ପତ୍ନୀଙ୍କ ଉପରେ ଅଭିମାନ କରି ୪୨ ବର୍ଷ ହେଲା ଭାତ ଖାଉନାହାନ୍ତି ବୃଦ୍ଧ

ଯାଜପୁର : ପତ୍ନୀଙ୍କ ଉପରେ ଅଭିମାନ କରି ୪୨ ବର୍ଷ ତଳେ ନେଇଥିବା ବଜ୍ର ଶପଥକୁ ଆଜି ବି ପାଳନ କରି ଚାଲିଛନ୍ତି। ସାମାନ୍ୟ ଅଭିମାନ କାରଣରୁ ୪୨ ବର୍ଷ ହେଲା ଭାତ ଖାଇବା ଛାଡ଼ି ଦେଇଥିବା ବୃଦ୍ଧଜଣକ ଆଜି ବି ନିଜ ଜିଦ୍‌ରେ ଅଟଳ। ଭାତକୁ ଛାଡ଼ି ସବୁ ଖାଉଛନ୍ତି, ହେଲେ ୪୨ ବର୍ଷ ହେଲା ଅନ୍ନର ଗୋଟିଏ ବି ଦାନା ସେ ସ୍ପର୍ଶ କରି ନାହାନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଭିକିପୁର ଗାଁର ରାମଚନ୍ଦ୍ର ମାଝୀ ।

ରାମଚନ୍ଦ୍ରଙ୍କ ବୟସ ୭୬ ଛୁଇଁଲାଣି। ମୁଲ ମଜୁରୀ କରି ପରିବାର ପୋଷୁଥିବା ରାମଚନ୍ଦ୍ରଙ୍କର ୫ ଝିଅ ସାଙ୍ଗକୁ ୨ ପୁଅ। ୪୨ ବର୍ଷ ପୂର୍ବେ ଥରେ ଅସୁସ୍ଥତା ହେତୁ ପତ୍ନୀ ଭାତ ରାନ୍ଧି ଦେଇ ପାରି ନ ଥିଲେ। ସେବେଠୁ ଆଉ ଭାତକୁ ସ୍ପର୍ଶ ନ କରିବା ପାଇଁ ନେଇଥିବା ନିଜ ଶପଥରେ ଆଜି ବି ଅଟଳ ରହିଛନ୍ତି ରାମଚନ୍ଦ୍ର ।

ଓଡ଼ିଆଙ୍କ ଖାଦ୍ୟ କହିଲେ ଭାତ ମୁଠାକୁ ବୁଝାଉଥିବା ବେଳେ ରାମଚନ୍ଦ୍ରଙ୍କ ପାଇଁ କିନ୍ତୁ ଏହାର ପରିଭାଷା ବଦଳି ଯାଇଛି। ଭାତ ବଦଳରେ ସେ ଚୁଡ଼ା, ମୁଢ଼ି, ରୁଟି, ମାଛ ମାଂସ ସବୁ ଖାଉଛନ୍ତି । ହେଲେ ଭାତକୁ ସ୍ପର୍ଶ ବି କରୁ ନାହାନ୍ତି। ପାଖପଡୋଶୀ, ବନ୍ଧୁବାନ୍ଧବ ସମସ୍ତଙ୍କ ବାଧ୍ୟବାଧକତାକୁ ବି ତାଙ୍କର ଖାତିର ନାହିଁ। ନିଜ ନିଷ୍ପତ୍ତିକୁ ନିଜେ ଭାଙ୍ଗିବା ସପକ୍ଷରେ ନାହାନ୍ତି ରାମଚନ୍ଦ୍ର।

ଏନେଇ ରାମଚନ୍ଦ୍ର କହିଛନ୍ତି, ଥରେ ପତ୍ନୀ ଉପରେ ରାଗିକି ଛାଡ଼ି ଦେଇଥିଲି। ସେବେଠୁ ଆଉ ଭାତ ଖାଇନି। ହେଲେ ଚୁଡ଼ା, ମୁଢ଼ି, ପିଠା, ପାଉଁରୁଟି, ବିସ୍କୁଟ ସବୁ ଖାଉଛି।

ଏନେଇ ରାମଙ୍କ ପତ୍ନୀ ସୀତା ମାଝୀ କହିଛନ୍ତି, ମୋ’ ଉପରେ ରାଗି ୪୨ ବର୍ଷ ହେଲା ଆଉ ଭାତ ଖାଉ ନାହାନ୍ତି। ଯେତେ ବୁଝାଇଲେ ବି ନିଜ ଜିଦ୍‌ରେ ସେ ଅଟଳ ।

ରାମଚନ୍ଦ୍ରଙ୍କ ସବୁ ପିଲା ବିବାହ କରି ନିଜ ଘର ସଂସାର କରି ସାରିଥିବା ବେଳେ ପତ୍ନୀଙ୍କ ସହ ଏକ ଝାଟିମାଟି ଘରେ ରୁହନ୍ତି ସେ । ପରିଣତ ବୟସରେ ବି ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଭଲ ପାଇବା ସହ ପରସ୍ପର ପ୍ରତି ଦାୟିତ୍ୱବୋଧ ରହିଛି। ହେଲେ ଜୀବନର ଶେଷ ନିଶ୍ୱାସ ଯାଏ ନିଜ ଜିଦ୍‌କୁ ଛାଡ଼ିବାକୁ ରାଜି ନୁହନ୍ତି ରାମଚନ୍ଦ୍ର ।

Leave a Reply

Your email address will not be published. Required fields are marked *