ଭାରତରେ ଲଗାତାର ବଢ଼ୁଛି ଓମିକ୍ରନ ସଂକ୍ରମଣ, ୧୬୧ ଜଣ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ଓମିକ୍ରନ ଜନିତ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧୬୧ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇ ସାରିଥିବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟସଭାକୁ ଅବଗତ କରାଇଛନ୍ତି।

ସେ କହିଛନ୍ତି, “ଆମେ ସ୍ଥିତିକୁ ଦୈନିକ ବିଶେଷଜ୍ଞମାନଙ୍କ ସହ ମିଶି ସମୀକ୍ଷା କରୁଛୁ। ମହାମାରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରର ଅଭିଜ୍ଞତା ଆମ ପାଖରେ ରହିଛି। ତେଣୁ ଭାରିଏଣ୍ଟ ଯେତେବେଳେ ବି ଦ୍ରୁତ ସଂକ୍ରମଣ କରିବ, ଆମେ ତା’ର ମୁକାବିଲା କରିପାରିବୁ। ଏନେଇ କୌଣସି ସମସ୍ୟା ଦେଖାଯିବ ନାହିଁ। ଆମେ ବିପୁଳ ପରିମାଣର ଗୁରୁତ୍ୱପୂର୍ଣ୍ଣ ଓ ଜୀବନ ରକ୍ଷାକାରୀ ଔଷଧ ରଖିଛୁ।”

ଦେଶର ଟିକାକରଣ ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ କାରଣରୁ ଦେଶର ୮୮% ଲୋକ କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି। ସେହିପରି ୫୮% ଲୋକ ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଛନ୍ତି। ଏବେ ସୁଦ୍ଧା ଦେଶର ୧୨ଟି ରାଜ୍ୟରେ ମୋଟ ୧୬୧ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି।

୧୬୧ ଜଣ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେହି ବି ଗୁରୁତର ହୋଇନାହାନ୍ତି। ସମସ୍ତଙ୍କ ଶରୀରରେ କେବଳ ସ୍ୱଳ୍ପ ମାତ୍ରାରେ ଲକ୍ଷଣ ଦେଖା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୬୧ ଜଣଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, ଗୁଜରାଟରେ ୧୩, କେରଳରେ ୧୧, କର୍ଣ୍ଣାଟକାରେ ୮, ଉତ୍ତର ପ୍ରଦେଶରେ ୨, ତାମିଲନାଡୁ, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଜଣେ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ୬୦ ହଜାରରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହା ମଧ୍ୟରେ କେବଳ ବ୍ରିଟେନରୁ ୫୦% ଅଧିକ ଲୋକ ରହିଛନ୍ତି।

Loading

Leave a Reply

Your email address will not be published. Required fields are marked *