ଉତ୍କଳ ସମ୍ମିଳନୀର ୧୨୦ତମ ବର୍ଷ ପୂର୍ତ୍ତି ଅବସରରେ କଟକ ଶାରଳା ଭବନ ଠାରେ ଦୁଇ ଦିନିଆ ଓଡ଼ିଆ ଅସ୍ମିତା ସମ୍ମିଳନୀ ଆରମ୍ଭ

କଟକ ଶାରଳା ଭବନ ଠାରେ ଦୁଇ ଦିନିଆ ଓଡ଼ିଆ ଅସ୍ମିତା ସମ୍ମିଳନୀ ଆରମ୍ଭ

ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କଲେ ଉଦଘାଟନ

ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ସ୍ମୃତି ଚାରଣରେ ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ

ସୁପ୍ରସିଦ୍ଧ ଲେଖକ ଦାଶ ବେନହୁରଙ୍କ ରଚିତ ପୁସ୍ତକ ‘ କୂଳ ତିଳକ ମଧୁସୂଦନ’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ

କଟକ : ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟ କର୍ମଶାଳା ‘ଉତ୍କଳ ସମ୍ମିଳନୀ’ ର ୧୨୦ ତମ ବର୍ଷପୂର୍ତ୍ତି ଅବସରରେ ଆଜିଠୁ ଐତିହାସିକ କଟକ ସହରରେ ଆରମ୍ଭ ହୋଇଛି ଓଡିଆ ଅସ୍ମିତା ସମ୍ମିଳନୀ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ ରେ ବିଶ୍ବର ବିଭିନ୍ନ କୋଣରେ ବସବାସ କରୁଥିବା ମାଟିମନସ୍କ ଓଡିଆ ଭାଇଭଉଣୀଙ୍କ ମିଳିତ ପ୍ରୟାସରେ ମଧୁ ବାବୁଙ୍କୁ ମନେପକାଇବା ପାଇଁ ଆୟୋଜିତ ହେବାକୁ ଯାଉଛି ବିଭିନ୍ନ କାର୍ଯ୍ୟକ୍ରମ ।

ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଏହି ସମ୍ମିଳନୀର ପ୍ରଥମ ଅଧିବେସନରେ ବହୁ ସ୍ଵାଭିମାନୀ ଓଡିଆ ଉପସ୍ଥିତ ଥିଲେ ।

ବେଦ ଧ୍ଵନୀ ସହ ପ୍ରଦୀପ ପ୍ରଜ୍ବଳନ କରି ବରେଣ୍ୟ ଅତିଥି ମାନେ ସମ୍ମିଳନୀ କୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ ।

ସଭା ମଞ୍ଚରେ ସଭାପତି ଭାବରେ ନବଜୀବନ ସଂଘର ସ୍ବାମୀ ଶିବ ଚିଦାନନ୍ଦ ସରସ୍ୱତୀ, ବରେଣ୍ୟ ଅତିଥି ଭାବେ ଉତ୍କଳ ସମ୍ମିଳନୀର ସଭାପତି ଡ ଅଦୈତ୍ୟ କୁମାର ପାତ୍ର, ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଅସ୍ମିତା ସମ୍ମିଳନୀର ଅଧକ୍ଷ ଡ ଭଗବାନ ପ୍ରକାଶ ଉପସ୍ଥିତ ଥିଲେ । ସମ୍ମିଳନୀର ଆବାହକ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ରାଉତ ସ୍ବାଗତ ଭାଷଣ ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ।

ଏ ଜାତିର ମହାନାୟକ କୁଳବୃଦ୍ଧ ମଧୁସୂଦନ ଦାସ ନିଜର ଅସମ୍ଭବ ନେତୃତ୍ବ ଓ ଅବିଶ୍ଵାସନୀୟ ଦୂରଦୃଷ୍ଟି ଦ୍ବାରା କେବଳ ଓଡିଆ ଜାତିର ପରିଚୟକୁ ପୁନଃ ପ୍ରତିଷ୍ଠା କରିବାରେ ସଫଳ ହୋଇନଥିଲେ ବରଂ ଓଡ଼ିଶାକୁ ସାରା ବିଶ୍ବରେ ଶ୍ରେଷ୍ଠ ଜାତି ଭାବରେ ପ୍ରତିପାଦିତ କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ| ଶିକ୍ଷା, ଶିଳ୍ପ, ସମାଜ ସଂସ୍କାର, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଯେଉଁ ପାଦ ଚିହ୍ନ ସେ ଛାଡି ଯାଇଛନ୍ତି ତାହା ଚିରଦିନ ପାଇଁ ଏଜାତିକୁ ଆଗକୁ ବଢିବାରେ ପ୍ରୋତ୍ସାହନର ଉତ୍ସ ହୋଇ ରହିଥିବ| ନାରୀ ଶିକ୍ଷା ତଥା ଓଡିଆଙ୍କର ସାମଗ୍ରିକ ବିକାଶ ଓ ଆର୍ଥିକ-ସାମାଜିକ ପ୍ରଗତି ପାଇଁ ସେ ଥିଲେ ଆଦ୍ୟ ବିଶ୍ଵକର୍ମା ବୋଲି ଅତିଥି ମାନେ ଅଭିଭାଷଣରେ ସ୍ମୃତି ଚାରଣ କରିଥିଲେ।

ଐତିହାସିକ କଟକ ସହରରେ ବିଶ୍ବର ବିଭିନ୍ନ କୋଣରେ ବସବାସ କରୁଥିବା ମାଟିମନସ୍କ ଓଡିଆ ଭାଇଭଉଣୀଙ୍କ ମିଳିତ ପ୍ରୟାସରେ ତାଙ୍କୁ ମନେପକାଇବା ପାଇଁ ଆୟୋଜିତ ହେଉଥିବା ‘ଓଡିଆ ଅସ୍ମିତା ସମ୍ମିଳନୀ’ କୁ ସାଧୁବାଦ ଦେଇଥିଲେ ଉପସ୍ଥିତ ଅତିଥି ମାନେ ।

ଏହି ଅବସରରେ ସୁପ୍ରସିଦ୍ଧ ଲେଖକ ଦାଶ ବେନହୁରଙ୍କ ରଚିତ ପୁସ୍ତକ ‘ କୂଳ ତିଳକ ମଧୁସୂଦନ’ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।

ଅତୀତରେ ୧୯୦୩ ରୁ ୧୯୩୬ ମସିହା ପର୍ଯ୍ୟନ୍ତ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ସମସ୍ତ ସ୍ଥାନରୁ ସଂଗୃହୀତ ହୋଇଥିବା ପବିତ୍ର ମାଟିକୁ ଉତ୍କଳ ସମ୍ମିଳନୀର ଅନ୍ତୁଡିଶାଳ ଇଦଗା ପଡିଆରେ ଏକତ୍ରୀ କରଣ ଓ ସମ୍ମାନ ପ୍ରଦର୍ଶନ ପରେ ଜ୍ୟୋତି ପ୍ରଜ୍ବଳନ ଓ ଅସ୍ମିତା ସମ୍ମିଳନୀ ଶୋଭାଯାତ୍ରା ଆରମ୍ଭ କରଯାଇଥିଲା। ତା ପରେ ମଧୁବାବୁଙ୍କ ସମାଧି ସ୍ଥଳ ଗୋରା କବର ଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ମଧୁବାବୁଙ୍କ କର୍ମଭୂମି ଶୈଳବାଳା ମହାବିଦ୍ୟାଳୟରେ ଜ୍ୟୋତିକୁ ସ୍ବାଗତ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା । ଶାରଳା ଭବନ ଠାରେ ମଧୁବାବୁଙ୍କ ଉପରେ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରା ଯାଇଥିଲା ।

ସମ୍ମିଳନୀରେ ଉପସ୍ଥିତ ଥିଲେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟରତ ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବ, ରାଜନେତା, ଲେଖକ, ବୁଦ୍ଧିଜୀବୀ ତଥା ବିଭିନ୍ନ କ୍ଷେତ୍ରରେ ସଫଳ ଯୁବ ବ୍ଯକ୍ତିତ୍ବ |

ଆସନ୍ତା କାଲି ଓଡ଼ିଆ ସାହିତ୍ୟ, ଓଡ଼ିଆ ଜନଜୀବନର ଧାରାରେ ଅବନ୍ନତି ଅଗ୍ରଗତି, ସ୍ୱାଭିମାନ ରୁ ସ୍ୱାବଲମ୍ବନ ପର୍ଯ୍ୟନ୍ତ ଯାତ୍ରା ଉପରେ ଆଲୋଚନାଚକ୍ର ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ ହେବ ।

Leave a Reply

Your email address will not be published. Required fields are marked *