାଳୟ ପରିସରରେ ଅସ୍ଥାୟୀ କ୍ୟାମ୍ପସର ଶୁଭ ଦେଇଥିଲେ।ଏଯାଏ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ରୂପ ନେଇ ପାରି ନାହିଁ। ୨୦୨୨-୨୩ ଶିକ୍ଷାବର୍ଷରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ କଟକଣା ଲାଗିବା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବାଧ୍ୟ ହୋଇ ୩ଟି ପାଠ୍ୟକ୍ରମରେ ନାମଲେଖାଇ ନଥିଲେ। ଫଳରେ କ୍ୟାମ୍ପସର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ସେପଟେ ନର୍ସିଂ ପାଠ୍ୟକ୍ରମରେ ଏଥର ନାମଲେଖା ହେବ ନାହିଁ ବୋଲି ଜଣାପଡ଼ିଛି।

ସେହିଭଳି ବିଶ୍ବବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସରେ ଥିବା ବିଭିନ୍ନ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସ୍ବତନ୍ତ୍ର ନାମଲେଖା ପ୍ରକ୍ରିୟା କରାଯିବ। ସ୍ନାତକ ଶେଷବର୍ଷ ପରୀକ୍ଷା ଦେଇ ଫଳ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀ ଆସନ୍ତା ୨୦ ତାରିଖ ସୁଦ୍ଧା ଆବେଦନ କରିପାରିବେ। ଅନ୍ୟାନ୍ୟ ସମସ୍ତ ସୂଚନା ବିଶ୍ବବିଦ୍ୟାଳୟ ୱେବସାଇଟ୍‌ର ଇନ୍‌ଫର୍ମେସନ ବୁଲେଟିନ୍‌ରେ ଉପଲବ୍ଧ ହେବ। ଜୁନ୍‌ ୨୭ରେ ୫ବର୍ଷିଆ ଆଇଏମ୍‌ସିଏ ଓ ଆଇଏମ୍‌ବିଏ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁଲାଇ ୫ରେ ଏମ୍‌ବିଏ(ଏଫ୍‌ଏମ୍‌) ଓ ହିନ୍ଦୀ, ୬ ତାରିଖରେ ଏମ୍‌ଏ ଇନ୍‌ ଓମେନ୍‌ ଷ୍ଟଡିସ୍‌, ଏମ୍‌ଏସ୍‌ସି କମ୍ପ୍ୟୁଟର ସାଇନ୍ସ, ୭ ତାରିଖରେ ଏମ୍‌ଜେଏମ୍‌ସି, ୯ ତାରିଖରେ ୪ବର୍ଷିଆ ବିଏବିଏଡ୍‌, ୧୬ ତାରିଖରେ ବିଏଡ୍‌ ଓ ୨୩ ତାରିଖରେ ଏମ୍‌ଏଡ୍‌ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ବିଶ୍ବବିଦ୍ୟାଳୟ ୱେବସାଇଟ୍‌ www.utkaluniversity.ac.in ମାଧ୍ୟମରେ ଇ-ନାମଲେଖା ସମ୍ପର୍କିତ ତଥ୍ୟ ମିଳିପାରିବ।

Leave a Reply

Your email address will not be published. Required fields are marked *