ସିବିଆଇ ତଦନ୍ତ ନସରିବା ପର୍ଯ୍ୟନ୍ତ ବାହାନଗା ଷ୍ଟେସନରେ ଅଟକିବ ନାହିଁ କୌଣସି ଟ୍ରେନ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ରେଳ ଧାରଣାର ମରାମତି ପରେ ଉକ୍ତ ମାର୍ଗରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ସିବିଆଇ ତଦନ୍ତ ନସରିବା ପର୍ଯ୍ୟନ୍ତ ବାହାନଗା ବଜାର ରେଳ ଷ୍ଟେସନରେ କୌଣସି ଟ୍ରେନ ଅଟକିବ ନାହିଁ ।

ଦକ୍ଷିଣ ପୂର୍ବ ରେଳବାଇ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେବା ପଛର କାରଣ ଜାଣିବାକୁ ଏବେ ସିବିଆଇ ତଦନ୍ତ ଜାରି ରହିଛି । ଲଗବୁକ୍ ସମେତ ରିଲେ ପ୍ୟାନେଲ ଓ ଅନ୍ୟାନ୍ୟ ଉପକରଣକୁ ଜବତ ସହ ବାହାନଗା ବଜାର ରେଳଷ୍ଟେସନକୁ ସିବିଆଇ ଅଧିକାରୀମାନେ ସିଲ୍ କରିଦେଇଛନ୍ତି । ଯେହେତୁ ସିଗନାଲ ସିଷ୍ଟମର ଗୁରୁତ୍ୱପୂର୍ଣ୍ଣ ରିଲେ ଇଂଟରଲକିଂ ପ୍ୟାନେଲକୁ ସିଲ୍ କରାଯାଇଛି ଓ ସେଠାକୁ ଷ୍ଟେସନର କର୍ମଚାରୀଙ୍କ ପ୍ରବେଶ ଉପରେ କଟକଣା ରହିଛି, ତେଣୁ ବାହାନଗା ବଜାର ଷ୍ଟେସନରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଯାତ୍ରୀବାହୀ କିମ୍ବା ମାଲବାହୀ ଟ୍ରେନ ଅଟକିବ ନାହିଁ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *