ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବିରୁଦ୍ଧରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ଆସନ୍ତାକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ରାଜ୍ୟର କୌଣସି ଠାରେ ନିର୍ବାଚନ ପ୍ରଚାର କରିପାରିବେନି ପ୍ରମିଳା ମଲ୍ଲିକ ।

ଯାଜପୁର: ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିସନ କଟକଣା ଲଗାଇଛନ୍ତି। ଫଳରେ ୪୮ ଘଣ୍ଟା ପାଇଁ ପ୍ରମିଳା ମଲିକ ପ୍ରଚାର କରିପାରିବେନି। ସେ ଫେବ୍ରୁୁଆରି ୧୪ (ସୋମବାର) ପୂର୍ବାହ୍ନ ୧୦ଟାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିିଁ।

ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶରେ ଯାଜପୁର ଜିଲ୍ଲାପାଳଙ୍କ ଦ୍ବାରା କାରଣ ଦର୍ଶାଅ ନୋଟିସ୍‌ ଜାରି ହେବା ପରେ ପ୍ରମିଳା ମଲିକ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ। ଶ୍ରୀମତୀ ମଲିକ କହିଥିଲେ ଯେ, ନିର୍ବାଚନ ପ୍ରଚାର ସମୟରେ ମୁଁ କିଛି ନିୟମ ଉଲ୍ଲଂଘନ କରିନାହିଁ। ଜିଲ୍ଲାପାଳ ଯାହା ରିପୋର୍ଟ ମାଗିଛନ୍ତି, ତାହା ଦେବି। କିଛି ଆଚରଣ ବିଧି ଉଲ୍ଲଂଘନ କରିନାହିଁ। ମୁଁ ପ୍ରଚାର କରିବି।

ଶ୍ରୀମତୀ ମଲିକଙ୍କୁ ଆଜି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଘଟଣାରେ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। ରାଜ୍ୟ ନିର୍ବାଚନ କମିସନର ଏହାର ତଦନ୍ତ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‌ତେବ‌େ ଏହାକୁ ଭିତ୍ତି କରି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ବିଂଝାରପୁର ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ଜରିଆରେ ବିଧାୟକ ଶ୍ରୀମତୀ ମଲିକଙ୍କୁ ନୋଟିସ ନଂ ୫୯୩/୧୧.୨.୨୦୨୨ରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହାର ଉତ୍ତର ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ।

ସୂଚନାଯୋଗ୍ୟ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ପ୍ରମିଳା ମଲିକଙ୍କ ଦ୍ବାରା ଦିଆଯାଇଥିବା ଭାଷଣର ଏକ ଭିଡିଓ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ନ୍ୟୁଜ ଚ୍ୟାନେଲରେ ପ୍ରସାରଣ ହୋଇଥିଲା। ଏହା ପରେ ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଧାୟିକା ଶ୍ରୀମତୀ ମଲିକ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ସବୁକିଛି ବନ୍ଦ। କିଛି ବି ଧାପେ ମିଳିବ ନାହିଁ। ଭୋଟରଙ୍କୁ ସିଧାସଳଖ ‌ଏଭଳି ଚରମ ଚେତାବନୀ ଶୁଣାଇଥିଲେ। ଏହି ବକ୍ତବ୍ୟକୁ ବୁଦ୍ଧିଜୀବୀ, ରାଜନୈତିକ ବିଶାରଦ, ପଣ୍ଡିତବର୍ଗ ସହଜରେ ହଜମ କରିପାରି ନଥିଲେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଆଦର୍ଶ ଆଚରଣ ବିଧିର ଏହା ଖୋଲାଖୋଲି ଉଲ୍ଲଂଘନ ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ, ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ପଞ୍ଚାୟତର ଅଳକୁଣ୍ଡ ଗ୍ରାମରେ ବୁଧବାର ଦିନ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକ ଯୋଗଦେଇ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଗଣେଶ ସାହୁଙ୍କୁ ମାଛ ଚିହ୍ନରେ ଭୋଟ ଦେବାସହ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିଲେ। ଯଦି ଆଉ କାହାକୁ ଭୋଟ୍‌ ଦିଅ ତେବେ ବାର୍ଦ୍ଧକ୍ୟ ଭତ୍ତା, ରାସନ ଓ ଆବାସ ଯୋଜନାରେ ଘରପାଇଁ ମୋତେ କହିବନି ବୋଲି ଉପସ୍ଥିତ ଜନସାଧାରଣଙ୍କୁ ରୋକଠୋକ ଶୁଣାଇଥିଲେ।

Leave a Reply

Your email address will not be published. Required fields are marked *