ଲାଞ୍ଚ ନେବା ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ଚଣ୍ଡିଗଡ : ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ନିଜ ସରକାରରେ ଥିବା ମନ୍ତ୍ରୀଙ୍କୁ ହିଁ ଦେଖାଇଲେ ବାହାରର ରାସ୍ତା। ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଭ୍ରଷ୍ଟାଚାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ। ତାଙ୍କୁ ଦଳରୁ ସେ ବହିଷ୍କାର କରିଛନ୍ତି। ଏଥିସହ ପଞ୍ଜାବ ପୁଲିସକୁ ବିଜୟ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜୟ ସିଙ୍ଗଲା, ଭଗୱନ୍ତ ସିଂହ ମାନ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଅଭିଯୋଗ ଆସିଥିଲା। ଏନେଇ ବିଜୟ ସିଙ୍ଗଲାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଆଉଟ୍‌ କରିଦେଇଛନ୍ତି। ଏନେଇ ଟ୍ୱିଟ୍‌ ଜରିଆରେ ଏକ ଭିଡିଓ ଶେଆର କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଥିଲା। ଏହାପରେ ଭଗୱନ୍ତ ସିଂହ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ନିର୍ବାଚନ ପ୍ରଚାର ବେଳେ ଭଗୱନ୍ତ ରାଜ୍ୟରୁ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେ ଦେଇଥିବା ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଭ୍ରଷ୍ଟାଚାରରେ ଲିପ୍ତ ଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି।

Leave a Reply

Your email address will not be published. Required fields are marked *