ଆଜି ପୁରୀରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅପରାହ୍ନ ୪ଟାରୁ ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର : ଆଜି ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ଆଜି ଅପରାହ୍ନ ୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ୩ଟା ୨୫ରେ ପୁରୀରେ ହେଲିପ୍ୟାଡରେ ଅବତରଣ କରିବେ । ଏହାପରେ ପୁରୀସ୍ଥିତ ରାଜଭବନରେ ଅବସ୍ଥାନ କରିବେ ।

ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ସେଠାରୁ ୫ଟା ୪୫ରେ ବାହାରିବେ । ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଦର୍ଶନ ସାରି ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ସେହିଭଳି ଆସନ୍ତାକାଲି ଅର୍ଥାତ୍ ୨୦ତାରିଖ ସକାଳ ୧୦ଟା ୩୫ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉତ୍ସବରେ ଯୋଗ ଦେବେ ।

ରାଷ୍ଟ୍ରପତିଙ୍କ ଦୁଇଦିନିଆ ଗସ୍ତ ପାଇଁ ବ୍ଲୁ ବୁକ୍ ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଗତକାଲି ପୁରୀରେ କାରକେଡ ରିହର୍ସାଲ ହୋଇଥିଲା ।

ଅପରପକ୍ଷେ, କୋଭିଡରେ ଆକ୍ରାନ୍ତ ପାଇଁ ଆଜି ରାଷ୍ଟ୍ରପତିଙ୍କ ସ୍ୱାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ଗଜପତି ମହାରାଜା । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମ କୋଭିଡ୍ କଟକଣା ଭିତରେ ହେବାକୁ ଥିବାରୁ ଗଜପତି ମହାରାଜାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ତେଣୁ ଆସନ୍ତା ୭ ଦିନ ଲାଗି ଗଜପତି ମହାରାଜା ସଂଗରୋଧରେ ରହିବେ । ସେ ଦୃଷ୍ଟିରୁ ଆଜି ରାଷ୍ଟ୍ରପତିଙ୍କ ସ୍ୱାଗତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି ଶ୍ରୀନଅର ପକ୍ଷରୁ ପ୍ରେସ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *