ହିମାଚଳ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଆରମ୍ଭ ହେଲା ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂହ ସୁଖୁ। ଏଥିସହ ମୁକେଶ ଅଗ୍ନିହୋତ୍ରୀ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି।

ହିମାଚଳ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ସୁଖବିନ୍ଦର ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଏକତା ପ୍ରଦଶର୍ନ ସ୍ୱରୂପ ଆଜି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଥିବା ସୁଖବିନ୍ଦର ସିଂହ ସୁଖୁ ରାଜ୍ୟ କଂଗ୍ରେସ ମୁଖ୍ୟ ପ୍ରତିଭା ବୀରଭଦ୍ର ସିଂହଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ଏଥିସହ ସୁଖୁ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଗାନ୍ଧୀ ପରିବାର ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସୁଖୁ କହିଛନ୍ତି, ସେ (ପ୍ରତିଭା) ହେଉଛନ୍ତି ଦଳର ରାଜ୍ୟ ମୁଖ୍ୟ, ଆମେ ତାଙ୍କ ଅଧୀନରେ କାର୍ଯ୍ୟ କରୁଛୁ। ତାଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ କରିବା ଲାଗି ମୁଁ ଏଠାକୁ ଆସିଛି।

ସୁଖବିନ୍ଦର ସୁଖୁ ହିମାଚଳ ପ୍ରଦେଶର ସପ୍ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶିମଲା କଂଗ୍ରେସ ବିଧାୟକ ଦଳ ବୈଠକରେ ସୁଖୁଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା। ବାସ୍ତବରେ କଂଗ୍ରେସ ହିମାଚଳ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ପୂର୍ବତନ ମୁଖମନ୍ତ୍ରୀଙ୍କ ପତ୍ନୀ ପ୍ରତିଭା ସିଂହଙ୍କୁ ସିଏମ୍ କରିବା ପାଇଁ ଅନେକ ସମର୍ଥକ ଦାବି କରୁଥିଲେ। କିନ୍ତୁ କଂଗ୍ରେସ ହାଇକମାଣ୍ଡ ଶେଷରେ ସୁଖବିନ୍ଦର ସିଂହ ସୁଖୁଙ୍କ ନାଁରେ ମୋହର ମାରିଥିଲେ।

Leave a Reply

Your email address will not be published. Required fields are marked *