ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପ୍ରଥମ ବାର୍ଷିକୀ ସ୍ମୃତି ଶ୍ରଦ୍ଧାଞ୍ଜଳି ସମାରୋହ -୨୦୨୩ ଅନୁଷ୍ଠିତ

ଭୁବନେଶ୍ଵର : ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଏମ୍ରାଲଡ୍ ଆପାର୍ଟମେଣ୍ଟ, ଲକ୍ଷ୍ମୀସାଗର, ଭୁବନେଶ୍ଵରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଉତ୍ସବକୁ ଉଦ୍ଘାଟନ କରିଥିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି। ସଭାପତି ରୂପେ ଦାୟିତ୍ୱ ତୁଲାଇଥିଲେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ। ମୁଖ୍ୟ ଅତିଥି ରୂପେ ପ୍ରଫେସର ପ୍ରଦୀପ୍ତ ପଣ୍ଡା ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ଗୌରାଙ୍ଗ ଚରଣ ଦାସ ଯୋଗଦାନ କରିଥିଲେ। ସ୍ବାଗତ ଭାଷଣ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍କଲାର ତଥା କାର୍ଯ୍ୟ କ୍ରମର ଆବାହିକା ଡକ୍ଟର ବାସନ୍ତୀ ମହାନ୍ତି କରିଥିଲା ବେଳେ ମଂଚ ସଞ୍ଚାଳନ ଡକ୍ଟର ଶର୍ମିଷ୍ଠା ମହାପାତ୍ର ସୂଚାରୁରୂପେ ତୁଲେଇଥିଲେ। ପ୍ରକାଶଥାଉକି, ଓଡ଼ିଆ ଭାଷା ବ୍ୟତୀତ ଏକାଧିକ ଭାଷାରେ ପ୍ରବୀଣ ପ୍ରଫେସର ଆଚାର୍ଯ୍ୟଙ୍କ ବହୁ ପ୍ରାଚୀନ ଓ ମଧ୍ୟଯୁଗୀୟ ପୋଥି, ପାଣ୍ଡୁଲିପି ଓ ଗ୍ରନ୍ଥର ସଂପାଦନା କରିବା ସହିତ ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ଗ୍ରନ୍ଥାବଳୀ, ଜଗନ୍ନାଥ ନାରାୟଣ ଗ୍ରନ୍ଥାବଳୀ, ପଦ୍ମନାଭ ନାରାୟଣ ଗ୍ରନ୍ଥାବଳୀ ତାଙ୍କ ଦ୍ବାରା ପ୍ରକାଶିତ। ପ୍ରଫେସର ଆଚାର୍ଯ୍ୟଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ରହିଥିବା ଅବଦାନକୁ ଅତିଥିଗଣ ବଖାଣିବା ସହିତ ସେ ସଂଗ୍ରହ କରିଥିବା ବହୁ ପାଣ୍ଡୁଲିପି ଓ ଦୁଷ୍ପ୍ରାପ୍ୟ ପୁସ୍ତକ ଗୁଡ଼ିକୁ ପ୍ରକାଶନ କରାଯିବାର ବ୍ୟବସ୍ଥା ଅଧୁନା କରାଗଲେ ତାହା ତାଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାର୍ଘ୍ୟ ହେବ ବୋଲି ମୁଖ୍ୟବକ୍ତା ପ୍ରଫେସର ଗୌରାଙ୍ଗ ଚରଣ ଦାଶ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସ୍ବର୍ଗତ ଆଚାର୍ଯ୍ୟଙ୍କ ପୁଣ୍ୟ ଶ୍ରାଦ୍ଧଦିବସରେ ପ୍ରଫେସର ବିବେକାନନ୍ଦ ପାଣିଗ୍ରାହୀ, ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ.ପ୍ରଦ୍ୟୁମ୍ନ ମିଶ୍ର, ପ୍ରକାଶକ ଓ ଗାଳ୍ପିକ ରାଜକିଶୋର ଦାସ, ଶାନ୍ତିନିକତନର ପ୍ରଫେସର ରବୀନ୍ଦ୍ର ଦାସ, ଡ.ରଣଜିତ୍ ପରିଡ଼ା, ଇଂ ବିପିନ୍ ବିହାରୀ ପଣ୍ଡା, ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଶ୍ରୀହର୍ଷ ଦାସ ପ୍ରମୁଖ ଆଚାର୍ଯ୍ୟଙ୍କ ସ୍ମୃତି ଓ ଅଧ୍ୟାପନା ପ୍ରଣାଳୀକୁ ଭୁରି ଭୁରି ପ୍ରଶଂସା କରିଥିଲେ। ପରିଶେଷରେ ଉପସ୍ଥିତ ସୁଦର୍ଶନ ପ୍ରେମୀଙ୍କୁ ଡ. ମହାନ୍ତି ଓ ଡ. ମହାପାତ୍ର ସାଧୁବାଦ ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *